ମାମୁଘର ଗାଁର ମିଠାସ୍ମୃତି


ନିଜ ଘର ପରେପରେ ମନେରହିଲା ଭଳି ମହାର୍ଘ ସ୍ମୃତିତକ ଅନ୍ୟ ଯେଉଁଠି ସାଉଁଟି ହୁଏ ତାହା ହେଉଛି ମାମୁଘର । ଆଉ ମାମୁଘର କଥା ବେଶି ମନେପଡ଼େ ଦଶହରା ଆସିଲେ । କାରଣ, ଏହି ଦଶହରାରେ ହିଁ ବୋଉକୁ ଅଧିକ ଛୁଟି ମିଳେ । ଶିକ୍ଷକତା ଚାକିରିରେ ବର୍ଷସାରା ବ୍ୟସ୍ତ ରହୁଥିବା ବୋଉ ଏହି ସମୟରେ ହିଁ ମାମୁଘର ଯାଇ ଆଶ୍ୱସ୍ତି ଲାଭ କରେ । ଆମେ ଦୁଇଭାଇ ବି ବୋଉ ସହ ଯାଉ ମାମୁଘର । ତା’ଛଡା ପିଲାଦିନେ ଛୁଟିଦିନ ଯଦି ମାମୁଁ ଘରେ ନ କଟିଛି ତେବେ ସବୁକିଛି ଅଧୁରା । ଅଜା ଆଈର ସ୍ନେହ, ମାମୁଁ, ମାଇଁ, ମାଉସୀଙ୍କ କୋଳ ଭାଗ୍ୟରେ ଥିଲେ ମିଳେ ।
ପିଲାବେଳେ ମାମୁଘରକୁ ଯିବା ବୋଲି ଶୁଣିଦେଲା କ୍ଷଣି ଖୁସିରେ ଉଛୁଳିପଡ଼ୁଥିଲା ମନ । ମାସକ ପୂର୍ବରୁ ଦିନଗଣୁଥିଲୁ କେବେ ଯିବୁ ମାମୁଘର । ଆଉ ମାମୁଘରେ ପହଞ୍ଚିଗଲେ ଖୁସି କହିଲେ ନସରେ । ମାମୁଘରେ ଥାଏ କଟକଣା କମ୍, କୋଳାହଳ ବେଶୀ । ଆମେ ମନଇଛା ଖେଳୁ, ବୁଲୁ, ମଜା କରୁ । ବୋଉ ବି ମାଇଁ, ମାଉସୀମାନଙ୍କ ସହ ଗପକରେ, ହସେ । ଦଶହରାରେ ପାଞ୍ଚଦିନ ହୁଏ ବାଦୀ ପାଲା, ଶେଷଦିନ ହୁଏ ଯାତ୍ରା । ଆମେ ପ୍ରତିଦିନ ରାତି ଅନିଦ୍ରା ହେଇ ଦେଖୁ, ତା’ସହିତ ଭଳିକିଭଳି ଚେନାଚୁର ଓ ବାରମଜାର ମଜା ନେଉ ।
ଦଶହରା ମାସେ ପୂର୍ବରୁ ଅଜା ଆଠେଣିକିଆ ପୋଷ୍ଟକାର୍ଡରେ ଚିଠି ଲେଖନ୍ତି, ଆମକୁ ଯିବା ପାଇଁ କୁହନ୍ତି । ବୋଉର ଛୁଟି ମିଳିବା ମାତ୍ରକେ ଆମେ ମାମୁଘର ଚାଲିଯାଉ । ବସ୍ ଷ୍ଟାଣ୍ଡରୁ ମାମୁଘର ମାଇଲେ ବାଟ । ଆମେ ବସରୁ ଓହ୍ଲେଇ ଚାଲିଚାଲି ଯାଉ ମାମୁଘର । ବସ୍ ଷ୍ଟାଣ୍ଡମାନଙ୍କରେ ପାମ୍ପଡ଼, ଝାଲ ମୁଢ଼ି, ବାଦାମ ଆଦି ଖାଇଖାଇ କେତେବେଳେ ଯେ ମାମୁଘରେ ପହଞ୍ଚିଯାଉ ଜଣାପଡ଼େ ନାହିଁ । ମାମୁଘର ଗଲାପରେ ମୁଁ କୋଉ ଘର ଭିତରେ ଦଣ୍ଡେ ଥୟ ଧରେ ଯେ? ଗାଁଟା ଯାକର ସବୁ ବୁଢ଼ା-ବୁଢ଼ୀଙ୍କର ମୁଁ ନାତି, ତେଣୁ ସେମସ୍ତେ ନାତି ଟୋକା କହି ଥଟା-ତାମସା କରନ୍ତି । ଆଉ ଅଜାଙ୍କ ସହିତ ବୁଲିଯାଏ ଛକ, ଦୋକାନ, ବିଲମାଳ । ପୋଖରୀରେ ଗାଧାଏ, କଙ୍କିଧରେ, ବାଗୁଡ଼ିଖେଳେ ନଚେତ୍ ଆଖଡ଼ା ଘର ଆଗରେ ଦିନ କଟେ । ଏମିତିରେ ବିତିଯାଏ ଦିନପରେ ଦିନ । ଛୁଟିତକ ସରିଗଲା ପରେ ଇଛା ନଥିଲେ ବି ଆମେ ବୋଉ ସହ ଘରକୁ ଫେରୁ । ଏହାରି ଭିତରେ ମାମୁଘର ଗାଁରେ ଥିବା ପ୍ରତ୍ୟେକ ଲୋକଙ୍କ ସହିତ ଗୋଟେ ଭିନ୍ନ ଧରଣର ନିବିଡ଼ତା ବଢ଼ିଯାଇଥାଏ । ସେ ସମ୍ପର୍କରେ ମାମୁ-ମାଇଁ, ଅଜା-ଆଇ, ଭାଇ-ଭଉଣୀ, ମଉସା-ମାଉସୀ ହୋଇପାରନ୍ତି । ଯାହା ମୋ ଜୀବନର ଗୋଟେ ଅଭିଲିଖିତ ଇସ୍ତାହାର । ନା’ ଭୁଲି ହୁଏ ସେମାନଙ୍କର ଆନ୍ତରିକ ଭଲ ପାଇବା, ନା ଭୁଲି ହୁଏ ସେମାନଙ୍କ ସହିତ ବିତାଇବା ସେହି ଅଭୁଲା ସ୍ମୃତି ।
ମାମୁଘର ଗାଁକୁ ମନେରଖିଲା ଭଳି କିଛି ଚରିତ୍ର ଯେଉଁମାନେ ମନେପଡ଼ି ଯାଆନ୍ତି ଅଧିକାଂଶ ସମୟରେ । ସେମାନେ ହେଲେ ମୂଳିଆ ମାମୁଁଙ୍କ ଘର ଶିବ ଭାଇ ଆଉ ମାଧବ ଭାଇ । ଆମେ ମାମୁଘରେ ଯେତିକି ଦିନ ରହୁ ସେମାନଙ୍କ ସହ ଆମ ସମ୍ପର୍କ ହେଇଉଠେ ସେତିକି ଘନିଷ୍ଠ । ଛୋଟବେଳେ ବୋଉ ପାଠପଢ଼ା ବେଳେ ଶିବ ଭାଇ ଆଉ ମାଧବ ଭାଇର ଉଦାହରଣ ଦେଇ ଆମକୁ ଗାଳିକରେ । କହେ ସେମାନଙ୍କ ସଂଘର୍ଷର କଥା । ବଖରାଟେ ଘର, ଡିବିରିର ମିଞ୍ଜିମିଞ୍ଜି ଆଲୁଅ, ପଖାଳ-ଆମ୍ବୁଲ-ଆଳୁସିଝା ଖାଇ ସେମାନେ କେତେ ଭଲ ପାଠ ପଢ଼ୁଛନ୍ତି । ଯେତେବେଳେ ବି ମାମୁଁ ଘରକୁ ଯାଉ ବାସ୍ତବ ଚିତ୍ର ମଧ୍ୟ ଦେଖୁ । ସତରେ କେତେ ସଂଘର୍ଷ ନକରନ୍ତି ସେମାନେ । ଏଭଳି ପରିସ୍ଥିତିରେ ଯେ ପାଠ ପଢ଼ି ନିଜର ଲକ୍ଷ୍ୟ ହାସଲ କରିହୁଏ, ଏଇଟା ଆଜିକା ଦିନରେ ଅନେକ ପିଲାମାନଙ୍କର ଚିନ୍ତାଶକ୍ତି ବାହାରେ । ତଥାପି ଆମେ ଗଲେ ସେମାନେ ହେଇଯାଆନ୍ତି ବେଫିକର୍ । ଆମେ ଘୂରିବୁଲୁ ମାମୁଘର ଗାଁ ସମେତ ଆଖପାଖ ଦଶଖଣ୍ଡ ଗାଁର ଏମୁଣ୍ଡରୁ ସେମୁଣ୍ଡ । ମୋ ଅଜା-ଆଈଙ୍କ ସମେତ ମାମୁଘର ଗାଁର ସେତେବେଳର ଅଜା- ଆଈଙ୍କ ଭିତରୁ ଏବେ ଅନେକ ଆରପରିକୁ ଚାଲିଗଲେଣି  । ସେଇ ମାମୁମାନେ କିଏ କୋଉଠି ଚାକିରିବାକିରି କରି ରହିଲେଣି । ମାଉସୀମାନେ ବି ବାହାସାହା ହେଇଯାଇଛନ୍ତି । ମୁଁ ବି ଆଉ ଆଗ ଭଳି ମାମୁଘର ମୋଟେ ଯାଇପାରୁନାହିଁ କହିଲେ ଚଳେ । କେବେକେବେ ମାମୁଘର ଆଡ଼େ ଗଲେ ଦେଖେ ଉଣାଅଧିକେ ମାମୁଘର ଗାଁର ପ୍ରାୟ ଚରିତ୍ରମାନେ ଆଗପରି ଅଛନ୍ତି  । କିନ୍ତୁ ସେମାନଙ୍କ ଭିତରେ ଆଗପରି ସେ ଆତ୍ମୀୟତା ନାହିଁ । କଂକ୍ରିଟ ଜଙ୍ଗଲର ଚାକଚକ୍ୟ ସହିତ ଆଧୁନିକତା ଏବେ ମାମୁଘର ଗାଁକୁ ମାଡ଼ିବସିଛି । ମୋଟ ଉପରେ କହିବାକୁ ଗଲେ , ସେକାଳ ପଖାଳ ଆଉ ନାହିଁ ।
ବୈଷୟିକ ଜ୍ଞାନଯୁକ୍ତ କୃତ୍ରିମ ବୁଦ୍ଧିମତ୍ତା ଭିତରେ ଶ୍ୱାସରୁଦ୍ଧ ହୋଇଯାଉଥିବା ଆଜିର ପିଢ଼ି ବାସ୍ତବରେ ଆଉ ସେ ମାମୁଘର ଗାଁର ମଧୁର ସ୍ମୃତିକୁ ସାଉଁଟି ପାରିବେନି । ନଡ଼ାଛପର ଘର ଦେଖିପାରିବେନି, ପାଲା-ସଂକୀର୍ତ୍ତନ, ରାମଲୀଳା ଓ ଯାତ୍ରାର ଅନୁଭବ ନେଇପାରିବେନି, ଅଜାଆଇଙ୍କ ଉପରେ ଖେଳିପାରିବେନି କି ସହରୀକରଣର ଉତ୍ତପ୍ତ ହାୱା ଭିତରେ ଶିବ ଭାଇ ଓ ମାଧବ ଭାଇର ସଂଘର୍ଷକୁ ଚିହ୍ନିପାରିବେନି ।
ସମୟ ଆଉ ବୟସ ମାମୁଘର ଯିବାଆସିବାର ବେଳ ବଦଳେଇ ଦେଇଛି । ଏଣିକି ମୁଁ ଆଉ ଦଶହରାରେ ମାମୁଘର ଯାଇପାରୁନି । ବଡ଼ ହୋଇଯାଇଛି, ଦୂର ସହରରେ ଚାକିରି କରୁଛି, ମୋଟାଅଙ୍କର ଦରମା ପାଉଛି ସତ ହେଲେ ମୋ ଭିତରେ ମୁଁ ଅବେଳରେ ମାମୁଘର ଗାଁ ପ୍ରତି ଥିବା ମିଠା ସ୍ମୃତିକୁ ଖୋଜି ବୁଲୁଛି । କେବେ କେମିତି ମାମୁଘର ଗାଁଆଡ଼େ ଗଲେ ସଞ୍ଜ ପୂର୍ବରୁ ବାହାନା ଦେଇ ଫେରିଆସୁଛି । ଏଇ କେଇବର୍ଷ ଭିତରେ ବଦଳିଯାଇଥିବା ମାମୁଘର ଗାଁର ଅବସ୍ଥା ଦେଖିଲେ ଛାତି କୋରିହେଇଯାଉଛି । ଆଖିକଣରେ ଧାରେ ଲୁହକୁ ଲୁଚେଇ ମୁଁ ଘରକୁ ଫେରୁଛି । ସତରେ, ମାମୁଘର ଗାଁର ମିଠା ସ୍ମୃତି ଏବେ ବି ହୃଦୟରେ ସତେଜ ରହିଛି । ଯେବେ ଯେବେ ବି ଭାବୁଛି ସେସବୁ ସ୍ମୃତି କେବଳ ମିଠା ଅନୁଭବ ଦେଉଛି । ମାମୁଘର ଯେ ଆମ ଶୈଶବର ଏକ ଅବିଛିନ୍ନ ଅଂଶ ଓ ମାମୁଘର ମାଟି ସହିତ ଭଣଜା ଭାଣିଜୀଙ୍କ ସମ୍ପର୍କର ମହକ ଯେ ଭିନ୍ନ, ଏହା ଯିଏ ବାସ୍ତବରେ ଜାଣିଛି ସେ ଅନୁଭବ କରିପାରିବ ।
 ଓମ ପ୍ରସାଦ ପଟ୍ଟନାୟକ, ଭୁବନେଶ୍ୱର