କେନ୍ଦ୍ରାପଡାରେ ଝାଡାବାନ୍ତି, ମହିଳା ମୃତ 

କେନ୍ଦ୍ରାପଡାରେ ଝାଡାବାନ୍ତି, ମହିଳା ମୃତ 

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍‌ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପରେ ଏବେ କେନ୍ଦ୍ରାପଡା ବ୍ଲକ୍‌ ଚକ୍ରୋଡା ଗାଁରେ ବ୍ୟାପିଛି ଝାଡାବାନ୍ତି । ଆଜି ସୁଦ୍ଧା ଏହି ଗାଁର ପ୍ରାୟ ୩ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସାରିଲେଣି । ଏହି ଗାଁର ଡମ୍ବରୁଧର ଜେନା ଓ ତାଙ୍କ ମା ମଞ୍ଜୁଲତା ମଲ୍ଲିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ, ମେଡିକାଲରେ ପଡିଯାଇ ମଞ୍ଜୁଲତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ଅତ୍ୟଧିକ ଦୁର୍ବଳତା କାରଣରୁ ମଞ୍ଜୁଲତା ପଡିଯାଇଥିବା ତାଙ୍କ ସ୍ୱାମୀ ଶିବ ପ୍ରସାଦ ସୂଚନା ଦେଇଛନ୍ତି । ସେହିପରି ପାଖ ଗାଁର ଦୁଇଜଣ ମଧ୍ୟ ଆକ୍ରାନ୍ତ ହୋଇଥିବା ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଜଣାଇଛନ୍ତି । ଅନ୍ୟପକ୍ଷରେ କିଛି ଦିନ ପୂର୍ବରୁ ମଞ୍ଜୁଲତାଙ୍କ ପରିବାରରେ ଦୁଇ ଶିଶୁ ମଧ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଚକ୍ରୋଡା ଗାଁରେ ଝାଡାବାନ୍ତି ଘଟଣା ସାମନାକୁ ଆସିବା ପରେ ଆଶାକର୍ମୀ ଗାଁରେ ପହଂଚି ଲୋକଙ୍କୁ ଓଆର୍‌ଏସ୍‌ ବଣ୍ଟନ କରିବା ସହିତ ସଚେତନ କରିଛନ୍ତି । ମଞ୍ଜୁଲତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି ଅଞ୍ଚଳରେ ଝାଡାବାନ୍ତି କିଭଳି ଅଧିକ ନବ୍ୟାପେ ସେଥିପ୍ରତି ଯତ୍ନବାନ୍‌ ହେବାକୁ ଗ୍ରାମବାସୀ ଦାବି କରିଛନ୍ତି ।