କୃଷକ ଆନେ୍ଦାଳନ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

 ପୁରୀ: ପଞ୍ଜୀକରଣ ମୂତାବକ ଚାଷୀମାନଙ୍କ ସମସ୍ତ ଧାନ କିଣାଯାଉ ନଚେତ୍ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ, ଖରିଫ ଧାନ କ୍ରୟ ପାଇଁ ନୂତନ ପଞ୍ଜୀକରଣ ନୀତି ବାତିଲ୍ କରି ପୁରୂଣା ପଦ୍ଧତିରେ ଧାନ କିଣାଯିବା ଏବଂ ବ୍ରହ୍ମଗିରିର ସମସ୍ତ କେନାଲ ଏବଂ ନଦୀକୁ ସଫେଇ ସହିତ ରାଜଦଳମୁକ୍ତ କରାଯିବା ଦାବିରେ ବ୍ରହ୍ମଗିରି ଓ ପୁରୀ ସଦର ବ୍ଲକର ୨୫ଟି ପ୍ରାଥମିକ ସମବାୟ ସେବା ସମିତିର ଚାଷୀମାନେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି ୩ଦଫା ଦାବିରେ ହଜାର ହଜାର ଚାଷୀ ବ୍ରହ୍ମଗିରି ଠାରୁ ବିକ୍ଷୋଭ ପଟୁଆରରେ ବାହାରି ପୁରୀ ବଡ଼ଡ଼ାକ୍ତରଖାନା ଛକ ଦେଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚôଥିଲେ ଓ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଚାଷୀ ଆନେ୍ଦାଳନରେ ଦଳେ ଦଳେ ଯୋଗ ଦିଅ, ରାଜ୍ୟ ସରକାରଙ୍କ ମିଛୁଆ ମନ୍ତ୍ରୀଙ୍କ ଜବାବ୍ ଚଳିବ ନାହିଁ, ଯଦି ଚଳିବ ରାଜରାସ୍ତାରେ ଲଢେଇ ହେବ ଆଦି ସ୍ଲୋଗାନ୍ ଦେଇ ପ୍ରାୟ ୨୦ଟି ଟ୍ରାକ୍ଟରରେ ଆସିଥିବା ଚାଷୀମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରିଥିଲେ । ଏହି ଚାଷୀ ଆନେ୍ଦାଳନର ନେତୃତ୍ୱ ନେଇଥିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା । ଟୋକନ୍ ଥିବା ଚାଷୀମାନଙ୍କ ଠାରୁ ଧାନ କ୍ରୟ କରାଯିବା ପାଇଁ ଚାଷୀମାନଙ୍କ ପକ୍ଷରୁ ଦୃଢ ଦାବି କରାଯାଇଥିଲା । ଚାଷୀ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଦାସବର୍ମା କହିଥିଲେ ଯେ ରାଜ୍ୟ ସରକାର ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି । ସମସ୍ତ ବଳକା ଧାନ କ୍ରୟ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ  ୫୦ ପ୍ରତିଶତ ଚାଷୀମାନଙ୍କ ଠାରୁ ଅଦ୍ୟାବଧି ଧାନ କିଣାଯାଇନାହିଁ । ବ୍ରହ୍ମଗିରି, ପୁରୀ ସଦର, କଣାସ ଓ ସତ୍ୟବାଦୀ ବ୍ଲକର ଲୋକମାନେ ସଂପୂର୍ଣ୍ଣ ଭାବେ ରବି ଧାନ ଉପରେ ନିର୍ଭରଶୀଳ । ଏ ସବୁ ବ୍ଲକର ୭୦ଭାଗ ଲୋକ ହେଉଛନ୍ତି କୃଷକ । କିନ୍ତୁ ଦୁର୍ଭାଗ୍ୟର ବିଷୟ ସେବା ସମବାୟ ସମିତିରେ ପଞ୍ଜିକରଣ କରିଥିବା ଏବଂ ବୈଧ ଟୋକନ୍ ପାଇଥିବା ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରାଯାଉ ନାହିଁ । ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ିର ବ୍ରହ୍ମଗିରି ବ୍ଲକ ସଭାପତି ବିଦ୍ୟାଧର ସ୍ୱାଇଁ, କୃଷକ ନେତା ଭଗବାନ ନାୟକ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଏହାପରେ ଚାଷୀମାନଙ୍କର ଏକ ପ୍ରତିନିଧି ଦଳ ଜିଲ୍ଳାପାଳଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଥିଲେ ଯେ ଚାଷୀମାନଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଗ୍ରହଣ କରାଯାଇଛି । ଏ ବିଷୟରେ ତଦନତ ଜାରି ରହିଛି । ସମସ୍ତ ଚାଷୀଙ୍କର କିପରି ପଞ୍ଜୀକରଣ ହୋଇପାରିବ ଓ ସୁରୁଖୁରୁରେ ସେମାନେ ଧାନ ବିକ୍ରୀ କରିପାରିବେ ଏଥିପାଇଁ ପ୍ରୟାସ କରାଯାଉଛି ।