ଇତିହାସ ପାଲଟିବ ମନ୍ଦା ପ୍ରଣାଳୀ ଆଖୁ ଚାଷ !
ାା ନୟାଗଡ଼ରୁ ସ୍ୱତନ୍ତ୍ର ପ୍ରତିନିଧି ରବୀନ୍ଦ୍ର କୁମାର ପଟ୍ଟନାୟକ ।ା
ରାଜ୍ୟରେ ବିଭିନ୍ନ ପ୍ରଣାଳୀରେ ଆଖୁ ଚାଷ କରାଯାଉଥିବାବେଳେ ସେଥିମଧ୍ୟରୁ ମନ୍ଦା ପ୍ରଣାଳୀ ଅନ୍ୟତମ । ଏହି ନୂତନ ପ୍ରାଣାଳୀର ଉଦ୍ଭାବକ ଥିଲେ ନୟାଗଡ଼ର ଅଗ୍ରଣୀ ଚାଷୀ ରଘୁନାଥ ମହାପାତ୍ର । କିନ୍ତୁ ସେହି ଉଦ୍ଭାବକଙ୍କୁ ଲୋକମାନେ ପ୍ରାୟତଃ ଭୁଲିଗଲେଣି । ଅନ୍ୟ ପ୍ରଣାଳୀରେ ଚାଷ କଲେ ଯେତିକି ଆଖୁ ଅମଳ ହୋଇଥାଏ ମନ୍ଦାପ୍ରଣାଳୀ ଚାଷରେ ତା' ଠାରୁ ଅଧିକ ଅମଳ ହୋଇଥାଏ । ମନ୍ଦା ପ୍ରଣାଳୀ ଚାଷ ଦ୍ୱାରା ପବନ, ବର୍ଷା ଏବଂ ବନ୍ୟାରେ ଆଖୁ ଗଛ ଗୁଡ଼ିକ ପ୍ରାୟତଃ ନଷ୍ଟ ହୁଏ ନାହିଁ । ସେହିଭଳି ଆଖୁ ଭେଳା ବାନ୍ଧିବା ଏବଂ ଅମଳ କରିବା ମଧ୍ୟ ଏହି ପ୍ରାଣାଳୀ ଚାଷୀଙ୍କୁ ବେଶ ସୁହାଇଥାଏ । ଏହି ପଦ୍ଧତିରେ ଚାଷ ହେଉଥିବା ଗୋଟିଏ ମନ୍ଦାରୁ ଅନ୍ୟ ମନ୍ଦାର ଦୂରତା ୨ଫୁଟ ଏବଂ ଗୋଟିଏ ଆଖୁ ଧାଡ଼ିରୁ ଆଉ ଗୋଟିଏ ଧାଡ଼ିର ଦୂରତା ୪ଫୁଟ ରହୁଥିବାରୁ ଏଥିପାଇଁ ଚାଷୀଙ୍କୁ ସୁବିଧାରେ ଭେଳା ବାନ୍ଧିବା, ଅମଳ କରିବା ପାଇଁ ସହଜ ଏବଂ ଅପେକ୍ଷାକୃତ କମ୍ ଖର୍ଚ୍ଚ ହୋଇଥାଏ । ଅନ୍ୟପକ୍ଷରେ ଆଖୁ ଗଛ ଗୁଡ଼ିକ ମୋଟା ହୋଇଥାଏ । ଟ୍ରାକ୍ଟର ପଛରେ ୨ଟି ‘ଅଗର' ଯନ୍ତ୍ର ଦ୍ୱାରା କ୍ଷେତରେ ମନ୍ଦା ଖୋଳାଯାଇଥାଏ । ‘ଅଗର' ଯନ୍ତ୍ର ଦ୍ୱାରା କମ୍ ଖର୍ଚ୍ଚରେ ମନ୍ଦା ଖୋଳା ହେଉଥିବାରୁ ସମ୍ପୃକ୍ତ ଚାଷୀମାନେ ଲାଭବାନ ହୋଇଥାନ୍ତି ବୋଲି ବିଶିଷ୍ଟ କୃଷି ବୈଜ୍ଞାନିକ ଡ.ପ୍ରମୋଦ କୁମାର ନାୟକ କହିଛନ୍ତି । ଅତୀତରେ ଏହି ପ୍ରଣାଳୀ ଚାଷୀଙ୍କ ମଧ୍ୟରେ ବେଶ ଆଦୃତ ହୋଇଥିଲା ।
ସୂଚନାଯୋଗ୍ୟ ଯେ,ପୂର୍ବରୁ ଲକ୍ଷ୍ନୌରେ ଥିବା ଜାତୀୟ ଆଖୁ ଗବେଷଣା କେନ୍ଦ୍ରରୁ ବୈଜ୍ଞାନିକମାନେ ନୟାଗଡ଼ ଆସି ପ୍ରତ୍ୟକ୍ଷ ଭାବେ ଏହି ଚାଷ ପଦ୍ଧତି ଅନୁଧ୍ୟାନ କରିଥିଲେ । ଅନ୍ୟପକ୍ଷରେ ମନ୍ଦା ପ୍ରଣାଳୀରେ ଚାଷ କରାଯାଉଥିବା କ୍ଷେତକୁ ଡ୍ରିପ ପଦ୍ଧତିରେ ଜଳସେଚନ କରିବା ପାଇଁ ପୂର୍ବରୁ ରାଜ୍ୟ ସରକାର ରିହାତି ଯୋଗାଇ ଆସୁଥିଲେ । ଏହି ବୁନ୍ଦା ସିନ ପଦ୍ଧତିରେ ଆଖୁ ମନ୍ଦାକୁ ଜଳସେଚିତ କରିବା ପାଇଁ ଅନେକ ଚାଷୀ ଆଗ୍ରହ ପ୍ରକାଶ କରି ଏହାକୁ ଅନେକ ଚାଷୀ ଆପଣାଇ ଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହି ବୁନ୍ଦା ଜଳସେଚନ ପ୍ରଣାଳୀ ପାଇଁ ଚାଷୀଙ୍କୁ ମିଳୁଥିବା ରିହାତି ସରକାର ବନ୍ଦ କରି ଦେଲେ । ଫଳରେ ବହୁ ଚାଷୀ ମନ୍ଦା ପ୍ରଣାଳୀରେ ଆଖୁଚାଷ ପ୍ରତି ଆଉ ଆଗ୍ରହ ଦେଖାଇଲେ ନାହିଁ । ସରକାରୀସ୍ତରରେ ଏଭଳି ପ୍ରୋତ୍ସାହନ ଅଭାବରୁ ମନ୍ଦାପ୍ରଣାଳୀ ଏବେ ଇତିହାସ ପାଲଟିଥିବା କୁହାଯାଇଛି ।