କଳଙ୍କିତ ନ ହେଉ ପରିଚୟ
ଓଡ଼ିଶାରେ ସରକାରୀ ଉଦ୍ୟୋଗ ଭାବରେ ଓମ୍ଫେଡ୍ ବିଭିନ୍ନ ଜିଲ୍ଲାରେ ପ୍ଲାଣ୍ଟ୍ମାନ ବସାଇ ଦୁଗ୍ଧକୁ ଚିଲିଂ କରିବା ସହିତ ଦୁଗ୍ଧ, ଦହି, ଘୋଳଦହି, ବସାଦହି, ଖୁଆ, ପେଡ଼ା ଆଦି ବିଭିନ୍ନ ପ୍ରକାରର ଦୁଗ୍ଧଜାତ ପଦାର୍ଥର ବିକ୍ରି କରୁଛି । ଓଡ଼ିଶାରେ ଦୁଗ୍ଧ ବ୍ୟବସାୟ କରୁଥିବା ଅନ୍ୟାନ୍ୟ କମ୍ପାନୀ ଗୁଡ଼ିକ ବଜାରରେ ବିକ୍ରି କରୁଥିବା ଦୁଗ୍ଧର ବାସନା ଏବଂ ସ୍ୱାଦ ଠାରୁ ଓମ୍ଫେଡ୍ର ସ୍ୱାଦ ଭିନ୍ନ । ବିପୁଳ ସଂଖ୍ୟାରେ ଗ୍ରାହକ ଓମ୍ଫେଡ୍ ଦୁଗ୍ଧର ମାନ ଉପରେ ସନ୍ତୁଷ୍ଟ ଥିବାରୁ ଅନ୍ୟ କମ୍ପାନୀର ଦୁଗ୍ଧ ନକିଣି କେବଳ ଓମ୍ଫେଡ୍ର ଦୁଗ୍ଧ କିଣିଥାନ୍ତି । ଏଇ ଅଳ୍ପ କେତେ ସପ୍ତାହ ତଳେ ପୁରୀ ଶ୍ରୀମନ୍ଦିରକୁ ଓମ୍ଫେଡ୍ କ୍ଷୀର ଯୋଗାଇବ ବୋଲି ଏକ ସମ୍ବାଦ ପ୍ରକାଶ ପାଇଥିଲା । ଏଥିରୁ ଓମ୍ଫେଡ୍ ବ୍ରାଣ୍ଡର ବିଶ୍ୱସନୀୟତା କେତେ ଅଧିକ ଅଛି ତାହା ଜଣାପଡ଼ିଥିଲା । ତେବେ କିଛି ଦିନ ପୂର୍ବରୁ ଓମ୍ଫେଡ୍ର କେତୋଟି ଛୋଟ ଛୋଟ ଶୀତଳୀକରଣ କେନ୍ଦ୍ରରେ ଦୁଗ୍ଧରେ ମିଲ୍କ ପାଉଡ଼ର ଏବଂ ଅନ୍ୟାନ୍ୟ ପଦାର୍ଥ ମିଶାଯାଉଥିବାର ଏକ ଅଭିଯୋଗ ଆସିଥିଲା । ସେତେବେଳେ ଏହି ଅଭିଯୋଗ ଉପରେ କୌଣସି ପ୍ରଶାସନିକ ପଦକ୍ଷେପ ନିଆଯାଇନଥିଲା । ତେବେ ଗତ ୬ ତାରିଖ ଦିନ କଟକ ଜିଲ୍ଲା ବାଲିକୁଦା ବ୍ଲକ୍ର ତରାସାହିରେ ଥିବା ଏକ ଛୋଟ ଶୀତଳୀକରଣ କେନ୍ଦ୍ରରେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଉପ-ଜିଲ୍ଲାପାଳ ଏବଂ ଜିଲ୍ଲା ଖାଦ୍ୟସୁରକ୍ଷା ଅଧିକାରୀ ଏବଂ ତାଙ୍କ ଟିମ୍ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ୪୪ ବସ୍ତା ଦୁଗ୍ଧ ଗୁଣ୍ଡ ସେଠାରୁ ଜବତ୍ ହୋଇଥିଲା । ଏହି ଦୁଗ୍ଧ ଗୁଣ୍ଡର ନମୂନାକୁ ପରୀକ୍ଷା କରିବା ପାଇଁ ଲାବରାଟୋରୀକୁ ପଠାଯାଇଛି । ତରାସାହିର ମାଆ ଛତରେଇ ଦୁଗ୍ଧ ସେବା ସମବାୟ ସମିତିରୁ ଏହି ନକଲି କାରବାର ଚାଲିଥିବା ଅଭିଯୋଗ ଆସିଥିଲା । ଏଠାରୁ ଦୈନିକ ୩ ହଜାର ଲିଟର କ୍ଷୀର ସଂଗ୍ରହ ହେଉଥିବା ଜଣାପଡ଼ିଛି । ତେବେ କେତେ ହଜାର ଲିଟର ଦୁଗ୍ଧ ବଜାରକୁ ଛଡ଼ା