କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ କେନ୍ଦୁଲିପି ବିଭାଗ ଡ଼ିଫଓ ଘନଶ୍ୟାମ ମହନ୍ତଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଏହା ସହିତ ଦାବିପତ୍ରର ନକଲ ଜଙ୍ଗଲ ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପି.ସି.ସି.ଏଫ୍ ଙ୍କୁ ମଧ୍ୟ ଦିଆଯାଇଛି । ଦାବିପତ୍ରରେ ନବରଙ୍ଗପୁର ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ବଜେଟ ପ୍ରାପ୍ତ ୧୦୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କା କାଟି ଦେବା, ସରକାରୀ ଘୋଷଣା ସତ୍ତ୍ୱେ କନ୍ୟା ବିବାହ ସହାୟତା ପ୍ରଦାନରେ ବିଳମ୍ବ ଓ ଅବହେଳା କରୁଥିବା, ସର୍ବନିମ୍ନ ମଜୁରୀ ବୃଦ୍ଧି ଗତ ଜୁଲାଇ ମାସରୁ ହୋଇଥିଲେ ମଧ୍ୟ ଦୀର୍ଘ ୯ ମାସ ବିତି ଯାଇଥିଲେ ବି ସିଜିନାଲ କର୍ମଚାରୀଙ୍କର ମାସିକ ମଜୁରୀ ବୃଦ୍ଧ ହୋଇନଥିବା ଏବଂ ବିଶେଷ ଭାବରେ ସଂଘର ବହୁ ଦିନର କେଏଲ୍ଡିବି ଗଠନ ଦାବି, ସରକାର ପୁନର୍ଗଠନ କରିଥିଲେ ମଧ୍ୟ ତୃଟି ପୂର୍ଣ୍ଣ ଭାବରେ ଏହା ଗଠନ କରାଯାଇଥିବାରୁ ଏସବୁକୁ ପ୍ରତିବାଦ କରି ଶତାଧ୍ୱକ କର୍ମଚାରୀ ଏବଂ ତୋଳାଳି ମାନେ ଆଜି ଦାବିପତ୍ର ପ୍ରଦାନ କରିଛନ୍ତି । ସେଭଳି ଅନ୍ୟାନ୍ୟ ସାମାଜିକ ନିରାପତ୍ତା ମୂଳକ ଆର୍ଥିକ ସହାୟତା ପ୍ରଦାନରେ ବିଳମ୍ବ କରିବା ଏବଂ କେନ୍ଦୁପତ୍ର ତୋଳାଳୀ ମାନଙ୍କର ନିର୍ବାଚନ ଇସ୍ତାହାରରେ କେରି ପ୍ରତି ଦର ବୃଦ୍ଧି କରିବା ଘୋଷଣା ହୋଇଥିବା ସତ୍ତ୍ୱେ କେନ୍ଦୁପତ୍ର ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ ଦର ବୃଦ୍ଧି ନକରିବା ଯୋଗୁଁ ଦରବୃଦ୍ଧି ଘୋଷଣା କରିବାକୁ ଦାବି କରାଯାଇଛି । ଏହା ସହିତ କେନ୍ଦୁପତ୍ର ସଂସ୍ଥାରୁ ସଂଗ୍ରହ କରାଯାଉଥିବା ୧୮ % ଜିଏସ୍ଟିକୁ ବାତିଲ କରିବା ଏବଂ ଏ ବାବଦରେ ଅସୁଲ ଅର୍ଥକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଫେରସ୍ତ କରି ସାମାଜିକ ଯୋଜନା ମାଧ୍ୟମରେ ତୋଳାଳୀ ଓ କର୍ମଚାରୀଙ୍କୁ ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ବିଜୟ ମହାନ୍ତିଙ୍କ ଆହ୍ୱାନରେ ଓଡ଼ିଶାର ୧୯ଟି ଡିଭିଜନ ରେ ଏହି ଧାରଣା ଓ ସମାବେଶ କରାଯାଇଛି । ସଙ୍ଗଠନ ସମ୍ପାଦକ ସଞ୍ଜିତ କୁମାର ମହାନ୍ତି ସରକାରଙ୍କର ଅବହେଳାର ତୀବ୍ର ସମାଲୋଚନା କରି କେନ୍ଦୁପତ୍ର ତୋଳାଳୀ କାର୍ମଚାରୀଙ୍କ ବିଭିନ୍ନ ଦାବୀ ଗୁଡ଼ିକ ଶୀଘ୍ର ପୂରଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଅବହେଳା ହେଲେ ତୋଳାଳୀ ଏବଂ ଶ୍ରମିକ ଆଗାମୀ ଦିନରେ ବୃହତ୍ତରଲଢେଇ ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିଲେ । ସମ୍ପାଦକ ମହମ୍ମଦ ମୂଜା ଏହି ଧାରଣା ଓ ଘେରାଉ କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ଯୋଜନାକୁ ସରକାର ଅବହେଳା କରୁଥିବା ଯୋଗୁଁ ତୋଳାଳୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ପ୍ରକାଶ କରିଥିଲେ । ଅଗାମୀ ଦିନରେ ବିଭାଗ ଯଦି କର୍ମଚାରୀଙ୍କ କନ୍ୟା ବିବାହ ସହାୟତା ଦେବାରେ ଅବହେଳା କରନ୍ତି ତାହେଲେ ସାରା ରାଜ୍ୟରେ ଡି ଏଫ୍ ଓ କାର୍ଯ୍ୟାଳୟରେ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ଧାରଣା ଓ ଘେରାଉ କାର୍ଯ୍ୟକ୍ରମରେ ସଂଘର ସାଂଗଠାନିକ ସମ୍ପାଦକ ସଂଜିତ ମହାନ୍ତି, ରାଜ୍ୟ ସମ୍ପାଦକ ମହମ୍ମଦ ମୂଜା, ମିଡିଆ ସଂଯୋଜକ ଦେବଜତି ପଟ୍ଟନାୟକ, ଯୁବ ନେତା ଧର୍ମେନ୍ଦ୍ର ଅଧିକାରୀ, ପ୍ରମୁଖ ଯୋଗ ଦେଇଥିଲେ ।