କଠୋର ବାସ୍ତବତାର ଆହ୍ୱାନ
ମାୟାଧର ନାୟକ : ଯେଉଁମାନଙ୍କ ଲୁହଲହୁରେ ସାରା ଦୁନିଆର ସଂପଦ ଗଢ଼ିଉଠିଲା, ସେହି ଶ୍ରମଜୀବୀ ଶ୍ରେଣୀକୁ ଭୋକ, ଶୋଷ, ଦୁଃଖ, କଷ୍ଟ, ନିର୍ଯାତନାରେ ଡହଳବିକଳ ହୋଇ ମରିଯିବା ଦେଖି ସେଦିନ କାର୍ଲ ମାର୍କ୍ସ ଧୈର୍ଯ୍ୟ ଧରି ରହିପାରି ନଥିଲେ । ଶୋଷଣର କାରଣ ଖୋଜିବାକୁ ଯାଇ ଦିନରାତି ବିଶ୍ୱର ମହାମନୀଷୀଙ୍କ ପୁସ୍ତକ ପଢ଼ିବାରେ ଲାଗିଲେ । ଲେଖିଲେ ଦାସ କ୍ୟାପିଟାଲ । ଉଦ୍ଭାବନ କଲେ ବୈଜ୍ଞାନିକ ସମାଜତତ୍ତ୍ୱ । ଘୋଷଣା କଲେ - ସର୍ବହରାର ହରେଇବାର କିଛି ନାହିଁ, କେବଳ ଶୃଙ୍ଖଳା ଛଡ଼ା । ଦୁନିଆର ମଜଦୁର ଏକ ହୁଅ । ବଂଚିବା ପାଇଁ ଲଢେ଼ଇ କର । ଏସବୁ କଥା ୧୫୦ ବର୍ଷ ତଳର । ମାର୍କ୍ସଙ୍କର ମୃତ୍ୟୁ ୧୨୫ବର୍ଷହେଲାଣି । ସେଦିନ ମାର୍କ୍ସଙ୍କର ଏହି କଠୋର ବାସ୍ତବତାକୁ ପୁଂଜିବାଦୀ ସାମ୍ରାଜବାଦୀ ଦେଶମାନେ ହସି ଉଡାଇଦେଇଥିଲେ । ମାର୍କ୍ସ କହିଥିଲେ : ପୁଂଜିବାଦ-ସାମ୍ରାଜ୍ୟବାଦର ଏକମାତ୍ର ବିକଳ୍ପ ସମାଜବାଦ-ସାମ୍ୟବାଦ । ସମଗ୍ର ବିଶ୍ୱରେ ଏବେ ପୁଞ୍ଜିବାଦ ଗୁରୁତର ସଂକଟର ସମ୍ମୁଖୀନ । ଏଭଳି ପରିସ୍ଥିତିରେ ପାଶ୍ଚାତ୍ୟ ସମାଜ ପୁଣି ଥରେ ସାମ୍ୟବାଦର ମହାନ୍ ଚିନ୍ତାନାୟକ କାର୍ଲ ମାର୍କ୍ସଙ୍କ ଆଡ଼କୁ ମୁହଁ ଫେରାଉଛି । ୟୁରୋପରେ ସମ୍ପ୍ରତି ମାର୍କ୍ସଙ୍କ ଯୁଗାନ୍ତକାରୀ ପୁସ୍ତକ ‘ଦାସ କାପିଟାଲ’ର ବିକ୍ରି ଯଥେଷ୍ଟ ବଢ଼ିଛି । ବିଶେଷକରି ମାର୍କ୍ସଙ୍କ ନିଜ ଦେଶ ଜର୍ମାନୀରେ ଏହି ପୁସ୍ତକର ଚାହିଦା ଏତେ ବଢ଼ିଛିଯେ ଏହା ଆଉ କିଣିବାକୁ ମିଳୁ ନାହୁଁ । ବିଫଳ ବ୍ୟାଙ୍କର ଓ ମୁକ୍ତ-ବଜାର ଅର୍ଥନୀତିଜ୍ଞ ଏହି ବହି ପଢ଼ି ସାମ୍ପ୍ରତିକ ବିଶ୍ୱ ଅର୍ଥନୈତିକ ବିପର୍ଯ୍ୟୟ ସମ୍ପର୍କରେ କାରଣ ଅନୁଧ୍ୟାନ କରୁଛନ୍ତି । କେବଳ ସେତିକି ନୁହେଁ; ଜର୍ମାନୀରେ ଏବେ କାର୍ଲ ମାର୍କ୍ସ ଓ ଫ୍ରେଡେ଼ରିକ ଏଙ୍ଗେଲସ୍ଙ୍କ ପୁସ୍ତକସମୂହର ବିକ୍ରିବଟା ତିନିଗୁଣ ବଢ଼ିଛି । ଯୁବପିଢ଼ି ଏବେ ମାର୍କ୍ସଙ୍କ ଲେଖା ପ୍ରତି ବେଶି ଆଗ୍ରହ ପ୍ରକାଶ କରୁଛନ୍ତି ଓ ସାମ୍ପ୍ରତିକ ବିଶ୍ୱ ଆର୍ôଥକ ପରିସ୍ଥିତି ପରିପ୍ରେକ୍ଷୀରେ ନବ୍ୟ-ଉଦାରବାଦ କିପରି ବିଫଳ ହୋଇଛି, ତାହାକୁ ସ୍ୱୀକାର କରୁଛନ୍ତି । ଆହୁରି ଉଲ୍ଲେଖନୀୟ ଘଟଣାହେଲା ଟ୍ରୟରସ୍ଥିତ ମାର୍କ୍ସଙ୍କ ଜନ୍ମସ୍ଥଳୀକୁ ଦର୍ଶକଙ୍କ ସଂଖ୍ୟା ନାଟକୀୟ ଭାବେ ବୃଦ୍ଧି ପାଇଛି । ଯେଉଁ ନେତାମାନେ ଏକଦା କାର୍ଲ ମାର୍କ୍ସଙ୍କୁ ତୀବ୍ର ସମାଲୋଚନା କରୁଥିଲେ, ଏବେ ସେମାନେ ଏହି ପ୍ରଖ୍ୟାତ ସାମ୍ୟବାଦୀ ଚିନ୍ତାନାୟକଙ୍କ ସାମାଜିକ-ଅର୍ଥନୀତିକୁ ଗଭୀରଭାବେ ଅନୁଧ୍ୟାନ କରୁଛନ୍ତି । ସୂଚନାଯୋଗ୍ୟ ଯେ ‘ଦାସ କାପିଟାଲ’ରେ ସମାଜ ଓ ଅର୍ଥନୀତି ସମ୍ପର୍କରେ ମାର୍କ୍ସ ଅନେକ ଚିନ୍ତାଉଦ୍ରେକକାରୀ ତଥ୍ୟ ପ୍ରଦାନ କରିଛନ୍ତି । ଫରାସୀ ରାଷ୍ଟ୍ରପତି ନିକୋଲାସ ସାରକୋଜି, ଜର୍ମାନ ଅର୍ଥମନ୍ତ୍ରୀ ପିୟର ଷ୍ଟେନବ୍ରକ୍, ପୋପ୍ ବେନେଡ଼ିକ୍ଟ ଷୋଡଶ, କେଂଟରବରୀର ଆର୍କବିଶପ ରୋୱାଓ ଉଇଲିୟମ ‘ଦାସ କାପିଟାଲ’ ପଢ଼ି ଏହା ଉପରେ ଉଚ୍ଚ ମତାମତ ଦେଇଛନ୍ତି । ସେହିଭଳି ମୁକ୍ତ ଅର୍ଥନୀତିର ପ୍ରମୁଖ ସମର୍ଥକ ବ୍ରିଟିଶ ଖବରକାଗଜ ‘ଦି ଟାଇମ୍ସ’ ଓ ‘ଦି ଡେଲୀ ଟେଲିଗ୍ରାଫ୍’ ହଠାତ୍ ମାର୍କ୍ସଙ୍କ ଦର୍ଶନ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି । ସମସ୍ତେ ଏବେ ଅନୁଭବ କରୁଛନ୍ତିଯେ ଅନିୟନ୍ତ୍ରିତ ପୁଞ୍ଜିବାଦ ଓ ଲଗାମଛଡା ଆର୍ଥିକ ଉଦାରବାଦର ଗୁରୁତର ପରିଣତି ସମ୍ପର୍କରେ ଏକଦା ମାର୍କ୍ସଙ୍କ ବିରୋଧୀମାନେ ଏହା ସ୍ୱୀକାର କରିବା ସବୁଠୁ ବଡ଼଼ କଥା ।
ପ୍ରତ୍ୟେକ ମଣିଷ ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ ସର୍ବାଗ୍ରେ ପ୍ରୟୋଜନ; ଆଉ ସବୁ ପରେ । ଏଥିପାଇଁ ଉତ୍ପାଦନ ସାମାଜିକ ହେବ, ବଂଟନ ମଧ୍ୟ ସାମାଜିକ ହେବ । ଏହି ପ୍ରକ୍ରିୟାରେ ହିଁ ବିଶ୍ୱ ସାମ୍ୟବାଦ ପ୍ରତିଷ୍ଠାହେବ । ସମାଜବାଦରେ ପୁଂଜିର ମାଲିକ ରାଷ୍ଟ୍ର ଏବଂ ପ୍ରସାରଣ, ବିତରଣ ମଧ୍ୟ ରାଷ୍ଟ୍ରର ଦାୟିତ୍ୱ । ପୁଂଜିବାଦରେ ପୁଂଜି ମାଲିକାନା ବ୍ୟକ୍ତିଗତ ପୁଂଜିପତିଙ୍କ ଦ୍ୱାରା ସଂଚାଳନ କରାଯାଇ ବ୍ୟକ୍ତିଗତ ସ୍ୱାର୍ଥରେ ପ୍ରସାରଣ କରାଯାଉଥିବାରୁ ଦିନେ ପୁଂଜିବାଦ ନିଜେ ଖୋଳୁଥିବା ଗାତରେ ନିଜେ ସମାଧି ନେବାକୁ ବାଧ୍ୟ ହେବ । କଥାରେ ଅଛି - ଟଂକା ଖାଇ ଗୋଡ଼ାଏ, ଟଙ୍କା ଚାହେଁ ସମସ୍ତଙ୍କ ପକେଟରେ ଘୂରିବୁଲିବାକୁ । ସେ ସମସ୍ତଙ୍କର ସେବା କରିବାକୁ ଚାହେଁ; ତାକୁକେହି ବନ୍ଦୀ କରି ରଖିଲେ, ବିସ୍ଫୋରଣ ହେବ ହିଁ ହେବ ଯାହା ଏବେ ସମଗ୍ର ବିଶ୍ୱରେ ହୋଇଛି । କାର୍ଲ ମାର୍କ୍ସ ପୁଂଜି ପରିଚାଳନାର ବିଭିନ୍ନ ଦିଗ ସଂପର୍କରେ ବିଶଦ ଆଲୋଚନା କରିଦେଖାଇ ଦେଇଛନ୍ତି । ବର୍ତମାନ ଆର୍ôଥକ ସଂକଟ ବେଳେ ପୁଂଜିବାଦୀଦେଶମାନେ ‘ଦାସ କ୍ୟାପିଟାଲ’ ଖୋଜିଖୋଜି ପଢ଼ିବାରେ ବ୍ୟସ୍ତ । ମୃତ୍ୟୁଶଯ୍ୟାରେ ଶୋଇଥିବା ପୁଂଜିବାଦକୁ ସାଲାଇନ ଦେଇ କେତେଦିନ ବଂଚେଇହେବ? ପୁଂଜିବାଦ ଧ୍ୱଂସମୁଖୀ - ସେଇ ଧ୍ୱଂସସ୍ତୂପ ମଧ୍ୟରୁ ପୁଣିଥରେ ନୂଆ ନିଆରା ରୂପ ନେଇ ସମାଜବାଦ ଆସୁଛି । ଏହା ହିଁ ଶୁଭଲକ୍ଷଣ । ଏଠାରେ ସ୍ମରଣ କରେଇ ଦିଆଯାଇପାରେ, ମାର୍କ୍ସଙ୍କ ବୈଜ୍ଞାନିକ ସମାଜବାଦ ତତ୍ତ୍ୱକୁ ଗଭୀରଭାବେ ବିଶ୍ଳେଷଣ ଓ ଅନୁଧ୍ୟାନ ତଥା ପ୍ରୟୋଗ କରି ପୁଂଜିବାଦ ସାମ୍ରାଜ୍ୟବାଦର ବକ୍ଷ ବିଦାରି ବିଶ୍ୱରେ ସର୍ବପ୍ରଥମେ ମହାନ ଲେନିନଙ୍କ ନେତୃତ୍ୱ୍ୱରେ ୧୯୧୭ ମସିହାରେ ସୋଭିଏତ ରୁଷରେ ସମାଜବାଦ ପ୍ରତିଷ୍ଠା ହୋଇଥିଲା । ମାତ୍ର ତତ୍ତ୍ୱ ଓ କର୍ମର ସଠିକ ପ୍ରୟୋଗ ଅଭାବରୁ ୭୦ ବର୍ଷ ପରେ ସମାଜବାଦରୁ ସାମ୍ୟବାଦ ପିଚ୍ଛିଳ କଷ୍ଟସାଧ୍ୟ ରାସ୍ତାରେ ଯାଇ ନ ପାରି ପୁଣି ଶୋଷଣ ମୂଳକ ପୁଂଜିବାଦୀ ରାସ୍ତାକୁ ଖସି ଆସିଲା ।
ସାଧାରଣ ମଣିଷ, ଶ୍ରମଜୀବୀ ମଣିଷ କେବେଠୁଁ ରାସ୍ତା ହଜେଇ ଦେଇଛନ୍ତି । ଏବେ ପ୍ରାଚୀନପନ୍ଥୀହେଲେ ଚଳିବନାହିଁ । ନୂଆ ଚିନ୍ତା ଆବଶ୍ୟକ । ପୂର୍ବରୁ ସୂଚାଇ ଦିଆଯାଇଛି ଯେ ମାର୍କିନ୍ ମାର୍କେଟ୍ ତରଫରୁ ତମାମ୍ ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଦେଲା ଭଳି ଗୋଟାଏ ତାଜା ତଟକା ଅପପ୍ରଚାର - ଅର୍ଥନୈତିକ କ୍ଷେତ୍ରରେ ମାରାତ୍ମକ ମାନ୍ଦାବସ୍ଥା । ଏ ଅଭୂତପୂର୍ବ ଅର୍ଥନୈତିକ ଅଥର୍ବତା ବା ମାରାତ୍ମକ ମାନ୍ଦାବସ୍ଥାକୁ ମିଡିଆ ମାଧ୍ୟମରେ ଏଭଳି ହରଦମ୍ ହୁରିକଲାଭଳି ପ୍ରଚାର କରାଯାଉଛ ଯେ ଅବସ୍ଥା ଅସମ୍ଭାଳ । କୁଆଡେ଼ ବଡ଼଼ ବଡ଼଼ ବିଦେଶୀ କମ୍ପାନୀବର୍ଗ ପୂରାପୂରି ଦେବାଳିଆ ହେବା ଉପରେ - ଅତଏବ ସାରାପୃଥିବୀ ସଂପ୍ରତି ସଂକଟଜନକ ରୁଗ୍ଣଶିଳ୍ପର ସଂକ୍ରମଣରେ ନିଜର ପୂର୍ବ ପ୍ରତିଷ୍ଠା ହରାଇବାକୁ ଯାଉଛି ! ଛୋଟ ଛୋଟ କମ୍ପାନୀ ନିଜ କଳକାରଖାନା ଗୁଡିକର କବାଟରେ ଏବେ କୋଲପ ପକାଇଦେବାକୁ ବସିଲେଣି । ଯେଉଁଦେଶୀ ଉଦ୍ୟୋଗପତିମାନେ ବିଦେଶୀ ପୁଞ୍ଜିପତିବର୍ଗ ଦ୍ୱାରା ପରିଚାଳିତ ସଂସ୍ଥାର ସହାୟତାରେ ସମୃଦ୍ଧିର ସ୍ୱପ୍ନଦେଖୁଥିଲେ, ସେମାନେ ଛାନିଆହୋଇ ଏବକୁ ଏବେ ସୁରୁ କରିଦେଲେଣି ଚଟାପଟ ଛଟେଇର ଛଟପଟ ଚକ୍କର ! ଲକ୍ଷଲକ୍ଷ କର୍ମନିଯୁକ୍ତ ମଣିଷଙ୍କୁ ଏଇ ଚକ୍କରରେ କରିଦିଆଯିବ କୁଂଚିତ କୂର୍ମ! ସେମାନେ ହୋଇଯିବେ ପୁଣିସେଇ ବେକାର ବାହିନୀର ବେରୋଜଗାର ବେତାଳ! ଅଥଚ ବର୍ଷ ବର୍ଷ ଧରି ମୁନାଫା ମହଜୁଦ କରିଆସିଥିବା ଦେଶୀ ବିଦେଶୀ କମ୍ପାନୀ ମାଲିକବର୍ଗ ନିଜ ନିଜ ଗଚ୍ଛିତ ଗୁପ୍ତଧନର ସିନ୍ଦୁକରୁ କାଣିଚାଏ ଯଦି କାଢ଼ିପାରନ୍ତେ, ତା’ହେଲେ ମାର୍କିନ୍ ମାର୍କେଟ୍ ଦ୍ୱାରା ପ୍ରାୟୋଜିତ ଉପରୋକ୍ତ ଅପ୍ରଚାରିତ ଅର୍ଥନୈତିକ ମାନ୍ଦାବସ୍ଥା-ଫାର୍ସ୍ ବା ପ୍ରହସନକୁ ଅନାୟାସରେ ରୋକା ଯାଇପାରନ୍ତା । ମାତ୍ର ଏହାସେମାନଙ୍କର ଉଦ୍ଦେଶ୍ୟ ନୁହେଁ ।ସେମାନଙ୍କର ଅସଲ ଅଭିସନ୍ଧି ହେଲା ଏ ପ୍ରକାର ଅପପ୍ରଚାରର ସୁଯୋଗ ନେଇ ତୁରନ୍ତ ଛଟେଇର ଛାଟ ମାରି ଶିଳ୍ପଶ୍ରମିକ ଓ କର୍ମଜୀବୀଙ୍କୁ ସମୂଳେ ଉଚ୍ଛେଦ କରିବା । ଅର୍ଥନୈତିକ ମାନ୍ଦାବସ୍ଥାକୁ ଦ୍ରୁତବେଗରେ ଏବେ ସମ୍ବାଦପତ୍ରଠୁ ଆରମ୍ଭ କରି ଦୂରଦର୍ଶନ ପର୍ଯ୍ୟନ୍ତ ବିଭିନ୍ନ ଗଣମାଧ୍ୟମରେ ଏଭଳି କୀର୍ତ୍ତନ କରାଯାଉଛି ଯେ ସରଳ ନିରୀହ ନାଗରିକମାନେ ତ୍ରସ୍ତସଂତ୍ରସ୍ତ ।
ବର୍ତ୍ତମାନ ବିଶ୍ୱ ବଜାରକୁ ନିୟନ୍ତ୍ରଣ କରୁଛି ଆମେରିକା । ଆମେରିକା ହେଉଛି କୁତ୍ସିତ କୁବେରତନ୍ତ୍ରର ସେଇ କଳା କାରବାରୀ କାର୍ପଟ୍ଦାର୍, ଯିଏ ଅର୍ଥ ଦ୍ୱାରା ଅନର୍ଥ ଭିଆଏ ସାରା ପୃଥିବୀରେ । ଅର୍ଥ ବିନିମୟରେ ଏହି ସଂସ୍କୃତିହୀନ ୟାଙ୍କି ସଭ୍ୟତା ଅନ୍ୟଠୁ କିଣିନିଏ ବୁଦ୍ଧି, ବୈଷୟିକ ଜ୍ଞାନକୌଶଳ ଓ ବିରଳ ପ୍ରତିଭା । ଧରାକୁ ସରା ମଣୁଥିବା ଏହି ମାରାତ୍ମକ ମହାଦେଶର ମୁନାଫାଖୋର୍ ବେପାରୀ ମହାଜନମାନେ ବର୍ତ୍ତମାନ ତୃତୀୟ ବିଶ୍ୱ ସମେତ ବହୁ ୟୁରୋପୀୟ ଓ ଏସୀୟ ରାଷ୍ଟ୍ରଙ୍କୁ ନିଜ ଯୁକ୍ତି ଓ ଚୁକ୍ତିରେ ବାନ୍ଧିସାରିଲେଣି । ସେମାନେ ଗୋଟାଏ ପଟେ ଆତଙ୍କବାଦର ନିଅଁ ପକାଇ ଆଉ ଗୋଟାଏ ପଟେ ସେଇ ଆତଙ୍କବାଦର ନିଆଁ ଲିଭାଇବା ପାଇଁ ନୀତିବାଣୀ ଶୁଣାଇ ପାରନ୍ତି । ନୀତି କୁହ, ନ୍ୟାୟ କୁହ, ମାନବିକ ମୂଲ୍ୟବୋଧ କୁହ - କିଛି ମାନନ୍ତିନି ଏ ମାର୍କିନ୍ ମାର୍କେଟ୍ର ମସ୍ତ ମାତବରମାନେ । ସେମାନେ ବିଭିନ୍ନଦେଶରେ ବାଣିଜ୍ୟ ବ୍ୟବସାୟର ବ୍ୟୂହ ବିସ୍ତାର କରି ପ୍ରଥମେ ଦୁର୍ନୀତିଗ୍ରସ୍ତ କରାଇବାକୁ ଚକ୍ରାନ୍ତ କରନ୍ତି ଶାସନବ୍ୟବସ୍ଥାକୁ । ସରକାର ଗଢ଼ାନ୍ତି ଓ ଭଙ୍ଗାନ୍ତି - ତାପରେ ନିଲାମ କରିନେବାକୁଚେଷ୍ଟା କରନ୍ତି ପ୍ରତିବାଦଶୀଳ ଓ ପ୍ରଗତିଶୀଳ ପ୍ରତିଭାମାନଙ୍କୁ । ଆମେରିକାର କୁଖ୍ୟାତ ଗୁପ୍ତଚର ଚକ୍ର ସିଆଇଏ ଭିତରେ ଏବେ ଫାଟ ସୃଷ୍ଟି ହୋଇସାରିଥିବାର ଭିତିରିଖବର ଶୁଣାଯାଉଛି । ଯଦି ଏହା ସତ୍ୟ ହୋଇଥାଏ, ତା’ହେଲେ ଅଦୂର ଭବିଷ୍ୟତରେ ସିଆଇଏ ମାଧ୍ୟମରେ ସାରା ପୃଥିବୀକୁ ଆମେରିକା କିପରି ଚଳୁ କରିଦେବାର ବହୁବିଧ ଯୋଜନାର ଫିକା ଫର୍ଦ୍ଦ ପ୍ରସ୍ତୁତ କରିଛି - ଏ ବାବଦରେ ଅଜସ୍ର ବିସ୍ମୟକର ତଥ୍ୟ ପଦାରେ ପଡ଼ିବ ।
