ନିୟମିତ କରିବାକୁ କଳା ଓ କ୍ରୀଡ଼ା ପ୍ରଶିକ୍ଷକଙ୍କ ଦାବିପତ୍ର
ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ସାମୟିକ କଳା ଓ କ୍ରୀଡ଼ା ପ୍ରଶିକ୍ଷକ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରଦାନ କରାଯାଇଥିବା ଦାବିପତ୍ରରେ କୁହାଯାଇଛି କି ଆମ ରାଜ୍ୟରେ୨୦୧୩ ମସିହାରୁ ପର୍ଯ୍ୟାୟ କ୍ରମେ ଉଚ୍ଚ ପ୍ରଥାମିକ ବିଦ୍ୟାଳୟ ମାନଙ୍କରେ କଳା ଓ କ୍ରୀଡ଼ା ପ୍ରଶିକ୍ଷକ ମାନଙ୍କୁ ସାମୟିକ ଭାବେ ନିଯୁକ୍ତି ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪୭୮୧ଜଣ କାର୍ଯ୍ୟରତ ଅଛନ୍ତି । କେନ୍ଦ୍ର ସରକାରଙ୍କ ଆରଟିଇଏସଏସ ଅଧିନସ୍ଥ ସମଗ୍ର ଶିକ୍ଷା ଅଭିଯାନରେ ଏମାନେ ବିନା ସର୍ତ୍ତାବଳୀରେ ଦୀର୍ଘ ୧୨ବର୍ଷ ହେଲା କାମ କରିବା ସହିତ ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ ଯଥା ସାଧାରଣ ନିର୍ବାଚନ, ଜନଗଣନା, ବିଏଲଓ କୋଭିଡ-୧୯ ଓ ପ୍ରାକୃତିକ ବିପର୍ଯ୍ୟୟ ଗୁଡ଼ିକରେ ସାମିଲ ହେଉଛନ୍ତି । ହେଲେ ଦୀର୍ଘ ୧୨ବର୍ଷ ବିତି ଯାଇଥିଲେ ମଧ୍ୟ ସରକାର ଏମାନଙ୍କ ପ୍ରତି ଏକ ବୈମାତୃକ ମନୋଭାବ ପୋଷଣ କରି ନିୟମିତ କରିବା ପାଇଁ କୌଣସି ପ୍ରକ୍ରିୟା ଜାରି କରିନାହାଁନ୍ତି କି ଏମାନଙ୍କ ଦରମା ମଧ୍ୟ ବୃଦ୍ଧି କରିନହାଁନ୍ତି । ଦରମା ମାତ୍ର ୨୪୦୦ଟଙ୍କାରୁ ଆରମ୍ଭ ହୋଇ ଆଜିର ମହଙ୍ଗା ଦୁନିଆରେ ୭୭୮୮ଟଙ୍କାରେ ନିଜର ପରିବାର ପ୍ରତିପୋଷଣ କରିବାରେ ଅକ୍ଷମ ହୋଇପଡିଛନ୍ତି । ରାଜ୍ୟ ସରକାର ଗତ ଅକ୍ଟୋବର ମାସରେ ସର୍ବନିମ୍ନ ମଜୁରୀ ୪୫୨ଟଙ୍କା ଘୋଷଣା କରିଥିବା ବେଳେ ଏହି ଶିକ୍ଷକ ମାନେ ଦିନକୁ ମାତ୍ର ୨୬୦ଟଙ୍କାରେ କେମିତି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ଓ ଏହା ରାଜ୍ୟ ସରକାରଙ୍କ ନଜରରେ ଅଛି ନା ନାହିଁ ତାହା ଜଣାପଡୁନାହିଁ । ଏଥିପାଇଁ ଓଡିଶା କଳା ଓ କ୍ରୀଡ଼ା ମହାସଂଘ ଯାଜପୁର ଜିଲା ଶାଖା ତରଫରୁ ଶଙ୍କର ପ୍ରସାଦ ମହାପାତ୍ର, ରଶ୍ମିରଞ୍ଜନ ସାହାଣୀ, ଇନ୍ଦୁମତୀ ସାହୁ, ରଘୁନାଥ ସାମଲ, ଆତ୍ମାରାମ ପାଢ଼ୀ, ଜଗତଜ୍ୟୋତି ନାୟକ, ସୁଇଟ ଦାସ, ଅବିନାଶ ଦାସ, ପ୍ରଶାନ୍ତ ପାହିଲି ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଯାଜପୁର ଉପ ଜିଲାପାଳ ନବକ୍ରିଷ୍ଣ ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କୁ ନିୟମିତ କରାନଗଲେ ଆଗାମୀ ବିଧାନସଭା ସମୟରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।