କଲେଜ ରାସ୍ତାରେ ଲହଡି ଭାଙ୍ଗୁଛି ପାଣି
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ସହର ସବୁଠାରୁ ବ୍ୟସ୍ତବହୁଳ ଓ ଗୁରୁତ୍ୱପୂର୍ଣ୍ଣ ପଟ୍ଟାମୁଣ୍ଡାଇ କଲେଜ ରାସ୍ତାରେ ଲହଡି ଭାଙ୍ଗୁଛି ପାଣି । ମେଡିକାଲ ଛକ ଠାରୁ ବକ୍ତାରପୁର ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତା ସବୁଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଛି ଓ ଏହି ରାସ୍ତାରେ ପଟ୍ଟାମୁଣ୍ଡାଇ କଲେଜ, ଏମ୍ଏନ୍ ହାଇସ୍କୁଲ, ଭେଙ୍କଟେଶ୍ୱର ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆଦି ଅନେକ ଶିକ୍ଷାନୁଷ୍ଠାନ, ଜଳସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ, କୃଷି ବିଭାଗ କାର୍ଯ୍ୟାଳୟ ଓ ଅବକାରୀ ବିଭାଗ କାର୍ଯ୍ୟାଳୟ ଆଦି ସରକାରୀ ଅଫିସ, କୋଚିଂସେଣ୍ଟର ଓ ହଷ୍ଟେଲ, କମ୍ପୁଟର ଶିକ୍ଷାକେନ୍ଦ୍ର ଆଦି ବିଭିନ୍ନ ବେସରକାରୀ ଅନୁଷ୍ଠାନ ରହିଛି ଓ ରାଜନଗର ନିର୍ବାଚନ ମଣ୍ଡଳୀର ୨୯ ପଂଚାୟତ ଓ ପଟ୍ଟାମୁଣ୍ଡାଇ ବ୍ଲକର ୧୯ ପଂଚାୟତ ଓ ପୌର ପରିଷଦର ୬ଟି ୱାର୍ଡର ଲକ୍ଷାଧିକ ଲୋକ ଓ ହଜାର ହଜାର ସ୍କୁଲ, କଲେଜ ଛାତ୍ରଛାତ୍ରୀ ଯାତାୟାତ ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି । ଢଳେଇ ଉପରେ ପିଚୁ କରାଯାଇଥିଲା । ମେଡିକାଲ ଛକ ଠାରୁ ରାସ୍ତା ଡାହାଣ ପାର୍ଶ୍ୱରେ ଥିବା ପୋଖରୀଆପଡା କେନାଲ ବର୍ଷା ଦିନେ ସବୁ ପାଣି ଟାଣି ନେଉଥିଲା । ଏହି କେନାଲ ଜବରଦଖଲ ହୋଇ ପୋତି ହୋଇପଡିବା ଫଳରେ ବର୍ଷା ଜଳ ନିଷ୍କାସନ ହୋଇପାରିଲାନାହିଁ । ମେଡିକାଲ ଛକ ଠାରୁ ବକ୍ତାରପୁର ପର୍ଯ୍ୟନ୍ତ ଢଳେଇ ରାସ୍ତା ନିର୍ମାଣ ବେଳେ, ବର୍ଷାଜଳ ନିଷ୍କାସନ ପାଇଁ ରାସ୍ତା କଡେ କଡେ ଡ୍ରେନ୍ ନିର୍ମାଣ ପ୍ରସ୍ତାବ ଥିଲେ ମଧ୍ୟ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଏହି ଡ୍ରେନ ନିର୍ମାଣ ନକରି ରାସ୍ତା ନିର୍ମାଣ ପରେ ଆଉ କୌଣସି ପଦକ୍ଷେପ ନେଲେ ନାହିଁ । ସମ୍ପ୍ରତି ଅସରାଏ ବର୍ଷା ହେଲେ କଲେଜ ରୋଡ ସମ୍ପୁର୍ଣ୍ଣ ଜଳାର୍ଣ୍ଣବ ହୋଇ ପଡୁଛି । ସଦା ସର୍ବଦା ପାଣି ଜମି ରହି ଏହି ବ୍ୟସ୍ତବହୁଳ ଗୁରୁତ୍ୱ ପୂର୍ଣ୍ଣ ରାସ୍ତାରେ ଏକାଧିକ ପୋଖରୀ ସୃଷ୍ଟି ହୋଇଛି । ଯାହାଫଳରେ ଯାତାୟାତ କ୍ଷେତ୍ରରେ ବାଧା ସୃଷ୍ଟି ହେବା ସହିତ ଅନେକ ସମୟରେ ଟ୍ରାଫିକ ଜାମ ହୋଇ ଦୁର୍ଘଟଣା ଘଟୁଛି । ଏଭଳି ଅବସ୍ଥାରେ ସ୍ଥିତି ସଂଗୀନ ହୋଇ ପଡ଼ିଥିବାବେଳେ, ପଲ ପଲ ବୁଲା ଗାଇ ଗୋରୁ ରାସ୍ତାରେ ଶୋଇ ରହି ପରିସ୍ଥିତିକୁ ଅଧିକ ଜଟିଳ କରିବାରେ ଲାଗିଛନ୍ତି । ପଟ୍ଟାମୁଣ୍ଡାଇ କଲେଜ ରୋଡ଼ରୁ ସ୍ଥାୟୀ ଭାବେ ଜଳ ନିଷ୍କାସନ ପାଇଁ ପୋଖରୀଆପଡା କେନାଲ ପୁନଃରୁଦ୍ଧାର କରାଯିବାକୁ ଦଳିତ ନେତା କଳ୍ପତରୁ ମଳିକ, ଯୁବନେତା ଉତମ ମଳିକ ପ୍ରମୁଖ ଦାବି କରିଛନ୍ତି ।