କୁକୁଡା ଫାର୍ମରୁ ପାଣି ପମ୍ପ ଚୋରି

ବୁଗୁଡ଼ା : ସୁବୁଦ୍ଧିପଲ୍ଲୀ ଗାଁ ନିକଟସ୍ଥ ଏକ କୁକୁଡା ଫାର୍ମରୁ ପାଣି ପମ୍ପ ଚୋରିକୁ ନେଇ ବୁଗୁଡା ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ସୁବୁଦ୍ଧିପଲ୍ଲୀ ଗ୍ରାମ ନିକଟରେ ଥିବା ଦଣ୍ଡପାଣି ବେହେରାଙ୍କ କୁକୁଡା ଫାର୍ମରେ ଲାଗିଥିବା ପାଣି ପମ୍ପଟିକୁ ଗତ ୧୯ ତାରିଖ ରାତିରେ କେହି ଚୋରି କରି ନେଇଯାଇଥିବା ବେଳେ ୨୦ ତାରିଖ ସକାଳେ ସେ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଦଣ୍ଡପାଣିଙ୍କ ଅଭିଯୋଗକ୍ରମେ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାଯାଇଛି । ଉଲ୍ଲେଖଯୋଗ୍ୟ, ପୂର୍ବରୁ ଗତ ନଭେମ୍ବର ୧୩ ତାରିଖ ରାତିରେ ସେହି ଫାର୍ମରୁ ଏକ ପମ୍ପସେଟ୍ ସହ ପ୍ରାୟ ଲକ୍ଷାଧିକ ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା । ସେହି ଘଟଣା ପରେ ସେଠାରେ ଲଗାଯାଇଥିବା ନୂଆଁ ପାଣି ପମ୍ପଟିକୁ ପୁଣି ଏବେ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଛି । ଅନ୍ୟପକ୍ଷରେ ବୁଗୁଡା ଅଞ୍ଚଳରେ ବାରମ୍ବାର ହେଉଥିବା ଚୋରି ଘଟଣାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଉଛି ।