ଗୋପାଳପୁର ଥାନାରେ ଫିନାଇଲ୍ ପିଇଲେ ନାବାଳିକା : ପୁରୁଷବନ୍ଧୁ ଗିରଫ
ବ୍ରହ୍ମପୁର : ଥାନା ଭିତରେ ଫିନାଇଲ୍ ପିଇଲେ ନାବାଳିକା ଗୁରୁତର । ଗୁରୁତର ଅବସ୍ଥାରେ ଏମ୍କେସିଜିରେ ଭର୍ତ୍ତି । ସୂଚନା ମୁତାବକ, ଜଣେ ନାବାଳିକା ନିଜ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବା ପାଇଁ ଆସିଥିଲେ । ସମୁଦ୍ରକୂଳରେ ବୁଲିସାରିବା ପରେ ୨ ଘଣ୍ଟା ପାଇଁ ଜଣକ ଘରକୁ ଭଡ଼ାରେ ମାଗିଥିଲେ । ସେ ମନା କରିବାରୁ ଅଭିଯୋଗ କରିବା ପାଇଁ ଥାନାରେ ପହଞ୍ଚିଥିଲେ । ନାବାଳିକା ହୋଇଥିବାରୁ ପୁଲିସ ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିବାରୁ ନାବାଳିକାଙ୍କ ବାପା ଖବର ପାଇ ଥାନାରେ ପହଞ୍ଚିଥିଲେ । ବାପାଙ୍କୁ ଥାନାରେ ଦେଖି ନାବାଳିକା ଚିନ୍ତାରେ ପଡ଼ି ଭୟ କିମ୍ବା ଅନ୍ୟ କୌଣସି କାରଣରୁ ଥାନା ଭିତରେ ଫିନାଇଲ୍ ପିଇ ଦେଇଥିଲେ ।
ପୁଲିସ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍କେସିଜିରେ ଭର୍ତ୍ତି କରିଥିଲା । ଏମ୍କେସିଜି ଆଶୁ ଚିକିତ୍ସା ବିଭାଗର ମେଡିସିନ ୱାର୍ଡରେ ଦୁଇ ଜଣିଆ ଡାକ୍ତରୀ ଟିମ୍ଙ୍କ ଅଧିନରେ ତାଙ୍କ ଚିକିତ୍ସା ଚାଲିଛି । ତେବେ କେଉଁ ପରିସ୍ଥିତିରେ ନାବାଳିକା ଥାନାରେ ଫିନାଇଲ୍ ପିଇଲେ ସେନେଇ ତଦନ୍ତ ନିମନ୍ତେ ଏସ୍ପି ଡା. ଶରବଣା ବିବେକ ଏମ୍ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁର ଏସ୍ଡିପିଓଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତଦନ୍ତ ରିପୋର୍ଟ ପରେ ପୁଲିସ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଏସ୍ପି କହିଛନ୍ତି । ତେବେ ପୁଲିସ ପୀଡ଼ିତାଙ୍କ ପୁରୁଷବନ୍ଧୁକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।