ପୂରଣ ହେଲା ପାରାଦୀପରେ କୋର୍ଟ ପ୍ରତିଷ୍ଠା ଦାବି
ପାରାଦୀପ : ଶିଳ୍ପ ଭିତ୍ତିକ ସହର ପାରାଦୀପର ଆବଶ୍ୟକତା ଦୃଷ୍ଟିରୁ ଏଠାରେ ଏକ କୋର୍ଟ ପ୍ରତିଷ୍ଠା ନିତାନ୍ତ ଜରୁରୀ ହୋଇପଡିଥିବା ବେଳେ, ସ୍ଥାନୀୟ କିଛି ସଂଗଠନଙ୍କ ସମେତ ସଚେତନ ବୁଦ୍ଧିଜୀବୀମାନେ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ । ତେବେ ଦୀର୍ଘଦିନର ଶିଥିଳତା ପରେ ବର୍ତ୍ତମାନର ପାରାଦୀପ ବିଧାୟକ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉଦ୍ୟମ କ୍ରମେ ପାରାଦୀପରେ ଅଡିସନାଲ୍ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ଏବଂ ଜେଏମ୍ଏଫ୍ସି ପ୍ରଥମ ଶ୍ରେଣୀ କୋର୍ଟ ପ୍ରତିଷ୍ଠା ପାଇଁ ଉଚ୍ଚ ନ୍ୟାୟାଳୟ ସ୍ୱୀକୃତି ପ୍ରଦାନ କରି ପ୍ରକ୍ରିୟା ଆରମ୍ଭ ହୋଇଛି । ପାରାଦୀପରେ କୋର୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସ୍ପଷ୍ଟ କରି ଥିବା ବେଳେ, ପାରାଦୀପ ପୌର ପରିଷଦ ପକ୍ଷରୁ ଆନୁଷଙ୍ଗିକ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସଫଳତା ପାଇଁ ପାରାଦୀପ ବାର୍ ଆସୋସିଏସନ୍ ସଭାପତି ତଥା ଓଡିଶା ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଅଡ଼ିସିନାଲ ଗଭର୍ଣ୍ଣମେଣ୍ଟ ଆଡଭୋକେଟ ତପନ ଦାଶ, ଉପସଭାପତି ବସନ୍ତ ବିଶ୍ୱାଳ, ସମ୍ପାଦକ ରବିନ୍ଦ୍ର ଜେନା, କୋଷାଧ୍ୟକ୍ଷ ଗୋଲକ ବିହାରୀ ସୁତାର, କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମିଶ୍ର ପ୍ରମୁଖ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ଭେଟିଥିଲେ ।