କେବେ ପରିବର୍ତ୍ତନ ହେବ ଦାଦନ ସମସ୍ୟା?
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଅଧିକାଂଶ ଗାଁ ମାନଙ୍କରେ କାମଧନ୍ଦା ଅଭାବ ଯୋଗୁ ଦାଦନ ଯାଉଥିବା ଦେଖିବାକୁ ମିଳୁଛି । ଗାଁ ମାନଙ୍କରେ ଧାନ କଟା ସାରିବା ପରେ ଲୋକମାନଙ୍କୁ ଆଉ ଗାଁରେ ମିଳୁନି କାମଧନ୍ଦା । ଯାହା ଫଳରେ ବାଧ୍ୟ ହୋଇ ପରିବାର ପ୍ରତିପୋଷଣ ପାଇଁ ଯାଉଛି ବାହାର ରାଜ୍ୟକୁ ଦାଦନ । ସ୍ୱାଧୀନତା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଶାସକ ଆସିଲେଣି ଗଲେଣି । କିନ୍ତୁ ଏହି ସମସ୍ୟାର ନିରାକରଣ ହୋଇପାରୁନାହିଁ । ନିଜେ ନିଜକୁ ଶାସନ କରିବାର ଆଜି ସାତ ଦଶନ୍ଧି ବିତିସାରିଛି ଏବଂ ଏପରିକି ସ୍ୱତନ୍ତ୍ର ଓଡ଼ିଶା ଗଠନର ଆଉ ଗୋଟାଏ ଦଶନ୍ଧି ପରେ ଶତବାର୍ଷିକୀ ପାଳନ କରିବାକୁ ଯାଉଛି । କିନ୍ତୁ ନିଜ ଅଞ୍ଚଳରେ ଆଶାନୁରୂପ ରୋଜଗାର ସୁଯୋଗ ସୃଷ୍ଟି କରିବାରେ ଶାସନ ବ୍ୟବସ୍ଥା ସଫଳ ହୋଇପାରିନାହିଁ । ଯାହାଫଳରେ ଜନସାଧାରଣ ରୋଜଗାର ଅନ୍ୱ୍ୱେଷଣରେ ଦେଶାନ୍ତରିତ ହେବାକୁ ବାଧ୍ୟ ହେଉଛନ୍ତି । ପ୍ରତ୍ୟେକ ଜିଲ୍ଲାର ଭୌଗୋଳିକ ଅବସ୍ଥିତିକୁ ଅନୁଧ୍ୟାନ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ହେବ । କ’ଣ ସବୁ କରାଯାଇ ପାରିଲେ ଜନସାଧାରଣଙ୍କୁ ନିଜ ଅଞ୍ଚଳରେ ତଥା ନିଜ ଗାଁରେ, ଜିଲ୍ଲାରେ କର୍ମସଂସ୍ଥାନ ଯୋଗାଇ ଦିଆଯାଇପାରିବ ତାକୁ ବୁଝିବାକୁ ହେବ । କଳାହାଣ୍ଡି ଜିଲ୍ଲାରେ ଭରି ରହିଛି କୃଷି ସମ୍ପଦ, ଜଳ ସମ୍ପଦ ଖଣିଜ ସମ୍ପଦ ଓ ପର୍ଯ୍ୟଟନ ସମ୍ପଦ । କିନ୍ତୁ ଏଦିଗରେ ସରକାର ଯେତିକି ଧ୍ୟାନ ଦେବା କଥା ତାହା ହୋଇପାରିନାହିଁ । ଯଦ୍ୱାରା ଜନସାଧାରଣଙ୍କୁ ରୋଜଗାର ମିଳିପାରୁନାହିଁ । ଏବେ ସମୟ ଆସିଛି ଏଠାକାର ଜଳ ସମ୍ପଦ ଓ ପର୍ଯ୍ୟଟନ ସମ୍ପଦ ଉପରେ ଗୁରୁତ୍ୱ ପ୍ରଦାନ କରିବାର । ଜିଲ୍ଲାରେ ପ୍ରବାହିତ ନଦୀଗୁଡ଼ିକରେ ଛୋଟ ଛୋଟ ଆନିକଟ କରାଯାଇ ତଦନୁଯାୟୀ କୃଷିକୁ ପ୍ରୋସôାହନ ଦିଆଗଲେ କୃଷି ଓ କୃଷକ ଲାଭବାନ ହେବେ । ଏହାଦ୍ୱାରା ଛୋଟ ଛୋଟ କୁଟୀର ଶିଳ୍ପ ପ୍ରତିଷ୍ଠା ସମ୍ଭାବନା ମଧ୍ୟ ରହିବ । ବାହାର ଉଦ୍ୟୋଗପତିମାନେ ଜିଲ୍ଲାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିବେ । ଯ’ଦ୍ୱାରା ଲୋକମାନଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ଏହାଦ୍ୱାରା ଦାଦନ ସମସ୍ୟାର ଅନେକାଂଶରେ ସମାଧାନ ହୋଇପାରିବ ବୋଲି ଆଶା କରାଯାଇପାରେ ।