ଆମେରିକା - ଏକ ଆରଣ୍ୟକ ଅର୍ଥନୀତିର ଅତିକାୟ ଅଜଗର । ସେ ଗିଳିବାକୁ ଯାଉଛିକେବଳ ଏ ଗ୍ରହ ନୁହେଁ, ଆର ଗ୍ରହ - ଏପରିକି ଅନ୍ୟାନ୍ୟ ଆକାଶର ଉପଗ୍ରହ ମଧ୍ୟ । ସ୍ୱର୍ଗମର୍ତ୍ତ୍ୟପାତାଳ - ସବୁ ଅସମ୍ଭାଳ - ଆମେରିକାର ଏ ସର୍ବଗ୍ରାସୀ ଆକାଂକ୍ଷା ଆଗରେ । ଯେଉଁ ମହାଦେଶରେ ଲିଙ୍କନ୍ଙ୍କ ପରି ମାନବତାବାଦୀ ନେତୃପୁରୁଷ ଓ ହୁଇଟ୍ମ୍ୟାନ୍ଙ୍କ ପରି ସକାରାତ୍ମକ ଗଣତନ୍ତ୍ରର ସଭାକବି ଜନ୍ମ ହୋଇସାରିଛନ୍ତି, ସେଠି ସାରା ମଣିଷଜାତିର ସ୍ୱପ୍ନକୁ ଭାଙ୍ଗିଚୂରିଦେବାର ନକାରାତ୍ମକ ଦୃଷ୍ଟିଭଂଗୀ ପ୍ରଶ୍ରୟ ପାଇଲା କିଭଳି ? ହ୍ୱାଇଟ୍ ହାଉସ୍ର ରାଜନୀତି ଆମେରିକୀୟ ଅର୍ଥକୁବେରମାନଙ୍କ ଅଙ୍ଗୁଳି ଚାଳନାରେ ବସ୍ଉଠ୍ ହେବାକୁ ମଙ୍ଗିପାରିଲା କିପରି ? ମନେଅଛି ଏଇ କେଇ ବର୍ଷ ତଳର ସେ ବର୍ବର ବ୍ୟାପାର ? ବୁଶ୍ ଶାସନର ରାଜନୈତିକ କୂଟଚକ୍ରାନ୍ତ ଦ୍ୱାରା କବଳିତ ହୋଇ କଏଦୀହେଲେ ସଦ୍ଦାମ ହୁସେନ୍ - ଯିଏ ଥିଲେ ଏକଦା ଆରବୀୟ ମହାଜାତିର ଏକ ଦୁର୍ଦ୍ଧର୍ଷ ଅଧିନାୟକ । ତାଙ୍କୁ ଫାଶୀଦଣ୍ଡ ଦିଆଗଲା ବୁଶ୍ ଶାସନର ଦୁଷ୍ମନ୍ ରୂପେ ଏକତରଫା ବିଚାର କରି । ମାତ୍ର ସବୁଠୁ ବର୍ବର ଘଟଣାହେଲା, ଜଣେ ବିଶ୍ୱବିଖ୍ୟାତ ରାଜନେତାଙ୍କ ମୃତ୍ୟୁଦଣ୍ଡକୁ ଦେଶବିଦେଶର ଦୂରଦର୍ଶନରେ ପ୍ରତ୍ୟକ୍ଷଭାବରେ ପ୍ରସାରଣ କରାଯିବାର ଅବିଚାରିତ ଆମେରିକୀୟ ଆଭିମୁଖ୍ୟ ! ଅର୍ଥାତ୍ - ହେ ବିଶ୍ୱବାସୀ, ହେ ବିଭିନ୍ନଦେଶବାସୀ, ଦେଖ, ଦେଖ, ଦେଖ - ଆଖିବାଟେ ଏ ନାରକୀୟ ଦୁର୍ଦ୍ଦଶା ଦେଖି ମୁଣ୍ଡ ପୋତିଦିଅ ଚୁପ୍ଚାପ୍ - ଯିଏ ଆମେରିକାକୁ ଅବଜ୍ଞା କରିବ, ତା’ ପାଇଁ ଏଭଳି ଫୁଙ୍ଗୁଳା ଫାଶୀଦଣ୍ଡାଜ୍ଞା! ସତକୁ ସତ ସେଦିନ ସଦ୍ଦାମ ହୁସେନ୍ଙ୍କ ଅବିଚଳିତ ଇସ୍ପାତୀ ମୁହଁ ଉପରେ ଜହ୍ଲାଦ ଆମେରିକା ଯେତେବେଳେ କଳାକନା ଘୋଡାଇଦେଇ ତାଙ୍କୁ ବଧ୍ୟମଂଚକୁ ଟାଣିନେଇଗଲା, ସେତେବେଳେ ସ୍ତବ୍ଧ ପୃଥିବୀ ଶବ୍ଦଟିଏ ବି ଉଚ୍ଚାରଣ କରିପାରିନଥିଲା! ସଦ୍ଦାମ ହୁସେନ ଥିଲେ ଭାରତର ଜଣେ ଜୋର୍ଦାର୍ ସମର୍ଥକ । ମାତ୍ର ଆମେରିକାର ବୁଶ୍ ସରକାରକୁ ଖୁସ୍ କରିବାକୁ ଯାଇ ଭାରତ ଭଳି ପୃଥିବୀର ସର୍ବବୃହତ୍ ଗଣତନ୍ତ୍ର ମଧ୍ୟ ନିଷ୍କ୍ରିୟ ଭୂମିକା ନିର୍ବାହ କରିଥିବାର ନିର୍ଲଜ୍ଜତା ପ୍ରଦର୍ଶନ କରିଥିଲା ସେଦିନ । ତାପରେ ତ ପ୍ରଚୁର ଜଳ ବହିଗଲା ସିନ୍ଧୁରୁ ଗଙ୍ଗାଯାଏ, ପ୍ରଚୁର ବରଫ ପଡ଼ିଲା ଏଭରେଷ୍ଟରୁ ଉତ୍ତର ଉପତ୍ୟକା ଯାଏ । ସୁନାଚଢେ଼ଇ ସୋନିଆ ଗାନ୍ଧୀଙ୍କ ଶୂନ୍ୟକଳସ କୃପାରେ ହସ୍ତୀ ମନମୋହନ ସିଂହେଲେ ପ୍ରଧାନମନ୍ତ୍ରୀ ଓ ଆମେରିକା ସହିତ ଅର୍ଥନୈତିକ ସ୍ତରରେ ଚଲାଇଲେ ବୁଝାମଣା । ତା’ପରେ ପରେ ଦେଖିଲୁ ପାର୍ଲାମେଂଟକୁ ଯାଇଥିବା ଆମର କତିପୟ ରାଜନୈତିକ ମାନ୍ୟବର ମାତବରଙ୍କ ଅର୍ଥନୈତିକ ବିକାକିଣା । ଏତେ ଏତେ ଅକଳ୍ପନୀୟ ଅର୍ଥ ଯେଉଁ ଆମେରିକା ଅକାତରରେ ଅଜାଡ଼ି ଦେଇପାରେ, ତଥାକଥିତ ସେଇ ଦାତାପ୍ରବକ୍ତା ମହାଜନ ମହାଦେଶର ଅର୍ଥନୀତି ଏବେ ହଠାତ୍ ଅକର୍ମଣ୍ୟ ହେବାକୁ ବସିଛି - ଏହା କେବେ ବିଶ୍ୱାସଯୋଗ୍ୟ କି? ତଳେଇ କରି ଭାବ ଟିକିଏ ଭାଇ ! ଇଏ ତାଳଗଛର ଛାଇ । ଏଇ ଅବିକା ଅଛି ତ ଆଉ ଆଗକୁ ନାଇଁ ! ଆମେରିକା ଭାରତକୁ ଭିତରେ ଭିତରେ ଭେଦିସାରିଲାଣି ଭଲକରି । ସେଇ ଲୋକକଥାର ନିରୁପାୟ ମନ୍ତ୍ରୀପୁଅ ପରି ଭାରତୀୟ ରାଜନୀତି ଆଜି ପାଦଠୁ ବେକପର୍ଯ୍ୟନ୍ତ ପଥର ! ମୁହଁଟା ଦିଶୁଚି ଖାଲି ଯାହା ମାଂସଳ !
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