‘ବୋଲବମ୍, ହରହର ବମ୍’ ଧ୍ୱନିରେ ଶଦ୍ଦାୟିତ ଶ୍ରୀକ୍ଷେତ୍ର
ପୁରୀ: ବୋଲବମ ହରହର ବମ୍, ଭୋଲା ବାବା ପାର୍ କରେଗା, ଗଞ୍ଜଡ଼ ବାବା ପାର୍ କରେଗା, ଜଟିଆ ବାବା ପାର୍ କରେଗା, ପାରବତୀ ପତି ଶିବ୍ଜୀକୀ ଜୟ ଜୟ, ବୋଲବମ୍ ସାଇଡ଼ ବମ୍ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଥିଲା ସମଗ୍ର ବଡ଼ଦାଣ୍ଡ ଓ ପୁରୀର ପ୍ରସିଦ୍ଧ ଶୈବ ପୀଠ ଲୋକନାଥ ଦେବଙ୍କ ମନ୍ଦିର । ରବିବାର ରାତ୍ର ୧୨ଟା ପର ଠାରୁ ସୋମବାର ସକାଳ ୯ଟା ପର୍ଯ୍ୟନ୍ତ ଛୁଟିଥିଲା ଭକ୍ତଙ୍କ ସ୍ରୋତ । ଅବସର ଥିଲା ଶ୍ରାବଣ ମାସର ତୃତୀୟ ସୋମବାର । ଭକ୍ତମାନେ ସେମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ଗୈରିକ ବସନ ଧାରଣ କରି ବାହଙ୍ଗିର ଦୁଇ ପଟେ ଜଳ କଳସି ଧରି ଏକ ଲୟରେ ଛୁଟିଥିଲେ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିର ଅଭିମୁଖେ । ସହର ଆଖପାଖ ଅଞ୍ଚଳ ଓ ସହର ମଧ୍ୟରେ ଥିବା ଅଳ୍ପ ବହୁତେ ସମସ୍ତ ଶୈବ ପୀଠରେ କାଉଡ଼ିଆମାନଙ୍କ ଭିଡ଼ ବେଶ୍ ପରିଲକ୍ଷିତ ହୋଇଥିଲା । ଚାଲିଚାଲି ଆସି ରବିବାର ରାତ୍ର ସୁଦ୍ଧା ମନ୍ଦିର ସମ୍ମୁଖରେ ପହଞ୍ଚô ସୁପ୍ରଭାତକୁ ଅପେକ୍ଷା କରି ରହିଥିଲେ କାଉଡ଼ିଆମାନେ । ମନ୍ଦିରର ଦ୍ୱାର ଖୋଲି ଆଳତି ହେବା ପରେ କାଉଡ଼ିଆମାନେ ସ୍ନାନ କରି ଶିବଲିଙ୍ଗ ଉପରେ ଜଳ ଲାଗି କରିଥିଲେ । ପୁରୀ-କୋଣାର୍କ ରାସ୍ତାର ବାଲି କପିଳେଶ୍ୱର ମନ୍ଦିର, ବେଲେଶ୍ୱର ମନ୍ଦିର ଠାରୁ ଆରମ୍ଭ କରି ସହର ମଧ୍ୟଭାଗରେ ଥିବା ଆଖଣ୍ଡଳମଣି ମନ୍ଦିରରେ ବହୁ ସଂଖ୍ୟକ ବୋଲବମ୍ ଭକ୍ତ ଜଳଲାଗି କରିଥିଲେ । ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାରରେ ବୋଲବମ୍ ଭକ୍ତମାନେ ଦେବ ଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଲୋକନାଥଙ୍କ ମନ୍ଦିରରେ ତୃତୀୟ ସୋମବାରରେ ଜଳଲାଗି କରିଥିଲେ ବିଭିନ୍ନ ଅଞ୍ଚଳରୁ ଜଳ ଭାର ଧରି ଆସିଥିବା ଲକ୍ଷାଧିକ ବୋଲବମ୍ ଭକ୍ତ । ଶାନ୍ତିଶୃଙ୍ଖଳା ରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ତଥା ମନ୍ଦିର ବାହାରେ ବ୍ୟାପକ ପୁଲିସ ମୂତୟନ କରାଯାଇଥିଲା । ସିଂହଦ୍ୱାର ଓ ଶ୍ରୀମନ୍ଦିର ବେଢା କାଉଡ଼ିଆ ଭକ୍ତଙ୍କ ସମାଗମ ଯୋଗୁଁ ଲୋକାରଣ୍ୟ ହୋଇଉଠିଥିଲା ।