ଯୋବ୍ରା ହାଇସ୍କୁଲରେ ବିଜ୍ଞାନ କକ୍ଷ ଉଦଘାଟିତ 

 କଟକ : ସ୍ଥାନୀୟ ଯୋବ୍ରା ହାଇସ୍କୁଲର ବିଜ୍ଞାନ ପ୍ରେକ୍ଷାଳୟ ଓ ୪୧ ନମ୍ବର ୱାର୍ଡ଼ କାର୍ଯ୍ୟାଳୟକୁ ସୋମବାର ଅପରାହ୍ନରେ ବିଧାୟକ ସୌଭିକ ବିଶ୍ୱାଳ ଉଦଘାଟନ କରିଛନ୍ତି । ଅନ୍ୟତମ ଅତିଥି ଭାବେ ଉପ ମହାନଗରପାଳ ଦମୟନ୍ତୀ ମାଝି, କର୍ପୋରେଟର ସ୍ୱର୍ଣ୍ଣପ୍ରଭା ପଶାୟତ, ନିର୍ବାହୀ ଯନ୍ତ୍ରୀ ଭରତ ସେଠୀ, ଇଂ ଅନ୍ତର୍ଯ୍ୟାମୀ ପାତ୍ର, ଯୋବ୍ରା ଦୁର୍ଗା କମିଟି ସଭାପତି ପ୍ରମୋଦ ପାତ୍ର, ସଂପାଦକ ଶ୍ରୀମନ୍ତ ଦାସ ଓ ନିକୁଞ୍ଜ ପ୍ରସାଦ ସମେତ ସ୍ଥାନୀୟ ମୁରବୀ ଓ ଜନସାଧାରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ୱାର୍ଡ଼ କାର୍ଯ୍ୟାଳୟ ଖୋଲିବା ଦ୍ୱାରା ସ୍ଥାନୀୟ ଜନସାଧାରଣ ସହଜରେ ସେମାନଙ୍କ ଅଭିଯୋଗ ଦାଖଲ କରିପାରିବେ । ସେହିପରି ବିଜ୍ଞାନ ପ୍ରେକ୍ଷାଳୟ ଦ୍ୱାରା ଛାତ୍ରଛାତ୍ରୀମାନେ ବିଜ୍ଞାନ ପାଠ ପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି ବକ୍ତାମାନେ କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଥିଲେ ।