ଦିବ୍ୟ ଜୀବନ
ଡ.ଦିଲ୍ଲୀପ କୁମାର ମହାରଣା : ଏ ସଂସାରରେ ଅହରହ ମଣିଷକୁ ସଂଗ୍ରାମ କରିବାକୁ ପଡ଼ିଥାଏ - ଜୀବନସଂଗ୍ରାମ । ଯୁଦ୍ଧ କ୍ଷେତ୍ରରେ ଯେଭଳି ଆତ୍ମରକ୍ଷା ପାଇଁ ବା ଆକ୍ରମଣକୁ ପ୍ରତିହତ କରିବା ପାଇଁ ଢ଼ାଲ ଲୋଡ଼ା ହୁଏ, ଠିକ୍ ସେହିପରି ଜୀବନ ସଂଗ୍ରାମରେ ମଧ୍ୟ ଧୈର୍ଯ୍ୟ ରୂପକ ଢ଼ାଲ ପ୍ରୟୋଜନ ହୋଇଥାଏ । ଧୈର୍ଯ୍ୟ ବିପଦସମ୍ଭାଳିବାକୁ ଯେପରି ଢ଼ାଲ ସଦୃଶ କାମ କରେ ତହିଁରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ଏହା ମଣିଷର ସର୍ବଶ୍ରେଷ୍ଠ ବନ୍ଧୁ । ଯଥାର୍ଥରେ କୁହାଯାଇଛି - "ସଂପଦ ବେଳେ ସର୍ବେସଖା, ବିପଦେ ନ ଦିଅନ୍ତି ଦେଖା ।' ସମ୍ପଦ କାଳରେ ଆପଣ ସ୍ୱାର୍ଥ ସିଦ୍ଧି ପାଇଁ ବନ୍ଧୁମାନେ ଆସି ଠୁଳ ହୋଇଯାନ୍ତି । ବନ୍ଧୁତ୍ୱର ଅଭିନୟ କରିଥାନ୍ତି । ଯିଏ ପ୍ରକୃତ ବନ୍ଧୁ ସିଏ ବିପଦ କାଳରେ ମଧ୍ୟ ବନ୍ଧୁର ପାଖେ ପାଖେ ଥାଏ । ଏଭଳି ଏକ ବନ୍ଧୁ ହେଲା ଧୈର୍ଯ୍ୟ ।
ବିପଦବେଳେ ଧୈର୍ଯ୍ୟ ଏବଂ ସଭାରେ ଭାଷଣ ଦେବାରେ ପାରଙ୍ଗମ କଳା ହିଁ ସାହାଯ୍ୟ କରିଥାଏ । ଏହି ଧୈର୍ଯ୍ୟ ମାନବଧର୍ମର ଏକ ଅବିଛେଦ୍ୟ ଅଙ୍ଗ । ମନୁଷ୍ୟ ଦୁଃଖରେ, ପ୍ରତିକୂଳ ପରିବେଶରେ, କାହା ବିଚ୍ଛେଦରେ, କାହାରି ଅତ୍ୟାଚାରରେ ଯେତେବେଳେ ବିଚଳିତ ହୋଇ, ବିଚାର ବୁଦ୍ଧି ଶୂନ୍ୟ ହୋଇଯାଏ, ସେ ଭାବପ୍ରବଣ ହୋଇ ଭୁଲ ବାଟରେ ଚାଲିଯିବାର ସମ୍ଭାବନା ସେତେବେଳେ ସର୍ବାଧିକ ହୁଏ । ଏପରିକି ସେ ଆବେଗର ବଶବର୍ତ୍ତୀ ହୋଇ ଉପକାରୀ ବନ୍ଧୁଙ୍କୁ ମଧ୍ୟ ଶତ୍ରୁ ବୋଲି ବିଚାରିପାରେ । ଯେ ନିଜକୁ ସହଯୋଗ କରି, ଆଗକୁ ଗୋଡ଼ ବଢ଼ାଏ ପରମେଶ୍ୱର ତାଙ୍କୁ ଆଗକୁ ଟାଣି ନିଅନ୍ତି । କଣ୍ଟକମୟ ପଥରେ ଅଜସ୍ର ଗୋଲାପ ଫୁଲ ପାଖୁଡ଼ା ବିଛେଇ ଦିଅନ୍ତି । କାଳେ କାଳେ ବିପଦ ଭିତରୁ ହିଁ ମନୁଷ୍ୟ ମୁକ୍ତିର ମନ୍ତ୍ର ଶିକ୍ଷାଲାଭ କରେ । ସନ୍ତର୍ପଣରେ, ଧୈର୍ଯ୍ୟର ସହ ଗତି କଲେ ସିଦ୍ଧିର ସୋପାନ ପାଖରେ ପହଞ୍ଚବା ସମ୍ଭବ ହୁଏ, ଧୀଶକ୍ତି ପ୍ରଖର ହୁଏ, ବିବେକର ବାଣୀ ଶୁଣିବାକୁ ଚିତ୍ତ ଏକାଗ୍ର ହୁଏ । ସର୍ବୋପରି ପରମେଶ୍ୱରଙ୍କୁ ପ୍ରାଣଭରି ପ୍ରାର୍ଥନା କରିବା ପାଇଁ ଏକାଗ୍ର, ସ୍ଥିର ଚିତ୍ତ ଧୈର୍ଯ୍ୟର ହାତ ଧରି ସମର୍ପିତ ହୋଇଯାଏ । ସ୍ୱପ୍ନକୁ ସଫଳ କରିବାକୁ ହେଲେ ଜୀବନରେ ପୂର୍ଣ୍ଣତା ପାଇବାକୁ ହେଲେ, ସଫଳତା ପାଇବାକୁ ହେଲେ ଧୈର୍ଯ୍ୟ ହିଁ ଅମୋଘ ଅସ୍ତ୍ର । ଏ ଅସ୍ତ୍ର ଧ୍ୱଂସକାରୀ ନୁହେଁ କଲ୍ୟାଣକାରୀ ।
ମୋ: ୯୪୩୮୫୮୩୨୮