ବିଜାପୁରରେ ଗୁଳି ବିନିମୟ ୨ ଡିଆରଜି ଯବାନ ଆହତ
ରାୟପୁର: ଛତିଶଗଡର ବିଜାପୁରରେ ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୨ଜଣ ଡିଆରଜି ଯବାନ ଆହତ ହୋଇଛନ୍ତି । ଗଙ୍ଗାଲୁର ଜଙ୍ଗଲରେ ମଙ୍ଗଳବାର ଦିନ ଏହି ଗୁଳିବିନିମୟ ଘଟିଥିବା ବସ୍ତର ପୁଲିସ ସୂଚନା ଦେଇଛି ।
ବିଜାପୁରର ଗଙ୍ଗାଲୁର ଅଞ୍ଚଳରେ ମାଓବାଦୀ କ୍ୟାଡରଙ୍କ ଉପସ୍ଥିତି ବିଷୟରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ସୋମବାର ଦିନ ଡିଆରଜିର ଏକ ଦଳ ସର୍ଚ୍ଚ ଅପରେସନ ପାଇଁ ବାହାରିଥିଲା । ଆଜି ଗୁଳିବିନିମୟରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି ଓ ପ୍ରାଥମିକ ଚିକିସôା ପରେ ତୁରନ୍ତ ସେମାନଙ୍କୁ ଏୟାର ଲିଫ୍ଟ କରାଯାଇ ରାୟପୁର ପଠାଯାଇଛି । ଉଭୟଙ୍କ ଅବସ୍ଥା ସ୍ଥିର ଏବଂ ବିପଦମୁକ୍ତ ରହିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ଏବେ ବି ଗୁଳି ବିନିମୟ ଚାଲୁ ରହିଛି । ଅନେକ ମାଓବାଦୀ ଆହତ ହୋଇଥିବାର ସମ୍ଭାବନା ରହିଛି । ଗତ ୧୮ ମାସ ମଧ୍ୟରେ ବସ୍ତର ରେଞ୍ଜରେ ବିଭିନ୍ନ ଏନକାଉଣ୍ଟରରେ ୪୨୫ ଜଣ ମାଓ କ୍ୟାଡରଙ୍କ ମୃତୁ୍ୟ ହୋଇଛି । ବସ୍ତର ଡିଭିଜନର ସାତଟି ମାଓ ପ୍ରଭାବିତ ଜିଲ୍ଲା ମଧ୍ୟରୁ ବିଜାପୁରକୁ ଦକ୍ଷିଣ ଛତିଶଗଡ଼ରେ ଲାଲ ବାହିନୀର କେନ୍ଦ୍ରସ୍ଥଳ ଭାବରେ ଦର୍ଶାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି ଯେ ଦେଶ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓମୁକ୍ତ ହେବ ।