ଫୁଲ ବଜାରର ଭୟାବହତା
ବର୍ତ୍ତମାନ ସହରାଞ୍ଚଳ ଗୁଡ଼ିକରେ ପରିବା, ଖାଦ୍ୟ ପଦାର୍ଥ, ଜଳଖିଆ ଏବଂ ଗୃହ ଉପକରଣ ଭଳି ଆଉ କିଛି ପଦାର୍ଥର ବଜାର ଦିନକୁ ଦିନ ବଢ଼ି ଚାଲିଛି । ସହରାଞ୍ଚଳ ଗୁଡ଼ିକରେ ଫୁଲର ବଜାର ଏକ ସ୍ୱତନ୍ତ୍ର ସ୍ଥାନ ମାଡ଼ି ବସିଲାଣି । ପ୍ରତିଦିନ ସହରାଞ୍ଚଳ ଗୁଡ଼ିକରେ ଆୟୋଜିତ ହେଉଥିବା ସଭା ସମିତି, ପର୍ବପର୍ବାଣୀ, ଉତ୍ସବ ପାଳନ ଆଦି କାର୍ଯ୍ୟକ୍ରମରେ ବିପୁଳ ପରିମାଣର ଫୁଲର ଆବଶ୍ୟକତା ପଡୁଛି । ଏହି ଫୁଲ ବଜାର ଦିନକୁ ଦିନ ସମ୍ପ୍ରସାରିତ ହେଉଛି ଏବଂ ସହରାଞ୍ଚଳ ଗୁଡ଼ିକରେ ନୂଆ ନୂଆ ଫୁଲ ଦୋକାନ ସବୁ ଗଢ଼ି ଉଠୁଛି । ଅର୍ଥନୀତି ଏବଂ କୃଷି କ୍ଷେତ୍ରରେ ଫୁଲର ଚାହିଦା ଯଥେଷ୍ଟ ଅଧିକ । ବର୍ତ୍ତମାନ ଫୁଲ ତୋଡ଼ା ତିଆରିବା ପାଇଁ ଏବଂ ଦୈନନ୍ଦିନ ବ୍ୟବହାରରେ ପୂଜା ଆଦି କାର୍ଯ୍ୟରେ ଲାଗିବା ପାଇଁ ଅଧିକାଂଶ ଫୁଲ ଓଡ଼ିଶା ବାହାରୁ ଆସୁଛି । ଫୁଲ ଚାଷ ଉପରେ ଗୁରୁତ୍ୱ ଦେବା ପାଇଁ କୃଷି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ ହୋଇ କେବଳ ଫୁଲ ଚାଷକୁ ଉତ୍ସାହିତ କରିବା ପାଇଁ ରଜନୀଗନ୍ଧା, ଗେଣ୍ଡୁ, କ୍ଲାଓଡ଼ÿିଓଲା ଭଳି ଦେଶୀ ବିଦେଶୀ ଫୁଲର ଚାଷ ପାଇଁ କୃଷକମାନଙ୍କୁ ଉତ୍ସାହିତ କରାଯାଉଛି । ଫୁଲଚାଷ ସହିତ ବର୍ତ୍ତମାନ ଫୁଲ ବଜାରରେ କିଛି ସ୍ୱତନ୍ତ୍ର ଗଛପତ୍ରର ବ୍ୟବହାର କରାଗଲାଣି । ସେଥିମଧ୍ୟରୁ ଜଙ୍ଗଲରେ ପ୍ରାକୃତିକ ଭାବରେ କିଛି ଆଲଙ୍କାରିକ ଗଛ ରହିଛି । ସେଗୁଡିକ ମଧ୍ୟରୁ ଅଡ଼ଙ୍ଗା ହେଉଛି ଗୋଟିଏ । ଏହା ହେଉଛି ଏକ ଔଷଧୀୟ ଉଦ୍ଭିଦ ଏବଂ ଜଙ୍ଗଲରେ ପ୍ରାକୃତିକ ଭାବରେ ଏହା ଜନ୍ମ ହୁଏ ଓ ବଢ଼େ । ବର୍ତ୍ତମାନ ଫୁଲତୋଡ଼ା ଗୁଡ଼ିକରେ ଛୋଟ ଛୋଟ ୟୁକାଲିପଟାସ୍ ଗଛର ଡ଼ାଳ, ଅନ୍ୟାନ୍ୟ ଗଛର ଡ଼ାଳ, ଫୁଲତୋଡ଼ା ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଉଛି । ଦିନକୁ ଦିନ ଏସବୁର ବ୍ୟବହାର ଏତେ ଅଧିକ ହେଉଛି ଯେ ପ୍ରାକୃତିକ ଭାବରେ ଜଙ୍ଗଲରୁ କେତେ ପ୍ରକାରର ଔଷଧୀୟ ଏବଂ ଆଳଙ୍କାରିକ ଗୁଳ୍ପଲତା ପ୍ରତିଦିନ ଟ୍ରକ୍ ଟ୍ରକ୍ ପରିମାଣରେ ସହରାଞ୍ଚଳକୁ ଆସୁଛି । ଫୁଲତୋଡ଼ା ଗୁଡ଼ିକ ମଧ୍ୟ ମାତ୍ର କେତେ ଘଣ୍ଟା ପାଇଁ କାମରେ ଲାଗିବା ପରେ ସେଥିମଧ୍ୟରୁ ପ୍ରାୟ ଶତକଡ଼ା ୯୦ ଭାଗ ସେହି ଦିନ ହିଁ ଆବର୍ଜନା ଭାବରେ ଫୋପଡ଼ା ହେଉଛି । ଏହା ଫଳରେ ଅଡ଼ଙ୍ଗା ଭଳି ଔଷଧୀୟ ଉଦ୍ଭିଦର ବଜାରଗତ ମୂଲ୍ୟ ଏବଂ ଚାହିଦା ରହିଥିଲେ ମଧ୍ୟ ଏହି ଗଛ ବିଲୁପ୍ତି ହେବାକୁ ବସିଲାଣି । ବିଶେଷ କରି ନୟାଗଡ଼ର ବିଭିନ୍ନ ଜଙ୍ଗଲରେ ଏହି ଅଡ଼ଙ୍ଗା ବୃକ୍ଷ ବହୁ ପରିମାଣରେ ଦେଖା ଦେଇଥାଏ । ଅଡ଼ଙ୍ଗା ଗଛର ଔଷଧୀୟ ଗୁଣ ଥିବାରୁ ଏହି ଗଛକୁ ଜଙ୍ଗଲବାସୀମାନେ କାଟି ଏହାର କାଠକୁ ଖଣ୍ଡ ଖଣ୍ଡ କରି ଔଷଧ କମ୍ପାନୀକୁ ବିକ୍ରି କରିବାରେ ଲାଗିଲେଣି । ଫୁଲ ଦୋକାନୀ ଏବଂ ଔଷଧ କମ୍ପାନୀମାନଙ୍କ ଯୋଗୁଁ ଏହି ବୃକ୍ଷଟି ଏବେ ବିଲୁପ୍ତିର ଦ୍ୱାରଦେଶରେ । ବିଭିନ୍ନ ନାମରେ ଏହି ବୃକ୍ଷଟି ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଜଙ୍ଗଲମାନଙ୍କରେ ଦେଖାଯାଏ । ଏହି ବୃକ୍ଷଟି ବହୁ ବିଳମ୍ବରେ ବଢୁଥିବାରୁ ଗୋଟିଏ ଚାରାରୁ ବଡ଼ ବୃକ୍ଷଟିଏ ହେବା ପାଇଁ ଅନେକ ବର୍ଷ ଲାଗିଯାଏ । କିନ୍ତୁ ଚାରା ବେଳୁ ହିଁ ଏହାର ପତ୍ରକୁ ଏବଂ ଗଛକୁ ନଷ୍ଟ କରି ଦିଆଯାଉଥିବାରୁ ଭିବଷ୍ୟତରେ ଏହି ବୃକ୍ଷଟି ସମ୍ପୂର୍ଣ୍ଣ ରୂପେ ବିଲୋପ ପାଇଯିବାର ସମ୍ଭାବନା ଦେଖା ଦେଲାଣି । ବର୍ତ୍ତମାନ ସହରାଞ୍ଚଳରେ ଏହି ବୃକ୍ଷଟିକୁ ଆଳଙ୍କାରିକ ବୃକ୍ଷ ଭାବରେ ରାସ୍ତାକଡ଼ରେ, ଛକ ମଝିରେ, ଲ୍ୟାଣ୍ଡସ୍ପେପ୍ମାନଙ୍କରେ ଲଗାଯାଉଛି । ତେବେ ଏହାର ପତ୍ରକୁ କାଟି ବିପୁଳ ପରିମାଣରେ ଟ୍ରକ୍ ଯୋଗେ ସହରାଞ୍ଚଳର ଫୁଲ ଦୋକାନକୁ ଅଣାଯାଉଥିବାରୁ ଏହି ଗଛଟି ବର୍ତ୍ତମାନ ଲୋପ ପାଇଯିବାକୁ ବସିଲାଣି । ବନ ବିଭାଗ ଏହି ଗଛର ସୁରକ୍ଷା ଦିଗରେ ସମ୍ପୂର୍ଣ୍ଣ ଉଦାସୀନ । ଏହି ଗଛଟିକୁ ତୁରନ୍ତ ବିଲୁପ୍ତ ପ୍ରାୟ ଉଦ୍ଭିଦ ତାଲିକାରେ ସ୍ଥାନିତ କରି ଏହି ଗଛ କାଟିବା କିମ୍ବା ବ୍ୟବସାୟିକ ଭିତ୍ତିରେ ଏହାର ପତ୍ରର ଚାଲାଣି କରିବା ଆଦିକୁ ଦଣ୍ଡନୀୟ ଅପରାଧ ଭାବରେ ଘୋଷଣା ନ କରାଗଲେ ହୁଏତ ଆଉ କେତେଟା ବର୍ଷରେ ଏହି ବୃକ୍ଷ କେବଳ ବହିର ପୃଷ୍ଠାରେ ଚିତ୍ରଟିଏ ହୋଇ ରହିଯିବ ।