କନେଷ୍ଟେବଳ ନିଯୁକ୍ତି ପ୍ରସଙ୍ଗ ବୟସ ୩ ବର୍ଷ କୋହଳ
କଟକ : ଇଣ୍ଡିଆନ ରିଜର୍ଭ ବାଟାଲିଅନ (ଆଇଆରବି) କନେଷ୍ଟବଳ ସିପାହି ନିଯୁକ୍ତି ମାମଲାରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ବୟସ ସୀମାକୁ ୩ ବର୍ଷ କୋହଳ ନେଇ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ବୟସ ସୀମା କୋହଳ ନେଇ ସରକାର ମଧ୍ୟ ସମ୍ମତି ଜଣାଇଥିଲେ ।
ସୂଚନାଥାଉକି, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବୈଠକରେ ବୟସ ସୀମା ୩ ବର୍ଷ କୋହଳ ନେଇ ନିଷ୍ପତ୍ତି ପରେ କୋର୍ଟଙ୍କୁ ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଅବଗତ କରିଥିଲେ । ମହାମାରୀ କରୋନା କାରଣରୁ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ଆଇଆର୍ବି କନ୍ଷ୍ଟେବଳ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନଥିଲା । କରୋନା କାଳ ଅତିକ୍ରମ କଲାପରେ ପ୍ରାୟ ୧୮ ଶହ ଆଇଆର୍ବି କନ୍ଷ୍ଟେବଳ୍, ସିପାହି ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେହି ସମୟ ଭିତରେ କେତେଜଣ ପ୍ରାର୍ଥୀଙ୍କର ବୟସ ଅତିକ୍ରାନ୍ତ ହୋଇଯାଇଥିଲା । ତେବେ ବୟସ ଅଧିକ କାରଣରୁ ବାଦ୍ ପଡ଼ିଥିବା ପ୍ରାର୍ଥୀ ଇଣ୍ଟରଭୁ୍ୟ ଦେବା ପାଇଁ ଅନୁମତି ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ସେମାନଙ୍କ ଆବେଦନକୁ ବିଚାରକରି ଇଣ୍ଟରଭୁ୍ୟରେ ସାମିଲ ହେବା ଲାଗି ନିଦେ୍ର୍ଦଶ ଦେଇଥିଲେ । ହେଲେ ଇତିମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କିନ୍ତୁ ବୟସ ଅଧିକ ହେତୁ ମେଧା ତାଲିକାରୁ ବାଦ୍ ପଡ଼ିଥିବା ପ୍ରାର୍ଥୀମାନେ ଏଥିରୁ ବଞ୍ଚିତ ହୋଇଛନ୍ତି । ବୟସ ଅତିକ୍ରାନ୍ତ କରିଥିବା ପ୍ରାର୍ଥୀମାନଙ୍କ ପାଇଁ ପୂର୍ବରୁ ଯେଉଁ ନିଦେ୍ର୍ଦଶନାମା ଜାରି ହୋଇଥିଲା, ତାହା କାର୍ଯ୍ୟକାରୀ ହୋଇନଥିଲା । ତେଣୁ ସେମାନେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।