କାମରେ ଆସୁନି ଆବର୍ଜନା ଗୃହ 


ପାପଡାହାଣ୍ଡିରୁ ସୁଜିତ୍ ନାୟକ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ରେ ସ୍ୱଚ୍ଛ ଭାରତ ଯୋଜନାରେ ଗାଁ ପରିମଳ ରଖିବା ପାଇଁ ପ୍ରତି ପଞ୍ଚାୟତରେ ଆବର୍ଜନା ଗୃହ ନିର୍ମାଣ କରାଯାଇଛି । ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆବର୍ଜନା ସଂଗ୍ରହ ପାଇଁ ଟ୍ରଲି ମାଧ୍ୟମରେ ଅଳିଆ ଆବର୍ଜନା ଗୋଟିଏ ସ୍ଥାନରେ ସଂଗୃହୀତ ରଖିବା ସକାଶେ ଏହି ଆବର୍ଜନା ଗୃହ ନିର୍ମାଣ କରାଯାଇଥିଲା । ମାତ୍ର  ଦୁର୍ଭାଗ୍ୟର ବିଷୟ ଆବର୍ଜନା ଗୃହ କାର୍ଯ୍ୟରେ ଆସୁନାହିଁ । କେଉଁଠି ଭଙ୍ଗା ଦଦରା ଅବସ୍ଥାରେ ପଡ଼ÿି ରହିଥିବାବେଳେ କେଉଁ ଜାଗାରେ ଆବର୍ଜନା ଗୃହରେ ଲାଗିଥିବା ଟିଣ ସାମାନ୍ୟ ବର୍ଷା ପବନରେ ଉଭାନ ହୋଇଯାଇଥିବା ଦେଖିବାକୁ ମିଳିଛି । ଯେଉଁ ଉଦେ୍ଦଶ୍ୟରେ ଏହି ଯୋଜନା କରାଯାଇଥିଲା, ତାହା ପୂରଣ ହୋଇନପାରିନାହିଁ । ଏଥିପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ପାଣିରେ ପଡ଼ିଛି । ସ୍ୱଚ୍ଛଭାରତ ଯୋଜନାରେ ସ୍ୱଚ୍ଛ ପଞ୍ଚାୟତ ଗଠନ ପାଇଁ ପ୍ରତି ପଞ୍ଚାୟତରେ ପ୍ରତ୍ୟେକ ଗ୍ରାମରେ ଗୋଟିଏ ଲେଖାଏଁ ଆବର୍ଜନା ଗୃହ ନିର୍ମାଣ କରାଯାଇଛି । ଏଥିପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ବ୍ଲକ୍ରୁ ୭୦ ପ୍ରତିଶତ ଅନୁଦାନ ଦିଆଯାଇ ଥିବାବେଳେ ପଞ୍ଚାୟତସ୍ତରରୁ ୩୦ ପ୍ରତିଶତ ଖର୍ଚ୍ଚ ହୋଇଥିଲା । ପାପଡାହାଣ୍ଡି ବ୍ଲକ୍ର ମୈଦଲପୁର  ପଞ୍ଚାୟତ ଅଧୀନ ଘଣ୍ଡଭଟ୍ଟା  ଗ୍ରାମରେ ଦୁଇ ଲକ୍ଷ ଟଙ୍କା ବ୍ୟୟରେ ଅଳିଆ ଆବର୍ଜନା ଗୃହ ଆର୍ଥôକ ବର୍ଷ ୨୦୨୨-୨୩ ରେ ନିର୍ମାଣ ହୋଇ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି । ସେହି ବାବଦକୁ ସମ୍ପୂର୍ଣ୍ଣ ବିଲ୍ ମଧ୍ୟ ପୈଠ ହେଇଥିଲେ ହେ ତାହା କାର୍ଯ୍ୟକ୍ଷମ ନ ହେଇ ଗତ ବର୍ଷା ରତୁରେ ସାମାନ୍ୟ ବର୍ଷା ପବନ ସକାଶେ ଗୃହରୁ ଟିଣ ଉଭାନ ହେଇଯାଇଛି । ସ୍ୱଚ୍ଛ ଭାରତ  ଯୋଜନା ଅନୁଯାୟୀ ଆବର୍ଜନା ଗୃହ  ମଧ୍ୟରେ ଗାଁର ଅଳିଆ ସବୁ ଗୃହ ମଧ୍ୟରେ ସଂଗ୍ରହ କରି ଅନତ୍ର ସ୍ଥାନାନ୍ତର କରିବାର ବ୍ୟବସ୍ଥା ରହିଥିଲା । କିନ୍ତୁ ଦୁଃର୍ଭାଗ୍ୟର ବିଷୟ ଯେ, ଆବର୍ଜନା ଗୃହ କାର୍ଯ୍ୟକାରୀ ହେଉନଥିବାରୁ ତାହା ନଷ୍ଟ ହେବାକୁ ବସିଲାଣି । ଏ ବାବଦରେ ଆମେ ପାପଡାହାଣ୍ଡି ବିଆରସି ସୁଧାଂଶୁ ଶେଖର ଚାନ୍ଦଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ହୋଇପାରିନଥିଲା । ଯେଉଁ ଉଦେ୍ଦଶ୍ୟରେ ଜନସାଧାରଣଙ୍କ ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଥିଲା, ତାହା ସଠିକ୍ ଭାବେ ପରିଚାଳନା ହୋଇପାରୁନାହିଁ କି ତାହାର ରକ୍ଷଣାବେକ୍ଷଣ ମଧ୍ୟ କରାଯାଉ ନାହିଁ । ଯାହାଫଳରେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡୁଛି । ତେଣୁ ତୁରନ୍ତ ତଦନ୍ତ  କରି ଗୃହ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।