କେବଳ ନୂଆ ଭିସା ପାଇଁ ବର୍ଦ୍ଧିତ ମୂଲ୍ୟ

ନୂଆଦିଲ୍ଲୀ : ଆମେରିକା ପକ୍ଷରୁ ଏଚ-୧ବି ଭିସା ପାଇଁ ଲାଗୁ ହୋଇଥିବା ବର୍ଦ୍ଧିତ ମୂଲ୍ୟ କେବନ ନୂଆ ଭିସା ପାଇଁ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ସ୍ପଷ୍ଟୀକରଣରେ କୁହାଯାଇଛି ଯେ, ୧୦୦,୦୦୦ ଡଲାର ଫି କେବଳ ନୂତନ ଆବେଦନକାରୀଙ୍କ ଉପରେ ଲାଗୁ ହେବ । ତାହା ପୁଣି ଏକକାଳୀନ ଦେୟ ହେବ । ଆମେରିକା ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଶୁକ୍ରବାର ଦିନ ପ୍ରମୁଖ ଫି ବୃଦ୍ଧି ଘୋଷଣା କରିଥିଲେ । ଏହା ବାର୍ଷିକ ଆକାରରେ ଓ ନୂତନ ଭିସା ଏବଂ ନବୀକରଣ ଚାହୁଁଥିବା ଲୋକଙ୍କ ଉପରେ ଲାଗୁ ହେବ ବୋଲି କହିଥିଲେ । କିନ୍ତୁ ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ ନୂତନ ନୀତି କାର୍ଯ୍ୟକାରୀ ହେବାର କିଛି ଘଣ୍ଟା ପୂର୍ବରୁ ଶନିବାର ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି । ଏହା ଏକ ବାର୍ଷିକ ଫି ନୁହେଁ । ଏହା ଏକ ଏକକାଳୀନ ଫି ଯାହା କେବଳ ନୂତନ ଭିସା ପାଇଁ ପ୍ରଯୁଜ୍ୟ । ନବୀକରଣ ପାଇଁ ନୁହେଁ ଓ ବର୍ତ୍ତମାନର ଭିସା ଧାରକଙ୍କ ପାଇଁ ନୁହେଁ ବୋଲି ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି । ହ୍ୱାଇଟ୍ ହାଉସ୍ ର ଜଣେ ଅଧିକାରୀ କହିଛନ୍ତି ଯେ ଆଗାମୀ ଲଟେରୀ ଚକ୍ରରେ ଦ୍ଭ ୍ରଥମେ ୧୦୦,୦୦୦ ଡଲାର ଫି ଲାଗୁ ହେବ । ଏହା ୨୦୨୫ ଲଟେରୀ ବିଜେତାଙ୍କ ଉପରେ ଲାଗୁ ହେବ ନାହିଁ । ହ୍ୱାଇଟ୍ ହାଉସର ସ୍ପଷ୍ଟୀକରଣ ପୂର୍ବରୁ ଆମେରିକୀୟ କମ୍ପାନୀଗୁଡ଼ିକ ସେମାନଙ୍କର ବିଦେଶୀ କର୍ମଚାରୀଙ୍କ ପାଇଁ ଏହାର ପ୍ରଭାବ ଜାଣିବା ପାଇଁ ଚେଷ୍ଟା କରୁଥିଲେ, ଅନେକ ସେମାନଙ୍କ କର୍ମଚାରୀମାନଙ୍କୁ ଦେଶ ଛାଡି ନ ଯିବାକୁ ଚେତାବନୀ ଦେଇଥିବା ଜଣାପଡ଼ିଛି । ଯେଉଁମାନେ ପୂର୍ବରୁ ଏଚ-୧ବି ଭିସା ଧାରଣ କରିଛନ୍ତି ଓ ବର୍ତ୍ତମାନ ଦେଶ ବାହାରେ ଅଛନ୍ତି ସେମାନଙ୍କଠାରୁ ପୁନଃ ପ୍ରବେଶ ପାଇଁ ୧୦୦,୦୦୦ ଡଲାର ଆଦାୟ କରାଯିବ ନାହିଁ ବୋଲି ଲିଭିଟ୍ କହିଛନ୍ତି ।