କାହିଁକି ମୁମ୍ବାଇ ଛାଡ଼ିଲେ ଜୈସୱାଲ୍
ନୂଆଦିଲ୍ଲୀ : ଭାରତୀୟ ଟେଷ୍ଟ ଟିମ୍ର ଯୁବ ଓପନର ଯଶସ୍ୱୀ ଜୈସୱାଲ ହଠାତ ମୁମ୍ବାଇ ଛାଡି ଗୋଆ ପକ୍ଷରୁ ଘରୋଇ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେବା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ବୁଧବାର ଠାରୁ ଜୈସୱାଲଙ୍କ ଏପରି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ଗୋଆ ପାଇଁ ମୁମ୍ବାଇ ଛାଡିବାକୁ ଚାହୁଁଥିବା କଥା କହି ସେ ମୁମ୍ବାଇ କ୍ରିକେଟ ଆସୋସିଏସନକୁ ମଙ୍ଗଳବାର ଚିଠି ଲେଖିଥିଲେ । ଚିଠି ପାଇବା ପରେ ମୁମ୍ବାଇ କ୍ରିକେଟ ଆସୋସିଏସନ ଜୈସୱାଲଙ୍କୁ ମୁକ୍ତ କରି ଦେଇଛନ୍ତି । ଏହାର ଅର୍ଥ ଏଣିକି ଜୈୱାଲ ଗୋଆ ପାଇଁ ରଣଜୀ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଘରୋଇ କ୍ରିକେଟ ଖେଳିବେ । ୨୦୨୫-୨୬ ସିଜିନରେ ସେ ଗୋଆ ପାଇଁ ଖେଳି ପାରନ୍ତି ଓ ଘରୋଇ ଟିମ୍ର ନେତୃତ୍ୱ ମଧ୍ୟ ତାଙ୍କୁ ମିଳିପାରେ । ଗୋଟିଏ ସାକ୍ଷାତକାରରେ ଜୈସୱାଲ ଗୋଆ ଚାଲିଯିବା ପଛରେ ନୂଆ ସୁଯୋଗ ରହିଥିବା କହିଛନ୍ତି । ସେ କହିଛନ୍ତି, “ଏହା ମୋ ପାଇଁ ଗୋଟିଏ କଠିନ ନିଷ୍ପତ୍ତି ଥିଲା । ଆଜି ମୁଁ ଯାହା ବି ପାଇଛି, ସେସବୁ ମୁମ୍ବାଇ ପାଇଁ । ଏହି ସହର ମୋତେ ଗଢ଼ିଛି । ମୁଁ ମୋ ପୂରା ଜୀବନରେ ଏମ୍ସିଏର ଋଣୀ ହୋଇ ରହିବି । କିନ୍ତୁ ଗୋଆ ମୋତେ ନୂଆ ସୁଯୋଗର ପ୍ରସ୍ତାବ ଦେଇଥିଲେ । ଗୋଆ ପକ୍ଷରୁ ମଧ୍ୟ ନେତୃତ୍ୱ ନେବାର ପ୍ରସ୍ତାବ ମିଳିଛି । ମୋର ପ୍ରଥମ ଲକ୍ଷ୍ୟ ହେଲା ଭାରତ ପାଇଁ ଭଲ କରିବା । ଯେତେବେଳେ ମୁଁ ଜାତୀୟ ଟିମ୍ରେ ନଥିବି ସେତେବେଳେ ନିଶ୍ଚିତ ଗୋଆ ପାଇଁ ଖେଳିବି । ଏଥିସହ ଦଳକୁ ଟୁର୍ଣ୍ଣାମେଣ୍ଟରେ ଆଗକୁ ନେବାକୁ ଚେଷ୍ଟା କରିବି । ମୋ ରାସ୍ତାରେ ଗୋଟିଏ ବଡ ସୁଯୋଗ ରହିଛି । ଏଥିପାଇଁ ମୁଁ ବେଶ ଉସôାହିତ ।” ଜୈସୱାଲ ମୁମ୍ବାଇ ଛାଡିବା ପଛରେ ନୂଆ ସୁଯୋଗ ରହିଥିବା କହୁଥିଲେ ହେଁ ଗୋଟିଏ ରିପୋର୍ଟରେ ସାଂଘାତିକ କଥା ଦାବି କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ମୁମ୍ବାଇ ଟିମର ନେତୃବୃନ୍ଦ ସବୁ ପ୍ରସଙ୍ଗରେ ଜୈସୱାଲଙ୍କୁ ଆକଟ କରୁଥିବାରୁ ସେ ରାଜ୍ୟ ପକ୍ଷରୁ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ।