କୋହଳ ହେବ କଏଦୀଙ୍କ ସଜା : ବଡ଼ ନିଷ୍ପତ୍ତି

 କୋହଳ ହେବ କଏଦୀଙ୍କ ସଜ୍ଜା । ଜେଲ୍‌ ପ୍ରତିଷ୍ଠା ଦିବସରେ ଜେଲ୍ ବିଭାଗ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି ।  ୪୦୦ କଏଦୀଙ୍କର କୋହଳ ହେବ ସଜ୍ଜା । ଜେଲ୍ ଡିଜିଙ୍କ କ୍ଷମତା ବଳରେ ରାଜ୍ୟର ୮୭ ଜେଲରେ ଥିବା ୪୦୦ରୁ ଅଧିକ କଏଦୀଙ୍କ ସଜା କମ୍‌ ହେବାକୁ ଯାଉଛି । ଜେଲରେ ଉତ୍ତମ ଆଚରଣ ପ୍ରଦର୍ଶନ କରିଆସୁଥିବା କଏଦୀମାନଙ୍କ ସଜା କୋହଳ କରାଯିବ । ମୁକ୍ତି ପାଇବାକୁ ଯାଉଥିବା କଏଦୀମାନଙ୍କ ଭିତରେ କିଛି କଏଦୀ ଆଜୀବନ ସଜା ଭୋଗୁଥିବା ବେଳେ ଆଉ କିଛି ୧ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । 

ଜେଲ୍‌ ମାନୁଆଲ୍‌ ରୁଲ୍‌ ଅନୁଯାୟୀ କଏଦୀମାନଙ୍କ ସଜା କୋହଳ କରିବାର କ୍ଷମତା ଜେଲ୍‌ ଡିଜିଙ୍କର ରହିଛି । ଉତ୍ତମ ବ୍ୟବହାର ପ୍ରଦର୍ଶନ କ୍ଷେତ୍ର‌ରେ ଜେଲ୍ ଡିଜି ତାଙ୍କ କ୍ଷମତା ପ୍ରୟୋଗ କରି ୬୦ ଦିନର ସଜା କମାଇ ପାରିବେ । ସେହିପରି ଜେଲ୍‌ ଅଧୀକ୍ଷକ ୭ ଦିନର କାରାଦଣ୍ଡ କୋହଳ କରିପାରିବେ । ଏଥିପାଇଁ କଏଦୀଙ୍କର ବର୍ଷକର ଆଚରଣ ଉପରେ ନୀରିକ୍ଷଣ କରାଯିବ । ୨୦୨୫ ଏପ୍ରିଲ୍‌ରେ ଦ୍ବିତୀୟ ପର୍ଯ୍ୟାୟ ଆଉ କିଛି  କଏଦୀଙ୍କୁ ଏହି ସୁବିଧା ମିଳିବ । ଏହା ଜେଲ୍‌ ସଂସ୍କାର କାର୍ଯ୍ୟକ୍ରମର ଏକ ବଡ଼ କାମ । ଏହାଦ୍ବାରା କଏଦୀ ମାନେ ପୁଣି ଥରେ ସମାଜର ମୁଖ୍ୟ ସ୍ରୋତକୁ ଫେରିବେ ବୋଲି ଜେଲ୍ ଡିଜି ସୂଚନା ଦେଇଛନ୍ତି ।