ପାଣ୍ଡିଆନ୍ କହୁଛନ୍ତି, ‘ପାଣ୍ଡିଆନ୍ ଫେରିଆସ’
ଭୁବନେଶ୍ୱର : ନୂଆପଡ଼ାରେ ବିଜେଡ଼ିର ଦୟନୀୟ ପ୍ରଦର୍ଶନ ପରେ ବିଜେଡ଼ିର ବଡ଼ ବଡ଼ିଆ ନେତାଙ୍କ ଗଉଁ ଭାଙ୍ଗିଯାଇଛି । ସେମାନେ ମର୍ମାହତ, ମୁହଁ ବି ଦେଖାଇବାକୁ ଲାଜ ଲାଗୁଛି । କାହା ପାଟିରୁ ବଚନ ବି ବାହାରୁନି । ବାହାରିବ ବା କେମିତି ? ସମସ୍ତେ ଫେଲ୍ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବା କ’ଣ କହିବେ ? ଦି ଦିନ ଧରି ସେ ନିଜେ ପ୍ରଚାର ମଇଦାନକୁ ଯାଇ ବିଜେପିକୁ କଟାକ୍ଷ କରିଥିଲେବି ତାହା ବୁମେରାଂ ହୋଇଯାଇଛି ।
ହେଲେ ବିଜେଡ଼ିର ଗୋଟିଏ ଗୋଷ୍ଠୀ କିନ୍ତୁ ନୂଆପଡ଼ା ପ୍ରଦର୍ଶନକୁ ନେଇ ବେଶ୍ ଖୁସି । ଖୁସି ହେବା ସ୍ୱାଭାବିକ । ଚବିଶ’ ବିପର୍ଯ୍ୟୟ ପାଇଁ ସମସ୍ତେ ତାଙ୍କର ପ୍ରିୟ ସାର୍ଙ୍କ ଉପରେ ଦୋଷ ଲଦିଥିଲେ । ପାଣ୍ଡିଆନଙ୍କ ପାଇଁ ହାରିଲେ ବୋଲି ଓଡ଼ିଶା ସାରା ଗାଇ ବୁଲିଲେ । ଏବେ ତ ପାଣ୍ଡିଆନ୍ ସାର, ନୂଆପଡ଼ା ଦାୟିତ୍ୱରେ ନଥିଲେ । ଏବେ ତାଙ୍କୁ କେହି ଦାୟୀ କରିବେନି । ଏଇ ମଉକାରେ ପାଣ୍ଡିଆନଙ୍କ କୋଟରୀ ନେତା ନେତ୍ରୀମାନେ ସୋସିଆଲ ମିଡ଼ିଆରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଚିତ୍କାର କରୁଛନ୍ତି ‘ପାଣ୍ଡିଆନ୍ ଫେରିଆସ, ପାଣ୍ଡିଆନ୍ ଫେରିଆସ’ । ହେଲେ ଏଇ ସ୍କ୍ରିପ୍ଟ ବହୁ ଆଗରୁ ଲେଖା ହୋଇସାରିଛି । ମଝିରେ ମଝିରେ ସିନ୍ ଅନୁସାରେ ଖାଲି ପାଣ୍ଡିଆନ୍ଙ୍କ କୋଟରୀ ନେତା ନେତ୍ରୀମାନେ ପାଳି କରି ସଂଳାପ ହିଁ କହୁଛନ୍ତି । ଏବେ ପୁଣି ପାଳି ପଡ଼ିଥିବାରୁ କିଛି ନେତା ପାଣ୍ଡିଆନଙ୍କ ପାଇଁ କନ୍ଦାକଟା ଆରମ୍ଭ କରିଦେଲେଣି ।
କେଉଁମାନେ ଚାହୁଁଛନ୍ତି ପାଣ୍ଡିଆନ୍ ଫେରିଆସନ୍ତୁ ? ଯେଉଁମାନେ ପାଣ୍ଡିଆନଙ୍କ ଅନୁଗ୍ରହରୁ ପଦପଦବୀ ପାଇଛନ୍ତି । ଯେଉଁମାନେ କ୍ଷମତା ପାଇଛନ୍ତି । ଯେଉଁମାନେ ସୋସିଆଲ ମିଡ଼ିଆ ଚଳାଇବା ନାଁରେ, ୟୁଟ୍ୟୁବ୍ ନାଁରେ ମାସିକିଆ ବଟି ପାଉଛନ୍ତି, ସେମାନେ କହିବାକୁ ବାଧ୍ୟ । କାରଣ ପାଣ୍ଡିଆନ୍ ଆସିଲେ ହିଁ ଯାଇ ସେମାନଙ୍କ ମନୋସ୍କାମନା ପୂରଣ ହୋଇପାରିବ । ଯେଉଁଠି ନବୀନ ଫେଲ୍ ମାରିଲେ, ସେଠି ପାଣ୍ଡିଆନ୍ କ’ଣ ଅଧିକ କରିପାରିବେ ? ସମାନ ରଣନୀତିରେ ଦଳ ନିର୍ବାଚନ ଲଢ଼ିଲା । ନବୀନ ବାବୁ ବି ପ୍ରଚାରକୁ ଗଲେ । ପାଣ୍ଡିଆନ୍ ପଦାକୁ ବାହାରିଥିଲେ ବିଜେଡ଼ି କ’ଣ ଜିତି ଯାଇଥା’ନ୍ତା କି ? ଏ ପ୍ରଶ୍ନର ଉତ୍ତର ଦେଇପାରିବେ କି ପାଣ୍ଡିଆନ୍ ଫ୍ୟାନ୍ ?
ଅବଶ୍ୟ ବିଜେଡ଼ି ରାଜନୀତିରେ ପାଣ୍ଡିଆନ୍ ଆଉ ପ୍ରମୁଖ ଭୂମିକାରେ ରହିବେନି । ଯେହେତୁ ନିଜ କଥା ରଖି ସେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ତେବେ ସୁଜତା କାର୍ତ୍ତିକେୟନ୍ ବିଜେଡ଼ିର ମଙ୍ଗ ଧରିବାର ଯଥେଷ୍ଟ ସମ୍ଭାବନା ରହିଛି । ପଞ୍ଚାୟତ ନିର୍ବାଚନ ପରେ ସେ ଦଳର ମଙ୍ଗ ଧରିବେ ବୋଲି କୁହାଯାଉଛି । ଅପରପକ୍ଷରେ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ନଥିବା ବେଳେ ୨୦୨୮ ବେଳକୁ ସେ ହିଁ ବିଜେଡ଼ିର ସର୍ବେସର୍ବା ହେବେ । ଅବଶ୍ୟ ସୁଜାତା ମଇଦାନକୁ ଆସିଲେ କିଛି ନେତା ଦଳ ଛାଡ଼ିବା ନିଶ୍ଚିତ। ଅବଶ୍ୟ ସେଦିନ ଦେଖିବାକୁ ବହୁ ସମୟ ବାକି ରହିଛି ।