ବନ୍ୟଜନ୍ତୁ ନେଇଛନ୍ତି ୭୯୯ ଜୀବନ : ଶିକାରୀଙ୍କ ହାତରେ ମରିଛନ୍ତି ୮୦୬ ବନ୍ୟଜନ୍ତୁ
ଭୁବନେଶ୍ୱର: ନିଧଡ଼କ ଭାବେ ବନ୍ୟଜନ୍ତୁ ଶିକାର କରୁଛନ୍ତି ଶିକାରୀ । ସେପଟେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ମଣିଷ ଜୀବନ ବି ଯାଉଛି । ଗତ ୫ ବର୍ଷରେ ମଣିଷ ଯେତିକି ଶିକାର କରିଛି ବନ୍ୟଜନ୍ତୁବି ପ୍ରାୟ ସେତିକି ମଣିଷଙ୍କ ଜୀବନ ନେଇଛନ୍ତି । ୨୦୨୦-୨୧ରୁ ୨୦୨୪-୨୫ ମଧ୍ୟରେ ଶିକାରୀଙ୍କ ହାତରେ ୮୦୬ ବନ୍ୟଜନ୍ତୁଙ୍କ ଜୀବନ ଯାଇଥିବାବେଳେ ବନ୍ୟଜନ୍ତୁଙ୍କ ଆକ୍ରମଣରେ ୭୯୯ ମଣିଷ ମୃତୁ୍ୟବରଣ କରିଛନ୍ତି । ଯେତେବେଳେକି ୧୯୬୨ ଜଣ ଆହତ ହୋଇଛନ୍ତି ।
ତଥ୍ୟ ଅନୁଯାୟୀ, ଗତ ୫ବର୍ଷରେ ରାଜ୍ୟରେ ମୃତୁ୍ୟବରଣ କରିଥିବା ହାତୀ, ବାଘ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ସଂଖ୍ୟା ୨୮୩୨ । ସେଥିମଧ୍ୟରୁ ଶିକାର ଜନିତ ମୃତୁ୍ୟ ସଂଖ୍ୟା ହେଉଛି ୮୦୬ । ବନ୍ୟଜନ୍ତୁ ଶିକାର ପାଇଁ ୪୦୪୩ ଜଣଙ୍କୁ ଗିରଫ କରାଯାଇଛି । ହାତୀ-ମଣିଷ ସଂଘର୍ଷରେ ବି ଚଳିତ ବର୍ଷ ୧୫୨ ଜଣଙ୍କ ଜୀବନ ଯାଇଥିବା ଜାଣିବାକୁ ମିଳିଛି । ତଥ୍ୟକୁ ଅନୁଶୀଳନ କଲେ ଢେଙ୍କାନାଳରେ ସର୍ବାଧିକ ୧୪୭ ଜଣ ଲୋକ ବନ୍ୟଜନ୍ତୁଙ୍କ ଆକ୍ରମଣରେ ମୃତୁ୍ୟ ବରଣ କରିଛନ୍ତି । ଯେତେବେଳେକି ଅନୁଗୁଳ-୭୬, କେନ୍ଦୁଝର-୬୯, ବାରିପଦା-୫୪, ରାଉରକେଲା-୪୭, ବୋଣାଇ-୪୫, ସୁନ୍ଦରଗଡ-୩୨, ଖୋର୍ଦ୍ଧା-୨୭, ରାଜନଗର-୨୪, ସମ୍ବଲପୁର-୨୩, ରେଢାଖୋଲ-୨୧, ଦେବଗଡ-୨୧, ବରଗଡ-୧୭, ବଲାଙ୍ଗିର-୧୬, ଆଠଗଡ-୧୫, କଟକ-୧୩, ନବରଙ୍ଗପୁର-୧୩, କଳାହାଣ୍ଡି ଦକ୍ଷିଣ-୧୨, ବାଲେଶ୍ୱର-୧୩, ଆଠମଲ୍ଲିକରେ-୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ସମୁଦାୟ ୭୯୯ ଜଣ ମୃତ୍ୟୁ ଘଟିଛି ।
ସେହିପରି ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ୭୫ ବନ୍ୟପ୍ରାଣୀଙ୍କର ଶିକାର କରାଯାଇଛି । ଯେତେବେଳେକି ନୟାଗଡ଼ରେ ୬୩, ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଅଞ୍ଚଳରେ ୫୫, ସାତକୋଶିଆରେ ୨୬, ଶିମିଳିପାଳ ଉତ୍ତରରେ ୧୪, ରେଢ଼ାଖୋଲରେ ୨୯, ରାଜନଗରରେ ୨୭, ଖୋର୍ଦ୍ଧାରେ ୨୧, କେନ୍ଦୁଝର ୫୨, କରଞ୍ଜିଆରେ ୨୦,ଅନୁଗୁଳରେ ୨୦, ଆଠଗଡ଼ରେ ୫୦, ଆଠମଲ୍ଲିକରେ ୫୫, ବାଲେଶ୍ୱରରେ ୨୪, ବାମରାରେ ୧୮, ବଉଦରେ ୨୧, କଟକରେ ୨୭, ଦେବଗଡ଼ରେ ୨୧ ବନ୍ୟପ୍ରାଣୀଙ୍କର ଶିକାର କରାଯାଇଛି ।