ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା : ୨୨କୁ ଘୁଞ୍ଚିଲା ଶୁଣାଣି
କଟକ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଲା । ଆସନ୍ତା ୨୨ ତାରିଖରେ କଟକ ଏଡିଜେ କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଖବର ଅନୁଯାୟୀ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାର ଛାନଭିନ କରୁଛି କ୍ରାଇମବ୍ରାଞ୍ଚ । ବୋର୍ଡ଼ର ପୂର୍ବତନ ଉପସଭାପତି ନିହାର ରଂଜନ ମହାନ୍ତିଙ୍କ ସମେତ ୮ ଜଣକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । କ୍ରାଇମବ୍ରାଞ୍ଚ ଏହି ମାମଲାରେ ୨ ଅଭିଯୁକ୍ତକୁ ରିମାଣ୍ଡରେ ନେବା ପାଇଁ କଟକ ଏଡିଜେ କୋର୍ଟରେ ଆବେଦନ କରିଥିଲା । କୋର୍ଟରୁ ଉକ୍ତ ମାମଲାର ଶୁଣାଣି କରି ଅଭିଯୁକ୍ତ ବିଜୟ ଓ ଜିତନକୁ ୨ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । ଏହାପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପୃଥକ ପୃଥକ ଭାବେ ଜେରା କରିଥିଲା । ଦୀର୍ଘ ଘଣ୍ଟାର ଜେରାରେ ଅନେକ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବୋଲି ସୂଚନା ମିଳିଛି । ତେବେ ତଦନ୍ତ ଅଗ୍ରଗତିରେ ଥିବାବେଳେ କୋର୍ଟରେ କ୍ରାଇମବ୍ରାଞ୍ଚ କେସ୍ ଡାଏରୀ ଦାଖଲ କରିପାରି ନାହିଁ । ଯାହାକୁ ଆଧାର କରି କୋର୍ଟରେ କ୍ରାଇମବ୍ରାଞ୍ଚ ଅଧିକ ସମୟ ମାଗିଛି । କୋର୍ଟ ଉକ୍ତ ମାମଲାର ଶୁଣାଣି ଓ ତଥ୍ୟକୁ ଗ୍ରହଣ କରି ଆସନ୍ତା ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ।