କିଟ୍ରେ ପ୍ରଥମ ମୁଟ୍ କୋର୍ଟ ପ୍ରତିଯୋଗିତା
ଭୁବନେଶ୍ୱର : କିଟ୍ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୫ ରବିବାର ଉଦଯାପିତ ହୋଇଯାଇଛି । ଏଥିରେ ନାଲସାର, ହାଇଦ୍ରାବାଦ ଦଳକୁ ବିଜୟୀ ଘୋଷଣା କରାଯିବା ସହ ୨ ଲକ୍ଷ ଟଙ୍କାର ନଗଦ ଆର୍ଥିକ ପୁରସ୍କାର ପ୍ରଦାନ କରଯାଇଥିଲା । ସେହିପରି ଶାସ୍ତ୍ରା ୟୁନିଭରସିଟି ପ୍ରଥମ ରନର୍ସ-ଅପ୍ ଭାବରେ ୧ ଲକ୍ଷ ଟଙ୍କା ଓ ମଣିପାଲ ଲ ସ୍କୁଲ ଦ୍ୱିତୀୟ ରନର୍ସ-ଅପ୍ ହୋଇ ୭୫ ହଜାର ଟଙ୍କାର ପୁରସ୍କାର ହାସଲ କରିଥିଲା । ଏହି ପ୍ରତିଯୋଗିତାରେ ମୁମ୍ବାଇ ସରକାରୀ ଆଇନ ମହାବିଦ୍ୟାଳୟର ହିମାଂଶୁ ଶ୍ରୀବାସ୍ତବଙ୍କୁ ଶ୍ରେଷ୍ଠ ବକ୍ତା ପୁରସ୍କାର, ବାଂଲାଦେଶର ଆମେରିକାନ ଇଣ୍ଟରନ୍ୟାସନାଲ ୟୁନିଭରସିଟିର ମହମ୍ମଦ ଓୟସି ଉଜ୍ଜମାନଙ୍କୁ ଶ୍ରେଷ୍ଠ ଗବେଷକ ପୁରସ୍କାର ଓ ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ନାଗପୁରକୁ ଶ୍ରେଷ୍ଠ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ବର୍ଗ ପାଇଁ ୩୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ୧୬ଟି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ୧୧ଟି ସରକାରୀ ଆଇନ ମହାବିଦ୍ୟାଳୟ, ୨୪ଟି ଘରୋଇ ଆଇନ ମହାବିଦ୍ୟାଳୟ ଓ ୨ଟି ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସମେତ ମୋଟ ୫୪ଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭିକ ଏବଂ ନକଆଉଟ୍ ରାଉଣ୍ଡ ପରେ ଶ୍ରେଷ୍ଠ ଦଳଗୁଡିକ ଫାଇନାଲରେ ପ୍ରବେଶ କରିଥିଲେ । ଉଦଯାପନୀ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି.ଗୋପାଳ ଗୌଡା ଉଦୀୟମାନ ଆଇନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବାରେ କିଟ ଲ ସ୍କୁଲର ପଦକ୍ଷେପକୁ ପ୍ରଶଂସା କରିଥିଲେ । ସେ କହିଲେ, ମୁଟ୍ କୋର୍ଟରେ ଅଂଶଗ୍ରହଣ କରିବା ଏବଂ ଭଲ ଆଇନଜୀବୀ ହେବା ଦିଗରେ ଆଇନ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ । ଏହି ଅବସରରେ ସେ କିଟ ଓ କିସର ସମସ୍ତ କ୍ୟାମ୍ପସ ପରିଦର୍ଶନ କରିବା ସହ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଜଷ୍ଟିସ୍ ଗୌଡା କହିଲେ କିସ୍ ରେ ୪୦ ହଜାର ଜନଜାତି ପିଲା ଶିକ୍ଷା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରୁଛନ୍ତି ।