ରାମାଭିଷେକ ନୀତି ପରେ ଶେଷ ହେଲା ସାହିଯାତ
ପୁରୀ : ରାମାଭିଷେକରେ ଶେଷ ହୋଇଛି ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ସାହିଯାତ । ସାହିଯାତର ଅନ୍ତିମ ପର୍ବରେ ଗୌଡ଼ବାଡ଼ ସାହି ପକ୍ଷରୁ ରାମାଭିଷେକ ଲୀଳା ପ୍ରଦର୍ଶିତ ହେବା ସହ ସାହିଯାତ ପଟୁଆର ବାହାରିଥିଲା । ଏହି ଅବସରରେ ପତିଆରା ହନୁମାନ ନୀତି ମଧ୍ୟ ସଂପନ୍ନ ହୋଇଥିଲା । ଗୌଡ଼ବାଡ଼ ସାହି ଆଖଡ଼ାରୁ ରାମାଭିଷେକ ନୀତି ପାଇଁ ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ସୀତା ଓ ବଶିଷ୍ଠ ୠଷି ବାହାରିଥିଲେ । ସାହି ପରିକ୍ରମା କରିଥିଲେ ପତିଆରା ହନୁମାନ । ଏହି ସୁଦୃଶ୍ୟ ଶୋଭାଯାତ୍ରା ଆଗେ ଆଗେ ଚାଲିଥିଲା ପୁଷ୍ପରେ ପ୍ରସ୍ତୁତ ସୁନ୍ଦର ହନୁମାନଙ୍କ ପ୍ରତୀକ । ସାହିଯାତ ପଟୁଆର ପତିଆରା ହନୁମାନଙ୍କ ସହ ନୃସିଂହ ମେଢ, ଖୋଲା ମୁହଁ ମେଢ, ଗଣେଷ ମେଢ ଓ ନାଗା ବାହାରିଥିଲେ । ସାହିଯାତ ପାଇଁ ଗୌଡ଼ବାଡ଼ ସାହି ଓ ହରଚଣ୍ଡୀ ସାହି ଉଜ୍ଜ୍ୱଳ ଆଲୋକରେ ଉଦ୍ଭାଷିତ ହୋଇ ଉଠିଥିଲା । ରାମାଭିଷେକ ନୀତି ପାଇଁ ଗୌଡ଼ବାଡ଼ ସାହି ଆଖଡ଼ାରୁ ହନୁମାନ, ବଶିଷ୍ଠ, ଭରତ, ଶତ୍ରୁଘ୍ନ ବେଶଧାରୀ କଳାକାରମାନେ ଶ୍ରୀମନ୍ଦିରକୁ ଯାଇଥିଲେ । ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ସନ୍ଧ୍ୟାଆଳତି ଓ ଦକ୍ଷିଣିଘର ପୂଜା ପରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ଚଳନ୍ତି ବିଗ୍ରହ ରତ୍ନସିଂହାସନକୁ ବିଜେ କରିଥିଲେ । ଆଜ୍ଞାମାଳ ପାଇବା ପରେ ପାଲିଙ୍କିରେ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠକୁ ଯାଇଥିଲେ । ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ବସିଥିବା ବେଳେ ଭରତ ଓ ଶତ୍ରୁଘ୍ନ ଭଣ୍ଡାର ଘରୁ ପାଦୁକା ନେଇଥିଲେ । ଘଣ୍ଟ, ଛତା, କାହାଳୀ ସହ ଜଗନ୍ନାଥ ବଲ୍ଲଭ ମଠକୁ ପାଦୁକା ବିଜେ କରାଯାଇଥିଲା । ପରମ୍ପରା ଅନୁଯାୟୀ ସେଠାରେ ରାମାଭିଷେକ ଲୀଳା ଅନୁଷ୍ଠିତ ହୋଇଥିଲା । ଏହା ପରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ବିଗ୍ରହ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।