କ୍ରିଷ୍ଣା କଲଚରାଲ ଗ୍ରୁପର ବାର୍ଷିକୋତ୍ସବ

ଜଗତସିଂହପୁର: ଜଗତସିଂହପୁର ସଦର ସ୍ଥିତ ସ୍ଥାନୀୟ ମାର୍କଣ୍ଡପୁର ଠାରେ ଥିବା କଲଚରାଲ ଗ୍ରୁପର ବାର୍ଷିକ ଉତ୍ସବ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରତାପ ଚନ୍ଦ୍ର ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ମୁଖ୍ୟବକ୍ତା ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ ଜେନା, ସମ୍ମାନିତଅତିଥି ସୁସାହିତି୍ୟକ ସତ୍ୟ ପ୍ରକାଶ କର, ସ୍ଥାୟୀ ସଭାପତି କ୍ଷେତ୍ର ମୋହନ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନର କର୍ମକର୍ତ୍ତା ଓ ଛାତ୍ର ଛାତ୍ରୀଙ୍କୁ ଉତ୍ସାହ ଓ ପ୍ରେରଣା ପ୍ରଦାନ କରିଥିଲେ । ମା ଚିନ୍ମୟୀ କଳା ପ୍ରତିଷ୍ଠାନର ପ୍ରତିଷ୍ଠାତ୍ରୀ ଦିବଂଗତ ସୁଦୀପ୍ତ ଦତ୍ତଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ମଞ୍ଚାସୀନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ୍ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ମଞ୍ଚ ଉଦ୍ଘାଟନ କରିଥିଲେ । ସମ୍ପାଦିକା କ୍ରିଷ୍ଣା ଦତ୍ତ ବାର୍ଷିକ ବିବରଣୀ ପାଠ କରିବା ସଂଗେ ସଂଗେ ଆଲୋକ କୁମାର ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।