୭ ୱିକେଟରେ ଜିତିଲା ଦିଲ୍ଲୀ
ନୂଆଦିଲ୍ଲୀ: ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କଲା ଦିଲ୍ଲୀ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ର ୧୦ମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା । ରବିବାର ବିଶାଖାପାଟଣାରେ ଖେଳାଯାଇଥିବା ଏହି ଲିଗ୍ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ମିଚେଲ୍ ଷ୍ଟାର୍କ ଓ କୁଲଦୀପ ଯାଦବଙ୍କ ଘାତକ ବୋଲିଂରେ ସର୍ବଦା ବିଶାଳ ସ୍କୋର କରୁଥିବା ସନରାଇଜର୍ସ ହାଇଦ୍ରାବାଦ ଆଜି ଆଣ୍ଠେଇ ପଡ଼ିଥିଲା । ଟପ୍ ଅର୍ଡର ବ୍ୟାଟରଙ୍କ ବିଫଳତା ସତ୍ତ୍ୱେ ଅନିକେତ ବର୍ମାଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଇନିଂସ ବଳରେ ସମ୍ମାନଜନକ ସ୍କୋର କରି ପାରିଥିଲା ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ୍ରେ ଟସ୍ ଜିତିବା ପରେ ସନରାଇଜର୍ସ ହାଇଦ୍ରାବାଦ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୧୬୩ ରନ୍ କରି ଦଳ ଅଲ୍ ଆଉଟ ହୋଇଯାଇଥିଲା । ଦିଲ୍ଲୀ ଆଗରେ ବିଜୟ ପାଇଁ ୧୬୪ ରନର ଲକ୍ଷ୍ୟ ଥିଲା ଓ ଏହାକୁ ଦଳ ୧୬ ଓଭରରେ ୩ ୱିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଜେକ୍ ଫେରଜର ମାକ୍ ଗର୍କ ୩୮ ରନ ଓ ଫାଫ୍ ଡୁ ପ୍ଲେସିସ୍ ୫୦ ରନ ଓ ଅଭିଷେକ ପୋରେଲ ୩୪ ରନ କରିଥିଲେ । କେଏଲ ରାହୁଲ ୧୫ ରନ ଓ ଟ୍ରିଷ୍ଟାନ ଷ୍ଟବସ୍ ୨୧ ରନ କରିଥିଲେ ।
ଅନ୍ୟପଟେ ଦଳ ପକ୍ଷରୁ ଅନିକେତ ବର୍ମା ୭୪ ରନର ଦମଦାର ଇନିଂସ ଖେଳିଥିଲେ । ହେନରିକ କ୍ଲାସେନ ୩୨ ରନ ଓ ଟ୍ରେଭିସ୍ ହେଡ୍ ୨୨ ରନ କରିଥିଲେ । ମିଚେଲ୍ ଷ୍ଟାର୍କ ନିଜ ଆଇପିଏଲ୍ କ୍ୟାରିୟରରେ ସର୍ବଶ୍ରେଷ୍ଠ ବୋଲିଂ କରି ୩୫ ରନ ଦେଇ ୫ଟି ସଫଳତା ପାଇଛନ୍ତି । କୁଲଦୀପ ଯାଦବ ୨୨ ରନ ଦେଇ ୩ଟି ୱିକେଟ୍ ନେଇଛନ୍ତି ।
ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ ଆରମ୍ଭରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ୧୧ ରନ୍ ସ୍କୋରରେ ଅଭିଷେକ ଶର୍ମା ୧ ରନ୍, ୨୦ ରନ ସ୍କୋରରେ ଇଶାନ କିଶନ ୨ ଓ ୨୫ ରନ ସ୍କୋରରେ ନୀତିଶ ରେଡ୍ଡୀ ଶୂନ କରି ଆଉଟ୍ ହୋଇଥିଲେ । ଏହା ପରେ ଫର୍ମରେ ଥିବା ଟ୍ରେଭିସ ହେଡ ୨୨ ରନ୍ କରି ଆଉଟ୍ ହୋଇଥିଲେ । ୩୭ ରନରେ ୪ ୱିକେଟ୍ ହରାଇ ମୁସ୍କିଲରେ ପଡିଥିବା ସନରାଇଜର୍ସ ହାଇଦ୍ରାବାଦ ଇନିଂସକୁ ସମ୍ଭାଳିଥିଲେ ଅନିକେତ ବର୍ମା । ଅନିକେତ ଓ ହେନରିକ କ୍ଲାସେନ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ୧୦୦ ପାର କରିଥିଲେ । ଦୁହେଁ ୫ମ ୱିକେଟ୍ ପାଇଁ ୭୭ ରନ ଯୋଡିଥିଲେ । କ୍ଲାସେନ ୧୯ ବଲ୍ରୁ ୩୨ ରନର ଉପଯୋଗୀ ରନ୍ କରିଥିଲେ । ଗୋଟିଏ ପଟେ ୱିକେଟ୍ ଖସି ଚାଲିଥିଲେ ହେଁ ଅନିକେତ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । ନିମ୍ନକ୍ରମରେ କୌଣସି ବ୍ୟାଟର କ୍ରିଜ୍ରେ ତିଷ୍ଠି ପାରି ନ ଥିଲେ । ଅନିକେତ ୪୧ ବଲରୁ ୫ ଚୌକା ଓ ୬ ଛକା ସହ ୭୪ ରନର ଦମଦାର ଇନିଂସ ଖେଳିଥିଲେ । ଦଳ ୧୮.୪ ଓଭରରେ ଅଲଆଉଟ୍ ହୋଇଥିଲା । ବୋଲିଂରେ ଦିଲ୍ଲୀ ପକ୍ଷରୁ ମିଚେଲ୍ ଷ୍ଟାର୍କ ଶାଣିତ ବୋଲିଂ କରିଥିଲେ । ସେ ନିଜ ଆଇପିଏଲ୍ କ୍ୟାରିୟରରେ ସର୍ବଶ୍ରେଷ୍ଠ ବୋଲିଂ କରି ପ୍ରଥମ ଥର ୫ ୱିକେଟ୍ ଅକ୍ତିକାର କରଥିଲେ । କୁଲଦୀପ ଯାଦବ ୨୨ ରନ ଦେଇ ୩ଟି ୱିକେଟ୍ ନେଇଥିଲେ ।