ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲଥ୍ ସାଇନ୍ସେସ୍ର ଦ୍ୱିତୀୟ ପ୍ରତିଷ୍ଠା ଦିବସ: ସବୁଠି ପହଞ୍ଚୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା: ରାଜ୍ୟପାଳ

ଭୁବନେଶ୍ୱର: ଆଜି ଲୋକସେବା ଭବନର ରାଜ୍ୟ କନଭେନ୍ସନ୍ ସେଣ୍ଟରରେ ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନସେସ୍ର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି  ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଯୋଗ ଦେଇଥିଲେ । ସେ ତାଙ୍କ ଉଦ୍ବୋଧନରେ କହିଥିଲେ କି,  ଅସମାନତା ଦୂର କରି ଏକ ଉଚିତ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ ଗୁରୁତ୍ୱ ଆରୋପ କରି ରାଜ୍ୟର ସହରାଞ୍ଚଳଠାରୁ ଦୂରଦୂରାନ୍ତ ଗାଁ ପର୍ଯ୍ୟନ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା । ଆମେ ସମସ୍ତେ ସମ୍ମିଳିତ ଭାବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉକôର୍ଷତା ଦ୍ୱାରା ଚିହ୍ନିତ ବିକଶିତ ରାଜ୍ୟ "ବିକଶିତ ଓଡ଼ିଶା' ଏବଂ ଏକ ସୁସ୍ଥ, ସମାବେଶୀ ଏବଂ ପ୍ରଗତିଶୀଳ ରାଷ୍ଟ୍ର "ବିକଶିତ ଭାରତ' ଗଠନ ପାଇଁ କାର୍ଯ୍ୟ କରୁଛେ । ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀ, ଫାକଲ୍ଟି ମେମ୍ବର ଏବଂ ପ୍ରତ୍ୟେକ ସ୍ୱାସ୍ଥ୍ୟ ସେବା ପ୍ରୋଫେସନାଲ ସମାଜକୁ ପରିବର୍ତ୍ତନ କରିବାରେ ସେମାନଙ୍କର ସର୍ବୋତ୍ତମ ଯୋଗଦାନ ଦେବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ରାଜ୍ୟପାଳ ବିଶ୍ୱ ବିଦ୍ୟାଳୟକୁ ଶୁଭେଚ୍ଛା ଜଣାଇଥିଲେ ।
ଏହି ସମାରୋହରେ ସେଣ୍ଟ୍ରାଲ କାଉନ୍ସିଲ୍ ଫର୍ ରିସର୍ଚ୍ଚ ଇନ୍ ଆର୍ୟୁବେଦ ସାଇନ୍ସେସ୍ର ଡାଇରେକ୍ଟର ଜେନେରାଲ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ, ଏଆଇଆଇଏମ୍ଏସ୍ର ପୂର୍ବତନ ନିଦେ୍ର୍ଦଶକ ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ ମହାପାତ୍ର ଏବଂ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟର ଭାଇସ୍ ଚ୍ୟାନ୍ସେଲର ପ୍ରଫେସର ଡ. କମଲ୍ଜିତ୍ ସିଂହ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭରେ ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲଥ୍ ସାଇନ୍ସେସ୍ର ଭାଇସ୍ ଚ୍ୟାନ୍ସେଲର ପ୍ରଫେସର ଡା. ମାନସ ରଂଜନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ ରେଜିଷ୍ଟ୍ରାର ସନ୍ତୋଷୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଜର୍ଣ୍ଣାଲ, ପତି୍ରକା ଏବଂ ଇ-ଜର୍ଣ୍ଣାଲ ଉନ୍ମୋଚିତ ହୋଇଥିଲା ।