ହିଞ୍ଜିଳିରେ ରାଜନୀତିକ ହିଂସା ବିଜେପି ନେତା ଗୁରୁତର
ହିଞ୍ଜିଳିକାଟୁ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ରାଜନୀତିକ ହିଂସା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନାର ପିତଳ ଗ୍ରାମ ପଞ୍ଚାୟତ ସରପଞ୍ଚ ରାମ ରାଘବ ପାତ୍ର ଓ ପିତଳ ବିଜେପି ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଉଭୟ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅପରପକ୍ଷରେ ଉଭୟଙ୍କ ସମର୍ଥକମାନେ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଥାନା ଆଗରେ ହାଲାବୋଲ କରିଛନ୍ତି । ଫଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସଂଧ୍ୟାରେ ପିତଳ ଗାଁ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ରାଘବ ଓ ବିଜୟ କଥା ହେଉଥିଲେ । ହଠାତ୍ ୪ଟି ବାଇକରେ ୮ରୁ ୧୦ ଜଣ ଯୁବକ ଘଟଣା ସ୍ଥଳରେ ପହଁଚି ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ଦୁହେଁ ଅଚେତ ହୋଇଯିବାରୁ ଆକ୍ରମଣକାରୀମାନେ ସେଠାରୁ ପଳାଇ ଯାଇଥିଲେ । ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଉକ୍ତ ପଞ୍ଚାୟତରେ ସରପଞ୍ଚ ଓ ତାଙ୍କ ବିପକ୍ଷ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଓ ସଂଘର୍ଷ ଘଟିଚାଲିଛି । ଥାନାରେ ବି ଏକାଧିକ ମାମଲା ରୁଜୁ ହୋଇଛି । ଖବର ପାଇଁ ହିଞ୍ଜିଳିର ବିଜେପି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର, ମାଧବ ଗୌଡ଼, ରବି ପାଣିଗ୍ରାହୀ, ସୁଧାଂଶୁ ଶେଖର ସାବତ, ସନ୍ତୋଷ ପାଣିଗ୍ରାହୀ, ଆଲୋକ ନାୟକ ପ୍ରମୁଖ ହିଞ୍ଜିଳିକାଟୁ ମେଡ଼ିକାଲରେ ପହଁଚି ଆହତଙ୍କ ଚିକିତ୍ସା ସେବା ଅନୁଧ୍ୟାନ କରିଛନ୍ତି ।