ସମସ୍ତେ ଯଦି ଚାହୁଁଛନ୍ତି ଚାଲୁ, ତେବେ ଅଚଳ କାହିଁକି?

ସମସ୍ତେ ଯଦି ଚାହୁଁଛନ୍ତି ଚାଲୁ, ତେବେ ଅଚଳ କାହିଁକି?

ଭୁବନେଶ୍ୱର : ମୌସୁମୀ ଅଧିବେଶନ ମାତ୍ର ୭ ଦିନର । ଇତିମଧ୍ୟରେ ୩ ଦିନ ବିତିଗଲାଣି । ଆଉ ମାତ୍ର ୪ ଦିନ ଚାଲିବ । ପ୍ରଥମ ତିନି ଦିନ ଗୃହକାର୍ଯ୍ୟ କେବଳ ଶୋକାଞ୍ଜଳୀରେ ହିଁ ସୀମିତ ରହିଛି । ପ୍ରଥମ ଦିନ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ସିଂ ମର୍ଦ୍ଦରାଜଙ୍କ ବିୟୋଗରେ ଗୃହ ମୁଲତବୀ ରହିଥିଲା । ଦ୍ୱିତୀୟ ଦିନ ବିଜେଡ଼ିର ସାର ହଙ୍ଗାମାରେ ଗୃହ ଧୋଇ ହୋଇଗଲା । ତୃତୀୟ ଦିନ ବି ବିଜେଡ଼ିର ହଟ୍ଟଗୋଳ ପାଇଁ ଗୃହ ଅଚଳ ହୋଇଯାଇଥିଲା । ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଉପରେ ସେଦିନ ୧୨ ମିନିଟ୍‌ ଗୃହରେ ଆଲୋଚନା ହୋଇଥିଲା । ଗାଏମୋଟ୍‌ କହିଲେ ଏହା ହେଉଛି ମୌସୁମୀ ଅଧିବେଶନର ନିର୍ଯ୍ୟାସ ।

ଏବେ ଆସିବା ମୁଖ୍ୟ ପ୍ରସଙ୍ଗ ଉପରକୁ । ବିଧାନସଭା ଅଚଳ କାହିଁକି ? ଯାହାକୁ ନେଇ ରାଜ୍ୟ ରାଜନୀତିରୁ ନେଇ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଆଲୋଡ଼ନ ସୃଷ୍ଟି ହୋଇଛି । ସରକାରଙ୍କୁ ଅକଳରେ ପକାଇବା ସହ ମୁଖ୍ୟ ବିରୋଧୀ ଦଳ ହେବାପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହେଉଥିବା ବେଳେ ଭକ୍ତ ଦାସ କଂଗ୍ରେସ ଅନାସ୍ଥା ଆଣିବ ବୋଲି ଘୋଷଣା କରିଥିଲେ । ଗତ ଜୁଲାଇ ମାସରେ ସେ ଏନେଇ କହିଥିଲେ, ଆମେ ଅନାସ୍ଥା ଆଣିବୁ, ବିଜେଡ଼ି ସମର୍ଥନ କରୁ, ନହେଲେ ବିଜେଡ଼ି ଆଣୁ, ଆମେ ସମର୍ଥନ କରିବୁ । ହେଲେ ବିଜେଡ଼ି ଭକ୍ତଙ୍କ ପ୍ରସ୍ତାବକୁ ଗ୍ରହଣ କଲାନାହିଁ । ତେବେ କଂଗ୍ରେସ ପାଖରେ ଅନାସ୍ଥା ପାଇଁ ଆବଶ୍ୟକୀୟ ସଂଖ୍ୟା ରହିଥିଲା । ତେଣୁ ଭକ୍ତଙ୍କ ନିର୍ଦ୍ଦେଶ ଓ ପରାମର୍ଶରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଛି । ଏହାକୁ ନେଇ ବିଜେଡ଼ିର ଆଭିମୁଖ୍ୟ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ । ଯଦି ଅନାସ୍ଥା ଆସେ, ଦଳର ଆଭିମୁଖ୍ୟ କ’ଣ ହେବ, ତାହା ସମୟ ଆସିଲେ ହିଁ ନିର୍ଦ୍ଧାରିତ ହେବ । ଏକଥା କହିଥିଲେ ପ୍ରସନ୍ନ ଆଚାର୍ଯ୍ୟ । ସେପଟେ ମୁଲତବୀ ପ୍ରସ୍ତାବ ଭଳି ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ସିଧାସଳଖ ଅଗ୍ରାହ୍ୟ କରିପାରିବେ ନାହିଁ । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ କେବଳ ଗୃହ ହିଁ ଏନେଇ ନିଷ୍ପତ୍ତି ନେଇପାରିବ । ତେବେ ଏଥିରେ ଥିବା ବିଧି ଅନୁଯାୟୀ, ଗୃହରେ ଯଦି ହଟ୍ଟଗୋଳ ଜାରି ରହିଥିବ ତେବେ ବାଚସ୍ପତି ଅନାସ୍ଥା ପ୍ରସ୍ତାବ ଆଗତ କରିବାର ସୁଯୋଗ ଦେବେନାହିଁ । 

