ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ନବରଙ୍ଗପୁର/ ଉମରକୋଟ : ଉମରକୋଟ ପୌରପାଳିକାରେ ବ୍ୟାପକ ଅନିୟମିତତା ହୋଇଛି । ଫିନାଇଲ୍‌ କିଣାରେ ୨୯ ଲକ୍ଷର ଦୁର୍ନୀତି ହୋଇଛି । ପୌରାଧ୍ୟକ୍ଷା ରାଧା ଭତ୍ରା କ୍ଷମତାର ଅପବ୍ୟବହାର କରୁଛନ୍ତି । ବର୍ଷେ ହେଲା ସହରରେ କୌଣସି ବିକାଶ କାର୍ଯ୍ୟ ହୋଇନି । ପୌରାଧ୍ୟକ୍ଷାଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ସମସ୍ତ କାଉନସିଲର । ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନଙ୍କୁ ଭେଟି ପ୍ରଦାନ କରିଛନ୍ତି । ପୌର ଉପାଧ୍ୟକ୍ଷ ସୁଧାଂଶ ଦାସ, ତପନ ଦେବନାଥ, ସାଈ ନାରାୟଣ ପାଢି, ଚିତ୍ତରଞ୍ଜନ ପାତ୍ର, ଚିନ୍ମୟୀ ଠାକୁର, ମନୋଜ ନାୟକ, ସଞ୍ଜୟ ସର୍କାରଙ୍କ ସମେତ ୧୪ଜଣ କାଉନସିଲର କହିଛନ୍ତି, ୨୦୨୨ ମସିହାରେ ଉମରକୋଟ ପୌର ପାଳିକାରେ ଫିନାଇଲ, ବ୍ଲିଚିଂ ପାଉଡର, ମଶା ତେଲ କିଣାରେ ୨୯ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି । ଲକ୍ଷାଧିକ ଟଙ୍କାର କିଣାଯାଇଥିବା ସାମଗ୍ରୀର କୌଣସି ଷ୍ଟକ୍‌ ନାହିଁ  । ଏମିତିକି ଷ୍ଟକ୍‌ ଯାଞ୍ଚ କରିବା ଲାଗି ପୌରପାଳିକା ପକ୍ଷରୁ ଗଠିତ ସାନିଟାରି କମିଟିକୁ ସୁଯୋଗ ଦିଆଯାଉନି । ମାସିକ ବୈଠକ କରାଯାଉନି । ୨୦୨୪ରେ ଉମରକୋଟ ବସ୍ୟାଣ୍ଡଠାରେ ଭେଣ୍ଟିଂ ଜୋନ୍‌ କରାଯାଇଛି । ଏହାକୁ ଜିଲ୍ଲାପାଳ ଓ ସାଂସଦ ଉଦ୍‌ଘାଟନ କରିଥିଲେ । ଦୁଃଖର ବିଷୟ, ଉଦ୍‌ଘାଟନର ବର୍ଷ ପରେ ବି ହିତାଧିକାରୀ ଚୟନ ସତ୍ତେ୍ୱ ଭେଟିଂଜୋନ୍‌ ବଣ୍ଟନ କରାଯାଉନି । ଏଭଳି ଉମରକୋଟ ପୌର ପାଳିକାରେ ବ୍ୟାପକ ଅନିୟମିତତା ହେଉଛି । ଏଥିରେ ପୌରାଧ୍ୟକ୍ଷା ଶ୍ରୀମତୀ ଭତ୍ରା କ୍ଷମତାର ଅପବ୍ୟବହାର କରୁଛନ୍ତି । ଏମିତିକି ବର୍ଷେ ହେଲା ପୌରାଞ୍ଚଳରେ ବିକାଶ କାର୍ଯ୍ୟ ଠପ୍‌ ହୋଇପଡ଼ିଛି । ତେଣୁ ପୌରାଧ୍ୟକ୍ଷା ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣିବାକୁ ସେମାନେ ବାଧ୍ୟ ହୋଇଥିବା କହିଛନ୍ତି । କାଉନସିଲରଙ୍କ ପ୍ରସ୍ତାବ ଗ୍ରହଣ କରିବା ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବର୍ମନ କହିଛନ୍ତି, ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।