ଜୁଲାଇ ୨୧ରୁ ସଂସଦ ଅଧିବେଶନ: ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ


ନୂଆଦିଲ୍ଲୀରୁ ବିକାଶ ସ୍ୱାଇଁ  :  ବିରୋଧୀ ଦଳଗୁଡ଼ିକ ସଂସଦର ସ୍ୱତନ୍ତ୍ର ଅଧିବେଶନ ଦାବି କରୁଥିବାବେଳେ ଆଜି   କେନ୍ଦ୍ର ସରକାର ମୌସୁମୀ ଅଧିବେଶନର ତାରିଖ ଘୋଷଣା କରିଛନ୍ତି  । ଆସନ୍ତା ଜୁଲାଇ ୨୧ରୁ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସୂଚନା ଦେଇଛନ୍ତି  । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ପରେ ଶ୍ରୀ ରିଜଜୁ ଏହା କହିଛନ୍ତି  । ଆଗାମୀ ମୌସୁମୀ ଅଧିବେଶନ ବେଶ୍ ସରଗରମ ରହିବ  । ବିଶେଷକରି ଅପରେସନ୍ ସିନ୍ଦୂର ନେଇ ବିରୋଧୀ ଓ ଶାସକଙ୍କ ମଧ୍ୟରେ ଦମଦାର ବିତର୍କ ହେବାର ସମ୍ଭାବନା ରହିଛି  । ଏନେଇ ସଂସଦରେ ସ୍ୱତନ୍ତ୍ର ଆଲୋଚନା ମଧ୍ୟ କରାଯିବ  । ସୂଚନାଯୋଗ୍ୟଯେ, ଗତ ଜାନୁଆରୀ ୩୧ରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା  । ଅପ୍ରେଲ ୪ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ଚାଲିଥିଲା  । ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ  । ଗତ ବଜେଟ୍ ଅଧିବେଶନରେ ଅନେକ ପରମ୍ପରା ବିରୋଧୀ ଘଟଣା ବି ଦେଖିବାକୁ ମିଳିଥିଲା  ।