ମହାରାଷ୍ଟ୍ରରେ କୋଠା ଭୁଶୁଡି ୧୭ ମୃତ
ପାଲଘର : ମହାରାଷ୍ଟ୍ରରେ ଏକ କୋଠା ଭୁଶୁଡି ପଡିବାରୁ ୧୭ ଜଣଙ୍କ ମୃତୁ୍ୟ ହୋଇଛି । ଗୁରୁବାର ଦିନ ଅଧିକାରୀମାନେ କହିଛନ୍ତି ଯେ ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଭିରାରରେ ଏକ କୋଠା ଭୁଶୁଡ଼ିବା ଘଟଣାରେ ରାତିସାରା ଆଉ ତିନୋଟି ମୃତଦେହ ଉଦ୍ଧାର ହେବା ସହିତ ମୃତୁ୍ୟ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ପ୍ରାୟ ୫୦ଟି ଫ୍ଲାଟ୍ ଥିବା ଏହି ଅନଧିକୃତ ଚାରି ମହଲା କୋଠା ବୁଧବାର ଦିନ ଭିରାର ଅଞ୍ଚଳର ବିଜୟ ନଗରରେ ଏକ ସଂଲଗ୍ନ ଖାଲି ଘର ଉପରେ ଭୁଶୁଡ଼ି ପଡ଼ିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଚତୁର୍ଥ ମହଲାରେ ଜଣେ ବର୍ଷକର ଝିଅର ଜନ୍ମଦିନ ପାର୍ଟି ଚାଲିଥିବା ସମୟରେ କୋଠାର ଏକ ପାର୍ଶ୍ୱରେ ଥିବା ୧୨ଟି ଫ୍ଲାଟ୍ ଭୁଶୁଡ଼ି ପଡ଼ିବାରୁ ବାସିନ୍ଦା ଏବଂ ଅତିଥିମାନେ ଭଗ୍ନାବଶେଷ ତଳେ ଫସି ରହିଲେ । ପାଲଘର ଜିଲ୍ଲା କଲେକ୍ଟର ଡକ୍ଟର ଇନ୍ଦୁ ରାଣୀ ଜାଖର ଗୁରୁବାର ସକାଳେ ନିଶ୍ଚିତ କରିଛନ୍ତି ଯେ ଘଟଣାରେ ମୃତୁ୍ୟ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ଦ୍ୱାରା ଭଗ୍ନାବଶେଷ ସଫା କରିବା କାର୍ଯ୍ୟ ଜାରି ରଖିଛନ୍ତି ।