ଟେଷ୍ଟ କ୍ରିକେଟ ପିଢ଼ିର ନୂଆ ଯୁବ ଅଧିନାୟକ ଗିଲ୍

ଟେଷ୍ଟ କ୍ରିକେଟ ପିଢ଼ିର ନୂଆ ଯୁବ ଅଧିନାୟକ ଗିଲ୍

 ନୂଆଦିଲ୍ଲୀ  : ଭାରତ ଟେଷ୍ଟ କ୍ରିକେଟ୍ର ଏବେ ନେତୃତ୍ୱ ନେବେ ଯୁବ କ୍ରିକେଟର୍ ତଥା ଡାହାଣହାତି ବ୍ୟାଟ୍ସ ମ୍ୟାନ୍ ଶୁଭମନ ଗିଲ୍ । ଆସନ୍ତା ଦିନରେ ଇଂଲଣ୍ଡ ଟୁର୍ ପାଇଁ ୧୮ ଜଣଙ୍କୁ ନେଇ ଭାରତୀୟ ଦଳ ଚୟନ କରାଯାଇଥିବା ବେଳେ ଏଥିରେ କିଏ କେଉଁ ଦାୟିତ୍ୱଭାର ଗ୍ରହଣ କରିବ ଆଜି ଚୟନକର୍ତ୍ତା ଦଳରେ ଥିବା ଅଜିତ ଅଗରକର ଘୋଷଣା କରିଛନ୍ତି । ଭାରତ ଟେଷ୍ଟ କ୍ରିକେଟ୍ ଟିମ୍ର ୩୭ତମ ଅଧିନାୟକ ଭାବେ ଗିଲ୍ଙ୍କ ନାମ ଘୋଷଣା ହୋଇଥିବା ବେଳେ ଉପ ଅଧିନାୟକ ଏବଂ ୱିକେଟ୍ କିପର୍ ଭାବେ ଋଷଭ ପନ୍ତଙ୍କୁ ଚୟନ କରାଯାଇଛି ।
ତେବେ ଗିଲ୍ଙ୍କୁ କାହିଁକି ଅଧିନାୟକ ଭାବେ ଚୟନ କରାଗଲା ତାହାକୁ ନେଇ ରହିଛି ରୋଚକ ତଥ୍ୟ । ପ୍ରାୟ ୮ ବର୍ଷ ତଳର ଘଟଣା । ପଞ୍ଜାବ ମୋହାଲିର ପିସିଏ ଷ୍ଟାଡିୟମ୍ରେ ଏକ ଖରାପ ପାଗରେ ରଣଜୀ ମ୍ୟାଚ୍ ଚାଲିଥାଏ । ପଞ୍ଜାବର ବହୁତ ଭଲ ଖେଳାଳି ମନପ୍ରୀତ ଗୋନି, ସିଦ୍ଧାର୍ଥ କୌଲ, ବରିନ୍ଦର କିମ୍ବା ସନ୍ଦୀପ ଶର୍ମା ହୁଅନ୍ତୁ ଏମାନଙ୍କୁ କ୍ଲିନ୍ ବୋଲ୍ଡ କରି ଦେଇଥିଲେ ଅଣ୍ଡର୍-୧୯ ଦଳର ଯୁବ ତଥା ଫାଷ୍ଟ ବୋଲର୍ମାନେ । ଠିକ୍ ଏହି ସମୟରେ ୧୭ ବର୍ଷୀୟ ଗିଲ୍ ବ୍ୟାଟିଂ କରିବା ପାଇଁ ଆଗକୁ ଆସିଥିଲେ, କିନ୍ତୁ ବ୍ୟାଟିଂ ଅପେକ୍ଷାରେ ଥିବା ପଞ୍ଜାବର ପୂର୍ବତନ ବ୍ୟାଟ୍ସମ୍ୟାନ ଗୁରକିରତ ମାନ (ଶୁବମନଙ୍କ ବଡ଼ଭାଇ) ଶୁବମନଙ୍କୁ ବାରଣ କରିବା ସହ ଟିକେ ପରେ ଯିବା ପାଇଁ କହିଥିଲେ । କିନ୍ତୁ ଶୁବମନଙ୍କ ଉତ୍ତର ଥିଲା ପାଜି ‘ୟେ ଉପରୱାଲି ବଲ୍ନେ ଆଜ୍ ଟ୍ରବୁଲ କିଆହେ, ଥୋଡ଼ି ଦେର୍ ଅର୍ ରୁକଯାଓ ।’ ତାଙ୍କ କଥା ଶୁଣି ବଡ଼ଭାଇ ମାନ୍ ହସିବା ସହ କହିଥିଲେ ତୁ ଶୁଣିବୁନି ନା । ତା’ ପରେ ଶୁବମନ ବ୍ୟାଟିଂ କରି ସେଇ ପେସ୍ ବୋଲର୍ଙ୍କ ବଲ୍କୁ ଏମିତି ମାଡ଼ କଲେ ତାହା ଦେଖି ସମସ୍ତେ ତାଜୁବ୍ । ଏହି ସମୟରେ ଶୁବମନଙ୍କ ବ୍ୟାଟିଂ ଦେଖି ବାମହାତୀ ପେସର୍ ବରିନ୍ଦର ସରନ ମାନଙ୍କ ପାଖକୁ ଆସି କହିଥିଲେ ସେ (ଶୁବମନ) ଅଣ୍ଡର୍-୧୯ ଦଳରେ କ’ଣ କରୁଛନ୍ତି । ଇଣ୍ଡିଆନ୍ ଟିମ୍ର ସେ ନେତୃତ୍ୱ ନେବାକୁ ଉପଯୁକ୍ତ । ଆଉ ସେଇ ସମୟରେ ହିଁ ମାନ୍ ଏବଂ ବରିନ୍ଦର ଆଲୋଚନା କରିଥିଲେ ଶୁବମନ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟକ ହେବାକୁ ଯୋଗ୍ୟ । ବାସ୍ ସେଇ ଦିନର ପ୍ରତିଭା ଆଜି ତାଙ୍କୁ ୮ବର୍ଷ ପରେ ଭାରତର ନେତୃତ୍ୱ ନେବାକୁ ସୁଯୋଗ ଦେଇଛି ବୋଲି ଆଜି ମାନ୍ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।