କୋରେଇ ବିଜେଡ଼ିକୁ ମିଳିଲା ସ୍ଥାୟୀ ଠିକଣା : କେତେ ବଳ ଯୋଗାଇବ ଦଳୀୟ କାର୍ଯ୍ୟାଳୟ?
ଯାଜପୁର : ବୁଧବାର ଗଣେଶ ପୂଜାରେ ବ୍ୟାସନଗର ପୈାରାଞ୍ଚଳ ତେନ୍ତ୍ୁଲିଖୁଣ୍ଟା ରାସ୍ତାରେ କୋରେଇ ବିଜେଡ଼ି କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଛି । ନିର୍ବାଚନ ମଣ୍ଡଳୀ ଦଳୀୟ କାର୍ଯ୍ୟାଳୟକୁ ବିଜେଡ଼ି ଉପସଭାପତି ପ୍ରଣବ ପ୍ରକାଶ ଦାସ ଉଦ୍ଘାଟନ କରିଥିଲେ । ହଜାର ହଜାର ଦଳୀୟ କର୍ମୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଉଦ୍ଘାଟିତ କାର୍ଯ୍ୟାଳୟ କୋରେଇ ବିଜେଡ଼ିକୁ କେତେ ବଳ ଯୋଗାଇ ତାହା ନିର୍ବାଚନ ମଣ୍ଡଳୀରେ ଆଲୋଚନା ଚାଲିଛି ।
କୋରେଇ ବିଜେଡ଼ିର ମଙ୍ଗ ଧରିଛନ୍ତି ପ୍ରଣବ ପ୍ରକାଶ ଦାସ ବା ବବି । ବବିଙ୍କୁ ସାଥ୍ ଦେଉଛନ୍ତି ତାଙ୍କ ସାନ ଭାଇ ଭବପ୍ରସାଦ ଦାସ ବା ଲଲ । ଗଲା ନିର୍ବାଚନରେ କୋରେଇ ହାତଛଡ଼ା ହେବା ପରେ ବି ବବି ଓ ଲଲ କୋରେଇକୁ ହାତଛଡ଼ା କରି ନାହାନ୍ତି । ବାହାଘର ହେଉ କି ବ୍ରତଘର ବା କୈାଣସି ପର୍ବପର୍ବାଣୀରେ ଯିଏ ଯେତେ ବେଳେ ଡ଼ାକରା ଦେଲେ ପହଁଚିଯାଆନ୍ତି । ହାରିଗଲା ପରେ ବି ହାର୍ ମାନିନଥିବା ଦୁଇ ଭାଇ ବବି ଓ ଲଲଙ୍କ ପାଇଁ କିନ୍ତୁ ଜଟିଳ ସମସ୍ୟା ହୋଇଥିଲା, କୋରେଇର ଲୋକେ ତାଙ୍କୁ ଦେଖା କରିବାକୁ ଯାଜପୁର ଟାଉନ ଦୌଡ଼ୁଥିଲେ । ଯଦିଓ ଲଲ ପ୍ରତ୍ୟେକ ଦିନ କୋରେଇରେ ଚକର କାଟୁଥିଲେ ହେଲେ ତାଙ୍କ ପାଇଁ କୈାଣସି ସ୍ଥାୟୀ ଠିକଣାଟିଏ ନଥିଲା । ଯୋଉ ଅଞ୍ଚଳକୁ ଗସ୍ତ କରୁଥିଲେ ତାହା ହିଁ ଠିକଣା ରହୁଥିଲା । ଯାହା ଏକ ରାଜନୈତିକ ଦ୍ୱନ୍ଦ ସୃଷ୍ଟି କରୁଥିଲା । ରାଜନୈତିକ ଦ୍ୱନ୍ଦର ଜବାବ ଦେବା ପୂର୍ବକ ବିଜେଡ଼ି ପକ୍ଷରୁ କାର୍ଯ୍ୟାଳୟ ଖୋଲାଯିବା ଏବଂ ଏହିଁ ଠାରେ ହିଁ ନିର୍ବାଚନ ମଣ୍ଡଳୀର ଭଲମନ୍ଦ ଖବର ବୁଝାସୁଝା ଏବଂ ପରିଚାଳନା ହେବ ବୋଲି କୁହାଯାଇଛି । ପ୍ରତ୍ୟେକ ରବିବାର ବଡ଼ ଭାଇ ବବି କାର୍ଯ୍ୟାଳୟରେ ଉପସ୍ଥିତ ରହି କର୍ମୀ, କାର୍ଯ୍ୟକର୍ତାଙ୍କୁ ଭେଟି ଦଳର ଅଗ୍ରଗତି ସଂପର୍କରେ ଆଲୋଚନା କରିବାକୁ ଥିବା ବେଳେ ଅନ୍ୟଦିନରେ ସାନ ଭାଇ ଲଲ କାର୍ଯ୍ୟାଳୟରେ ଉପସ୍ଥିତ ରହି ଉକ୍ତ ସ୍ଥାନରୁ ବିଭିନ୍ନ ସ୍ଥାନକୁ ଗସ୍ତ କରିବେ । ପୂର୍ବ ପରି କୋରେଇର କର୍ମୀ ଏବଂ କାର୍ଯ୍ୟକର୍ତା ଯାଜପୁର ଟାଉନ ବଦଳରେ ବ୍ୟାସନଗର କାର୍ଯ୍ୟାଳୟରେ ହିଁ ପହଁଚି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ତେବେ ଏହା କୋରେଇ ବିଜେଡ଼ିକୁ କେତେ ବଳ ଯୋଗାଇବ ? । ରାଜ୍ୟରେ ବିଜେପି କ୍ଷମତାଶୀନ ହେବା ପରେ ଯାଜପୁର ଜିଲାରେ କାୟା ମେଲାଇବାକୁ ରଣନୀତି ଆପଣାଇଛି । ସଦ୍ୟ ଉଦାହରଣ ହେଉଛି, ଧର୍ମଶାଳା ଏବଂ ବଡ଼ଚଣା । ଏହି ଦୁଇ ବ୍ଲକ ବିଜେଡ଼ି କରାୟତରେ ଥିଲା । କିନ୍ତୁ ବିଜେପିର ରଣ କୈାଶଳରେ ହାତରୁ ଗଲା । କୋରେଇ କ୍ଷେତ୍ରରେ ଏଉଦ୍ୟମ ଯେ ହୋଇନି ତାହା ନୁହେଁ, କିନ୍ତୁ ତାହା ସଫଳ ହୋଇପାରିଲାନି । ବିଫଳ ହେଲେ ବି କେତେକାଂଶର ପଞ୍ଚାୟତ ପ୍ରତିନିଧି ବିଜେପି ଶିବିରରେ ସାମିଲ ହୋଇସାରିଛନ୍ତି । ବବି ଏବଂ ଲଲଙ୍କ ଲଗାତାର ଗସ୍ତ ଏବଂ ବୈଠକି ଏହାର କାରଣ ହୋଇପାରିଥାଏ, ହେଲେ ବିଜେପି ଶିବିର ଯେଭଳି ଭାବେ ଯାଜପୁରକୁ ଗେରୁଆମୟ କରିବାକୁ ଉଦ୍ୟମ କରିଛି, ସେଥିରୁ କୋରେଇ କ’ଣ ବର୍ତ୍ତିଯାଇପାରିବ ? ।