ଯାଉଥିଲା ସେ ସମ୍ପର୍କରେ କୌଣସି ତଥ୍ୟ ପ୍ରକାଶ କରାଯାଇନାହିଁ । ଏହି ଶୀତଳୀକରଣ କେନ୍ଦ୍ରରେ କେବେ ଠାରୁ ଏହି କାର୍ଯ୍ୟ ଚାଲିଥିଲା ତାହା ମଧ୍ୟ ଜଣାପଡ଼ିନାହିଁ । ଏଠାରୁ ଦୈନିକ ସଂଗୃହୀତ ହେଉଥିବା ୩ ହଜାର ଲିଟର କ୍ଷୀର ମଧ୍ୟରୁ ସବୁଥିରେ ଅପମିଶ୍ରଣ ହେଉଥିବାର ସନେ୍ଦହ ଉପୁଜିଛି ।
କିଛି ମାସ ତଳେ ବିଶ୍ୱ ସ୍ୱାସ୍ଥ୍ୟ ଙ୍ଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ୍ରେ ଦର୍ଶାଯାଇଥିଲା ଯେ ଭାରତରେ ଦୈନିକ ୧୪ କୋଟିରୁ କିଛି ଅଧିକ ଲିଟର୍ ଦୁଗ୍ଧ ଉତ୍ପାଦିତ ହେଉଥିବା ବେଳେ ବଜାରରେ ୬୦ କୋଟି ଲିଟରରୁ ଅଧିକ ଦୁଗ୍ଧ ବିକ୍ରି ହେଉଛି । ତେଣୁ ଏହା ନିଶ୍ଚିତ ସତ୍ୟ ଯେ ଭାରତର ବଜାରରେ ମିଳୁଥିବା ଦୁଗ୍ଧ ୭୫ ଭାଗ ପର୍ଯ୍ୟନ୍ତ ନକଲି । ବର୍ତ୍ତମାନ ବିଭିନ୍ନ ଦୁଗ୍ଧ କମ୍ପାନୀମାନେ ଗ୍ରାମାଞ୍ଚଳରୁ ଗୋପାଳକମାନଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରି ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ବିଭିନ୍ନ ଦୁଗ୍ଧ ଫେଡ଼େରେସନ୍କୁ ଦୁଗ୍ଧ ଯୋଗାଉଛନ୍ତି । ଏ କ୍ଷେତ୍ରରେ ଓମ୍ଫେଡ୍ ଏକ ବିଶ୍ୱସନାୟ ଏବଂ ଭରସାଯୋଗ୍ୟ ସଂସ୍ଥା । ଶ୍ରୀମନ୍ଦିରରେ ଦୈନିକ ନୀତିକାନ୍ତି ପାଇଁ ଓମ୍ଫେଡ୍ ଘିଅ ବ୍ୟବହାର କରାଯିବାର ନିଷ୍ପତ୍ତି ହୋଇସାରିଛି । ସିଧାସଳଖ ଦୁଗ୍ଧ ବ୍ୟତୀତ ଓମ୍ଫେଡ୍ ପ୍ୟାକେଟ୍ ଦହି, ବସାଦହି, ଘୋଳଦହି ଇତ୍ୟାଦି ବଜାରରେ ବିକ୍ରି ହେଉଛି । ବଜାରରେ ମିଳୁଥିବା ଗାଈଘିଅର ଶୁଦ୍ଧତା ଓ ମାନକୁ ନେଇ ଓମ୍ଫେଡ୍ରୁ ସୁନାମ ରହିଛି । ହେଲେ ଦୁଗ୍ଧ ସମବାୟ ସଂସ୍ଥା ଗୁଡ଼ିକ ଗ୍ରାମାଞ୍ଚଳରେ ରହି ମଧ୍ୟ ଯଦି ଅପମିଶ୍ରଣ କରିବେ, ତେବେ ନିଶ୍ଚିତ ରୂପେ ଏହା ଓମ୍ଫେଡ୍ ସଂସ୍ଥାର ସାମଗ୍ରିକ ବ୍ୟବସାୟ ଉପରେ କୁପ୍ରଭାବ ପକାଇବ । ଲୋକମାନେ ଓମ୍ଫେଡ୍ର ଉତ୍ପାଦିତ ଯେକୌଣସି ପଦାର୍ଥ କିଣିବା ବେଳକୁ ବହୁ ବାର ଚିନ୍ତା କରିବେ । ଭବିଷ୍ୟତରେ ଓମ୍ଫେଡ୍ର ଏଭଳି କୌଣସି ସମସ୍ୟା ନଘଟୁ । କାରଣ ଓମ୍ଫେଡ୍ ମଧ୍ୟ ଓଡ଼ିଶାର ଏକ ପରିଚୟ । ଏ ପରିଚୟ କଳଙ୍କିତ ନହେଉ ।