ଦାରିଦ୍ର୍ୟ କଷାଘାତରେ ୪ ହଜାର କମ୍ପୁ୍ୟଟର ଶିକ୍ଷକ
ବ୍ରହ୍ମବରଦା: ରାଜ୍ୟ ସରକାର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଶିକ୍ଷା ବିଭାଗକୁ ୫-ଟିରେ ସାମିଲ କରି ବୈଷୟିକ ଶିକ୍ଷା ଠାରୁ ଆରମ୍ଭ କରି କମ୍ପୁଟର ଶିକ୍ଷା ପଯ୍ୟନ୍ତ ଏହାର ପର୍ଯ୍ୟାପ୍ତ ବ୍ୟବସ୍ଥା ମଧ୍ୟ କରୁଛନ୍ତି । କିନ୍ତୁ କମ୍ପୁ୍ୟଟର ଶିକ୍ଷାଦାନ ନିମନ୍ତେ ପୂର୍ବରୁ ନିୟୋଜିତ ଶିକ୍ଷକ ଏବେ କେତେ ଯେ ଦୟନୀୟ ଅବସ୍ଥାରେ ରହିଛନ୍ତି ତାହା ଏବେ ଦେଖିବାକୁ ମିଳିଛି । ସୂଚନା ଥାଉ କି ରାଜ୍ୟରେ କମ୍ପୁ୍ୟଟର ଶିକ୍ଷାର ଗୁରୁତ୍ୱକୁ ଉପଲବ୍ଧ କରି ରାଜ୍ୟ ସରକାର ୨୦୧୪ ମସିହାରେ ରାଜ୍ୟର ସମସ୍ତ ୪ହଜାର ଉଚ୍ଚବିଦ୍ୟାଳୟ ମାନଙ୍କରେ କମ୍ପୁ୍ୟଟର ଶିକ୍ଷା ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ ରାଜ୍ୟ ରାଜ କୋଷରୁ କୋଟି କୋଟି ଟଙ୍କାର ବ୍ୟୟ ବରାଦରେ ୨୦୧୪ ମସିହାରେ ୪ହଜାର ସରକାରୀ ଉଚ୍ଚବିଦ୍ୟାଳୟ ମାନଙ୍କରେ ଆଇସିଟି ଲ୍ୟାବ ପ୍ରତିଷ୍ଠା କରାଯାଇ ୪ହଜାର କମ୍ପୁ୍ୟଟର ଶିକ୍ଷକଙ୍କୁ ୨ଟି ଠିକା ସଂସ୍ଥା ମାଧ୍ୟମରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଯାହାର ୫ବର୍ଷ ପରେ କମ୍ପାନୀର କାର୍ଯ୍ୟ କାଳ ଶେଷ ହୋଇଯାଇଥିଲା । ଫଳରେ ୪ହଜାର କମ୍ପୁ୍ୟଟର ଶିକ୍ଷକ (ସ୍କୁଲ ସଂଯୋଜକ)ଙ୍କୁ ଛଟେଇ କରାଯାଇଥିଲା । ଯାହାଦ୍ୱାରା ସେବେ ଠାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଜୀବନ କାଳାତିପାତ କରୁଛନ୍ତି । ତା ସହିତ ଏବେ ବିଦ୍ୟାଳୟରେ ପୂର୍ବରୁ ପଡ଼ି ରହିଥିବା କୋଟିକୋଟି ଟଙ୍କାର କମ୍ପୁ୍ୟଟର ସମାଗ୍ରୀ ଖତ ଖାଇ ନଷ୍ଟ ହେଉଛି । ବର୍ତ୍ତମାନ ସମୟରେ ରାଜ୍ୟ ସରକାର ଶିକ୍ଷା ବିଭାଗକୁ ୫ଟିରେ ରୂପାନ୍ତରୀକରଣ ମାଧ୍ୟମରେ ସାମିଲ କରି ରାଜ୍ୟର ସମସ୍ତ ବିଦ୍ୟାଳୟ ମାନଙ୍କୁ ଉନ୍ନତ ମାନର ଇ-ଲାଇବ୍ରେରୀ, ବିଜ୍ଞାନ ପ୍ରୟୋଗ ଶାଳା, ଆଇସିଟି ଲ୍ୟାବ, ଉନ୍ନତମାନର ଶୈଚାଳୟ, ସ୍ମାର୍ଟ କ୍ଲାସ୍ ରୁମ, ଖେଳପଡ଼ିଆ ଓ ଖେଳ ସାମଗ୍ରୀ ଯୋଗାଇ ଦିଆଯାଇଛି ଏବଂ ବିଦ୍ୟାଳୟରେ ପାର୍କ, ସାଇକେଲ ଷ୍ଟାଣ୍ଡ ସହିତ ବିଦ୍ୟାଳୟର