ଓଡ଼ିଶାରେ ସୁନୀଲ୍ ବଂଶଲ୍ : ତାଲିକା ହେବ ଫାଇନାଲ୍

 ଭୁବନେଶ୍ୱର: କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବେ ଓଡ଼ିଶାରେ  । ଯାହାକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇଯାଇଛି  । ସଂଗଠନ ଓ ସରକାରଙ୍କ ମଧ୍ୟରେ ସୁମନ୍ୱୟ ରକ୍ଷା ସହ ନିଗମ ଅଧ୍ୟକ୍ଷ ତାଲିକା ପ୍ରସ୍ତୁତି ନେଇ ସେ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି  ।
ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ କମିଶନ, ନିଗମ ଅଧ୍ୟକ୍ଷ ପଦ ନେଇ ପ୍ରଥମେ ବିଚାରବିମର୍ଷ କରାଯାଇଛି  । ଏନେଇ ଚୂଡ଼ାନ୍ତ ତାଲିକା ବି ପ୍ରସ୍ତୁତି ସରିଛି  । ତେବେ କେତେକ ପ୍ରସଙ୍ଗରେ ଅଙ୍କ ଛିଣ୍ଡୁନଥିବାରୁ ସେନେଇ ଅଧିକ ବିଚାରବିମର୍ଷ ହୋଇଛି  । ପ୍ରଥମେ କିଛି ନିଗମର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବ  । ପରେ ଆଉ ଏକ ଦଫାରେ ଆଉ କେତେକଙ୍କ ନାମ ଘୋଷଣା ହେବ  । ଏହାଛଡ଼ା ଆଗାମୀ ଦିନରେ ମନମୋହନ ସାମଲ ନୂଆ ଟିମ୍ ବି ଘୋଷଣା କରିବେ  । ସେ ସଂକ୍ରାନ୍ତରେ ବି ଆଲୋଚନା ହୋଇଥିବା ଜାଣିବାକୁ ମିଳିଛି  । ସମ୍ଭବତଃ ଚଳିତ ମାସରେ ହିଁ ନିଗମ ଅଧ୍ୟକ୍ଷଙ୍କ ନାମ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି  । 
ଖାଲି ସେତିକିନୁହେଁ, ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ଖୁବଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ  । ଜିଲ୍ଲା ସଭାପତି ଓ ମଣ୍ଡଳ ସଭାପତିମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ବି କରାଯିବ ବୋଲି ଜାଣିବାକୁ ମିଳିଛି  ।