ଏଲଆଣ୍ଡଟି କମ୍ପାନୀର ମନମୁଖୀ କାର୍ଯ୍ୟ ; ସପ୍ତାହ ଭିତ୍ତିରେ ସମାଧାନ ନହେଲେ ଆନ୍ଦୋଳନ

ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଅଧିକାଶଂ ପଞ୍ଚାୟତରେ ପାନୀୟ ଜଳ ଯୋଗାଇବାକୁ ମାଟି ତଳେ ପାଣି ପାଇପ ବିଛାଇବା ପାଇଁ ଏଲଆଣ୍ଡଟି ଘରୋଇ ଠିକା ସଂସ୍ଥା ରାସ୍ତାକୁ ଖୋଳିଥିଲା । ଦୀର୍ଘ ଦିନ ହେବ କାମ ସରି ଯାଇଥିଲେ ସୁଦ୍ଧା ଖୋଳିଥିବା ରାସ୍ତାକୁ ଏହି ଠିକା ସଂସ୍ଥା ମରାମତି କରୁନାହିଁ । ଯାହାଫଳରେ ଗାାଁ ଗହଳିର ସବୁ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି  । ଚଳିତ ଲଗାଣ ବର୍ଷାରେ ରାସ୍ତାର ଅବସ୍ଥା ଅଧିକ ଶୋଚନୀୟ ହୋଇଯାଇଛି । ରାସ୍ତାରେ ବଡ ବଡ ଖାଲ ହେବା ସହ ମାଟି ଚଢି ଯାଇଛି , ଯେଉଁଥିପାଇଁ ଅନେକ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି । ଏଥିସହ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କଟରା ବେଗୁନିଆ ରାସ୍ତାରେ ଏହି ମାଟି ଖୋଳା କାରଣରୁ ଲକ୍ଷ୍ମୀ ବସ ମାଟିରେ ଧସିଯାଇ ଖାଲରେ ପଡିଯାଇଥିଲା ଏବଂ ଅଳ୍ପକେ ଯାତ୍ରୀମାନେ ବଞ୍ଚି ଯାଇଥିଲେ । ସାଧାରଣ ଜନତାଙ୍କ ସମସ୍ୟାକୁ ଦେଖି କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କ ପରାମର୍ଶ କ୍ରମେ ଆଜି ପିସିସି ସଭ୍ୟ ଦେବ ପ୍ରସାଦ ନାୟକଙ୍କ ନେତୃତ୍ୱରେ ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ତରଫରୁ କଂଗ୍ରେସ କର୍ମୀ ମାନେ ବ୍ଲକର ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ଏସଡିଓ ଙ୍କୁ ଭେଟି ତୁରନ୍ତ ଏହି ରାସ୍ତାର ମରାମତି କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ପଞ୍ଚାୟତ ରେ ବିପର୍ଯ୍ୟସ୍ତ ହୋଇପଡିଥିବା ରାସ୍ତା ଗୁଡିକର ତାଲିକା ଓ ଫଟୋ ସହ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଆଗାମୀ ୩୦ ଦିନରେ ରାସ୍ତା ଗୁଡିକର ମରାମତି କରାନଯାଏ ତେବେ ବ୍ଲକ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ନାୟକ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ ଉପ ସଭାପତି ଜିତେନ୍ଦ୍ର ମହାନ୍ତି, ଅଶ୍ୱିନୀ ସ୍ୱାଇଁ, ଧନଞ୍ଜୟ ସୂତାର, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସଫି ଆଜମ୍‌, ତିର୍ତ୍ତୋଲ ମହିଳା କଂଗ୍ରେସ ସଭାନେତ୍ରୀ ଅନୁଷୁୟା ପ୍ରଧାନ, ରାଜ୍ୟ ଏସି ସେଲ୍‌ ସାଧାରଣ ସମ୍ପାଦକ ଦେବବ୍ରତ ବେହେରାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।