ପାଚେରୀ କାନ୍ଥମାନଙ୍କୁ ରଙ୍ଗ ବେରଙ୍ଗର ଚିତ୍ର କରି ସୁସଜ୍ଜିତ କରାଇ ସରକାର ବାହାବାହା ନେଉଛନ୍ତି । ହେଲେ ବିଦ୍ୟାଳୟରେ କମ୍ପୁଟର ପାଠ ପଢାଇବା ପାଇଁ ବିଦ୍ୟାଳୟରେ କୌଣସି ଶିକ୍ଷକ ନିଯୁକ୍ତ ନାହାନ୍ତି ନାହାନ୍ତି ଯାହାଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେବା ସହ ପୂର୍ବପରି କମ୍ପୁ୍ୟଟର ସାମଗ୍ରୀ ଗୁଡିକ ପଡ଼ି ପଡି ନଷ୍ଟ ହୋଇଛି । ସେପଟେ ୨୦୧୯ମସିହା ପରଠାରୁ ଦୀର୍ଘ ୫ବର୍ଷ ପରେ ରାଜ୍ୟ ସରକାର ତରଫରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିକାଶ ସଂଖ୍ୟାଲଘୁ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗ ଅଧିନରେ ରାଜ୍ୟରେ ପୁଣି ୮୫୧୧ ଗୋଟି ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଓକାକ୍ ମାଧ୍ୟମରେ ଆଉଟସୋର୍ସିଂରେ କମ୍ପୁ୍ୟଟର ଆସିଷ୍ଟାଣ୍ଡ ପଦବୀ ସୃଷ୍ଟି କରାଯାଇଥିଲେ ସୁଦ୍ଧା ପୂର୍ବରୁ ୫ବର୍ଷ କାର୍ଯ୍ୟକରି ଛଟେଇ ହୋଇ ଘରେ ରହିଥିବା କମ୍ପୁ୍ୟଟର ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ନଦେଇ ପ୍ରତାରଣା କରିଥିବା ସଂଘ ଦାବି କରିଛି । ସେଥିମଧ୍ୟରୁ ଯାଜପୁର ଜିଲାର ବଡ଼ଚଣା ବ୍ଲକରେ ୩୪ଟି ସ୍କୁଲ, ବରୀରେ ୨୬ଗୋଟି, ବିଞ୍ଝାରପୁରରେ ୨୪ଗୋଟି, ଦଶରଥପୁରରେ ୩୫ଗୋଟି, ଦାନଗଦୀରେ ୧୩ଗୋଟି, ଯାଜପୁରରେ ୨୧ଗୋଟି, କୋରେଇରେ ୧୪ଗୋଟିି, ବ୍ୟାସନଗରରେ ୫, ଯାଜପୁର ମୁନୁସିପାଲଟିରେ ୬ଗୋଟି, ଧର୍ମାଶାଳାରେ ୨୭ଗୋଟି, ରସୁଲପୁରରେ ୨୦ ଗୋଟି ଓ ସୁକିନ୍ଦା ବ୍ଲକରେ ୧୨ଗୋଟି ସ୍କୁଲକୁ ମିଶାଇ ମୋଟ ୧୦ ଗୋଟି ବ୍ଲକରେ ୨୩୭ ଗୋଟି ସ୍କୁଲ ରହିଅଛି । ଏହି ୨୩୭ ଗୋଟି ବିଦ୍ୟାଳୟରେ ମୋଟ ୨୩୭ ଜଣ କମ୍ପୁ୍ୟଟର ଶିକ୍ଷକ ନିଯୁକ୍ତି ପାଇଥିଲେ । ବର୍ତ୍ତମାନ ବାହାରିଥିବା ୮୫୧୧ ଗୋଟି କମ୍ପୁ୍ୟଟର ଆସିଷ୍ଟାଣ୍ଡ ପଦବୀରେ ପୁନଃ ନିଯୁକ୍ତି ପାଇଁ ଚାହିଁ ରହିଛିନ୍ତି । ଛଟେଇ ହୋଇଥିବା ୨୩୭ ସ୍କୁଲ କମ୍ପୁ୍ୟଟର ଶିକ୍ଷକ । ତେଣୁ ଦେଖିବାକୁ ବାକି ରହିଲା ଏହି୨୩୭ ଜଣ କମ୍ପୁ୍ୟଟର ଶିକ୍ଷକଙ୍କୁ ସରକାର କେବେ ନିଯୁକ୍ତି ଦେଉଛନ୍ତି ।