କୁଜଙ୍ଗ ଗାନ୍ଧି ନାରାୟଣ ବୀରବର

କେନ୍ଦ୍ରାପଡ଼ାର ଇନ୍ଦୁପୁରରେ ଜନ୍ମ ହୋଇଥିଲେ ହେଁ ନାରାୟଣ ବୀରବର ସାମନ୍ତଙ୍କୁ କୁଜଙ୍ଗ ଗାନ୍ଧି କୁହାଯାଏ । କାରଣ, ତାଙ୍କ କର୍ମମୟ ଜୀବନର ଏକ ବଡ଼ ଭାଗ କୁଜଙ୍ଗରେ କଟିଥିଲା । ୧୯୨୦ ବେଳକୁ ସମଗ୍ର କୁଜଙ୍ଗରେ ସେ ପରିଚିତ ହୋଇସାରିଥିଲେ । ଏକ ଘଟନାକ୍ରମେ କୁଜଙ୍ଗର ମତ୍ସ୍ୟଜୀବୀମାନେ ଜୀବିକା ହରାଇଥିଲେ । ବର୍ଦ୍ଧମାନର ରାଜା କୁଜଙ୍ଗକୁ ନିଲାମରେ କିଣି ଶାସନ କରିବାରୁ ସେ ପରି ଘଟିଥିଲା । ଧୀବରମାନଙ୍କର ଦୁଃସ୍ଥିତିରେ ନାରାୟଣ ବୀରବର ଦୁଃଖିତ ହୋଇ ସେମାନଙ୍କ ସହାୟତା କରିଥିଲେ । ତାଙ୍କ ନେତୃତ୍ୱରେ ପ୍ରାୟ ଚାରି ବର୍ଷର ଆନେ୍ଦାଳନ ପରେ ଧୀବରମାନେ ନିଜର ପୂର୍ବାଧିକାର ତଥା କୌଳିକ ବୃତ୍ତି ଫେରିପାଇଥିଲେ । ଲବଣ ସତ୍ୟାଗ୍ରହ ବେଳେ କାଳିଆ ପାଟ ଓ ଗଡ଼ କୁଜଙ୍ଗ ଅଞ୍ଚଳରେ ସେ ସକ୍ରିୟ ଥିଲେ । କୁଜଙ୍ଗ ରାଜା ଜଗଦୀଶ ଷଣ୍ଢଙ୍କ କନ୍ୟା ରତ୍ନମାଳୀ ଜେମାଙ୍କ ସହ ତାଙ୍କର ବିବାହ ହୋଇଥିଲା । ରାଜାଘର ଜ୍ୱାଇଁ ଭାବେ କୁଜଙ୍ଗରେ ଅବସ୍ଥାନ କାଳରେ ସେ ମୁଖ୍ୟତଃ ଆନେ୍ଦାଳନାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ । ରାଜଜେମା ମଧ୍ୟ ସମସ୍ତ ପ୍ରକାରେ ସହଯୋଗ କରୁଥିଲେ । ନାରାୟଣ ବୀରବରଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ତାଙ୍କ ଶାଶୂ ତଥା କୁଜଙ୍ଗର ପାଟରାଣୀ ଭଗବତୀ ମହାଦେଈ ମଧ୍ୟ ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ । ନାରାୟଣ ବୀରବର ଥିଲେ ଖାଣ୍ଟି ଗାନ୍ଧିବାଦୀ । ଖରା, ବର୍ଷା, ଶୀତ ବର୍ଷସାରା ଦୁଇ ଖଣ୍ଡ ଖଦଡ଼ ହିଁ ପିନ୍ଧୁଥିଲେ । କାନ୍ଧରେ ପଡ଼ୁଥିଲା ଖଦଡ଼ ମୁଣା । ଏଣୁ ଲୋକମୁଖରେ ପାଲଟିଥିଲେ କୁଜଙ୍ଗ ଗାନ୍ଧି । ପୁଣି ରାଜାଘର ଜ୍ୱାଇଁ ହୋଇଥିବାରୁ ଲୋକେ ଶ୍ରଦ୍ଧାରେ ଡାକୁଥିଲେ ସାଆନ୍ତେ । ଏଥି ସହ ନାରାୟଣ ବୀରବରଙ୍କ ପିତୃଦତ୍ତ ନାମ ଥିଲା ମିହିର । ଶୈଶବରେ ପିତାଙ୍କୁ ହରାଇବାରୁ ମାମୁ ଆଠଗଡ଼ର ରାଜା ବଳରାମ ବୀରବର ସାମନ୍ତ, ତାଙ୍କୁ ପୋଷ୍ୟ କରି ନାମ ବଦଳାଇଥିଲେ । ରାଜ ପରିବାରର ପୋଷ୍ୟ ଏବଂ ଆଉ ଏକ ରାଜ ପରିବାରର ଜାମାତା ହେବାରୁ, ସେ ବିପୁଳ ଭୂ-ସଂପତ୍ତିର ଅଧିକାରୀ ହୋଇପାରିଥିଲେ । ତେବେ ବିଳାସବ୍ୟସନ ଠାରୁ ଦୂରେଇ ରହି ଅଧିକାଂଶ ଭୂ-ସଂପତ୍ତି ଦାନ କରିଦେଇଥିଲେ । ତାଙ୍କ ଦାନ ଜମିରେ ଏରସମାର କୁଞ୍ଜକୋଠିରେ ମାତୃଗ୍ରାମ ପ୍ରତିଷ୍ଠିତ । ୧୯୦୦ ଅକ୍ଟୋବର ୨୧ ତାରିଖରେ ନାରାୟଣ ବୀରବର ଜନ୍ମ ହୋଇଥିଲେ । 
ଡ. ଅରୁନ୍ଧତୀ ଦେବୀ
ମୋ : ୯୯୩୭୧୭୨୮୧୦