୨୫ ଲକ୍ଷ ପ୍ଲଟର ସରିଲାଣି ସର୍ଭେ : ଯାଞ୍ଚ ପରେ ଚାଷୀଙ୍କୁ ଦିଆଯାଉଛି ଟୋକନ 

୨୫ ଲକ୍ଷ ପ୍ଲଟର ସରିଲାଣି ସର୍ଭେ : ଯାଞ୍ଚ ପରେ ଚାଷୀଙ୍କୁ ଦିଆଯାଉଛି ଟୋକନ 

ପଞ୍ଜିକୃତ ଜମିର ଉପଗ୍ରହ ମାଧ୍ୟମରେ ଚାଲିଛି ସର୍ବେକ୍ଷଣ

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଖରିଫ୍‌ ଧାନ ସଂଗ୍ରହ ଜାରି ରହିଛି । ଧାନ ବିକ୍ରୟ ପାଇଁ ପଞ୍ଜିକୃତ ଚାଷୀ ପ୍ରଦାନ କରିଥିବା ଚାଷ ଜମିର ବିବରଣୀକୁ ଆଧାର କରି ଉପଗ୍ରହ ମାଧ୍ୟମରେ ଫଟୋ ଉତ୍ତୋଳିତ କରାଯାଇ ସେହି ପ୍ଲଟଗୁଡିକର ସବିଶେଷ ତଥ୍ୟ ଗ୍ରହଣ କରାଯାଉଛି । ଏହି ପ୍ରକ୍ରିୟାରେ ଅଣଧାନ, ଅଣକୃଷି ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ଚିହ୍ନଟ କରାଯାଉଛି । ଯାହାଦ୍ୱାରା ଧାନସଂଗ୍ରହରେ ସ୍ୱଚ୍ଛତା ବଜାୟ ରହିବା ସହ ପ୍ରକୃତ ଚାଷୀ ଲାଭାନ୍ୱିତ ହୋଇପାରିବେ । ଏଥିନିମନ୍ତେ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।


  ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ ଜିଲ୍ଲାର ୨୬ ଲକ୍ଷ ୧୪ ହଜାର ୧୩୭ ପ୍ଲଟ୍‌ ମଧ୍ୟରୁ ୨୪ ଲକ୍ଷ ୯୪ ହଜାର ୪୩୭ଟି ପ୍ଲଟର କ୍ଷେତ୍ରୀୟ ସର୍ବେକ୍ଷଣ ଶେଷ ହୋଇଛି । ପଞ୍ଜିକୃତ ଜମିର ତଥ୍ୟରେ ତ୍ରୁଟି ପରିଲକ୍ଷିତ ହେଲେ ତାହା ସମବାୟ ସମିତିର ଉପନିବନ୍ଧକଙ୍କ ପାଖକୁ କ୍ଷେତ୍ରୀୟ ସ୍ତରରେ ଯାଞ୍ଚ ପାଇଁ ପଠାଯାଏ । ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ୫ ଲକ୍ଷ ୪୬ ହଜାର ୫୯୧ ପ୍ଲଟରେ ଧାନଚାଷ ହେଉଥିବା ପ୍ଲଟ ଭାବେ ଚିହ୍ନଟ କରାଯାଇଥିବା ବେଳେ ପାଖାପାଖି ୧୯ ଲକ୍ଷ ପ୍ଲଟରେ ଧାନ ଚାଷ ହେଉନଥିବା ଜଣାପଡିଛି । ଏଥିସହ ଚଳିତ ଖରିଫ ବିପଣନ ଋତୁରେ ଅଣଧାନ ଜମିକୁ ଧାନଚାଷ ହେଉଥିବା ପ୍ଲଟ ଭାବେ ଦର୍ଶାଇଥିବା ଚାଷୀମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ସମସ୍ତ ଉପନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ପଞ୍ଜିକୃତ ଜମିର ତିନି ପର୍ଯ୍ୟାୟରେ ସର୍ଭେ କରାଯାଇ ଏହାର ବୈଧତା ଯାଞ୍ଚ କରାଯାଉଛି । ଏଥି ନିମନ୍ତେ ଉପଗ୍ରହ ଦ୍ୱାରା ଉତ୍ତୋଳିତ ଫଟୋର ସହାୟତା ନିଆଯାଉଛି । ଉପଗ୍ରହ ଭଳି ବୈଷୟିକ ବିଦ୍ୟାର ଉପଯୋଗ କରାଯାଇ ଧାନକିଣାରେ ସ୍ୱଚ୍ଛତା ଅଣାଯିବା ସହ ପ୍ରକୃତ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା କରାଯାଇପାରୁଛି ।