କଂଗ୍ରେସ ପ୍ରଥମ ଦିନ ଅନାସ୍ଥା ଆଣିଥିବାବେଳେ ଦ୍ୱିତୀୟ ଦିନଠାରୁ ବିଜେଡ଼ି ହଟ୍ଟଗୋଳ ଜାରି ରଖିଛି । ସାର ପ୍ରସଙ୍ଗରେ ଚାଷୀଙ୍କ ହକ୍‌ ପାଇଁ ଦଳ ଲଢେ଼ଇ କରୁଛି । ଠିକ୍‌ କଥା, ବିରୋଧୀ ଦଳ ହିସାବରେ ଚାଷୀଙ୍କ ହକ୍‌ ପାଇଁ ଲଢେ଼ଇ କରିବା ଦରକାର । ହେଲେ ଗୋଟିଏ ପ୍ରସଙ୍ଗରେ ବାରମ୍ବାର ଗୃହ ଅଚଳ ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ, ସାଧାରଣରେ ଓ ରାଜନୀତିକ ମହଲରେ ବିଜେଡ଼ିର ଆଭିମୁଖ୍ୟକୁ ନେଇ ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। କଂଗ୍ରେସ ଅନାସ୍ଥା ନୋଟିସ୍‌ ଦେଇଥିବାବେଳେ ଗୃହ ସ୍ୱାଭାବିକ ହୋଇପାରୁନଥିବାରୁ ୧୭ ବର୍ଷ ପରେ ଅନାସ୍ଥାର ରୂପରେଖ କ’ଣ ରହିବ ତାହା ସ୍ପଷ୍ଟ ହୋଇପାରୁନାହିଁ । ଏବେ ଗୃହ ବନ୍ଦକୁ ନେଇ ତିନି ଦଳ ପରସ୍ପର ଉପରେ ଦୋଷ ଲଦିବାରେ ଲାଗିଛନ୍ତି ।

କଂଗ୍ରେସ ଦୁଇଦିନ ଧରି ଅନାସ୍ଥାକୁ ନେଇ ନିରାଶ ହୋଇସାରିଛି । କଂଗ୍ରେସ ନେତାମାନେ ଏନେଇ ବିଜେଡ଼ିକୁ ଦାୟୀ କରୁଛନ୍ତି  । ଅତଏବ କଂଗ୍ରେସ ଚାହୁଁଛି ଗୃହ ଚାଲୁ  । ସେହିପରି ସରକାରଙ୍କର ମଧ୍ୟ ଗୃହ ଚଳାଇବାର ଦାୟିତ୍ୱ ରହିଛି ଦ୍ଭ ବୋଲି ବିଜେଡ଼ି କହୁଛି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏଭଳି ବିବୃତ୍ତି ଗଣମାଧ୍ୟମକୁ ଦେଇଛନ୍ତି । ଅର୍ଥାତ୍‌ ପରୋକ୍ଷରେ ବିଜେଡ଼ି ଗୃହ ଅଚଳ ପାଇଁ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛି । ଅତଏବ ବିଜେଡ଼ି ବି ଚାହୁଁଛି ଗୃହ ଚାଲୁ । ସେପଟେ ବିଜେପି ଏନେଇ ବିଜେଡ଼ି ଉପରେ ଦୋଷ ଲଦିଛି । ଲବିରେ ବିଜେଡ଼ି ବିଧାୟକମାନେ ଉପରୁ ଆସୁଥିବା ନିର୍ଦ୍ଦେଶରେ ଗୃହ ବନ୍ଦ କରୁଛନ୍ତି ବୋଲି କହୁଥିବା ବିଜେପି ନେତା ଜୟ ନାରାୟଣ ମିଶ୍ର ପ୍ରକାଶ କରିଛନ୍ତି । ଅତଏବ ବିଜେପି ବି ଚାହୁଁଛି ଗୃହ ଚାଲୁ । ଗାଏମୋଟ ଦେଖିଲେ ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ଗୃହ ଚାଲୁ ବୋଲି କହୁଛନ୍ତି । ହେଲେ ଏବେ ପ୍ରଶ୍ନ ଉଠୁଛି ? ସବୁ ଦଳ ଯଦି ଗୃହ ଚାଲୁ ବୋଲି ଚାହୁଁଛନ୍ତି ତେବେ ଗୃହ ଅଚଳ ହେଉଛି କାହିଁକି ?