ଚାପଗ୍ରସ୍ତ ଜୀବନର ପରିଣତି

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ ଚାପଗ୍ରସ୍ତ ଜୀବନର ପରିଣତି ବାବଦରେ କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ଜୀବନରେ ସବୁଠାରୁ ବଡ କଥା ହେଉଛି ନିଜକୁ ଖୁସିରେ ରଖିବା  । ଖୁସିରେ ରହିବାକୁ କିଏ ବା ଚାହେଁନି ? ଜୀବନରେ ଆମେ ଯାହା ବି କରୁଛେ ସେସବୁର ଉଦେ୍ଦଶ୍ୟ ହଉଚି ଖୁସି ଟିକିଏ ପାଇବା, ଆନନ୍ଦ ପାଇବା  ।
କିନ୍ତୁ ଖୁସି ଆଜି ଅନେକଙ୍କ ପାଇଁ ସ୍ୱପ୍ନ ପାଲଟିଯାଇଛି  । ଆମ ମୁହଁରେ ହସ ଟିକିଏ ନାହିଁ, ସୁଖ ନାହିଁ  । ଆମେ ଯେଉଁ ହସ ହସୁଛେ ସେତକ ବି ଖାଦ ମିଶା  । ବାଧ୍ୟବାଧକତାରେ ହସିବାକୁ ପଡୁଛି ବୋଲି ହସୁଛେ  । ଅନେକ ସମୟରେ ଇଚ୍ଛା ନଥାଇ ହସୁଛେ  । କହିବାକୁ ଗଲେ ଆଜି ଆମ ଜୀବନରୁ ଖୁସି ବୋଲି ଚିଜଟା ଉଭେଇ ଯାଇଛି, କୁଆଡେ ହଜିଯାଇଛି, ଯେତେ ଦରାଣ୍ଡିଲେ ବି ମିଳୁନାହିଁ  ।
ଆଜ୍ଞା, ଖୁୁସି କେଉଁଠି ଖୋଜିଲେ ମିଳେ ନାହିଁ  । ଖୁସି ତ କିଣା ଜିନିଷ ନାଇଁ ଯେ କୋଉଠୁ କିଣି ଦେଇ ଆମେ ଧରି ପଳେଇ ଆସିବା  । ଖୁସି ହେଉଛି ଅନ୍ତରର ଅଭିବ୍ୟକ୍ତି । ଖୁସି ଯଦି ଅନ୍ତରରେ ନଥିବ ତେବେ ତାହା ବାହାରକୁ ଉକୁଟିବ କିମିତି ? ଏଥିପାଇଁ ଖୁସି ବାଣ୍ଟିବାକୁ ପଡିଥାଏ  । ଅନ୍ୟକୁ ଖୁସି ଦେଇପାରିଲେ ସେଇଥିରୁ ମିଳିଥାଏ ପରମ ତୃପ୍ତି  । ଏହି ତୃପ୍ତି ହିଁ ଜୀବନରେ ଭରିଦିଏ ଅଫୁରନ୍ତ ଆନନ୍ଦ  । ତୃପ୍ତି ହିଁ ଖୁସିର କାରଣ । ତୃପ୍ତି ଥିଲେ ଜୀବନ ଜୀବନ୍ତ ହୋଇ ଉଠେ  । କିନ୍ତୁ ତୃପ୍ତି ଥିଲେ ସିନା !
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।