ଖସୁଛି ପାରଦ ; ଥରୁଛି ଦେହ
ଭୁବନେଶ୍ୱର : ପୁଣି ଜାଡରେ କଲବଲ ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି । ପ୍ରବଳ ଥଣ୍ଡାରେ ଥରୁଛି ସମଗ୍ର ଅଞ୍ଚଳ। ଅସ୍ତବ୍ୟସ୍ତ ହୋଇ ପଡିଛି ସାଧାରଣ ଜୀବନ । ଗତକାଲି ପାରଦ ୪.୪ ଡିଗ୍ରି ଥିବା ବେଳେ ଆଜି ୪.୩ ଡିଗ୍ରି ରେକର୍ଡ କରାଯାଇଛି । ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଆଜି ବି ଘୁ.ଉଦୟଗିରି ଚିହ୍ନଟ ହୋଇଛି । ବେଳେ ଡିସେମ୍ବର ମାସ ଆରମ୍ଭରେ ଶୀତ ତାର ପ୍ରକୋପ ଦେଖାଇବା ଆରମ୍ଭ କରିଛି । ଆଗାମୀ ଦିନରେ ତାପମାତ୍ରା ଆହୁରି ତଳ ମୁହାଁ ହେବା ଆଶଙ୍କା କରିଛି ପାଣିପାଗ ବିଭାଗ ।
ଆଗାମୀ ଦିନରେ ଓଡ଼ିଶାରେ ଶୀତଳ ଲହରୀ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର-କଟକ ଦୈତନଗରୀ ସମେତ ଓଡ଼ିଶାର ୧୦ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଡିସେମ୍ବର ୮-୯ ତାରିଖରେ ସୁନ୍ଦରଗଡ଼ ଅନୁଗୁଳ ଏବଂ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୀତଳ ଲହରି ଜାରି ରହିପାରେ । ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲା ପାଇଁ ଘନ କୁହୁଡ଼ି ହେବାର ମଧ୍ୟ ସତର୍କ ସୂଚନା ଦିଆଯାଇଛି । ଆସନ୍ତା ୧୦-୧୧ ତାରିଖରେ ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ସୋନପୁର ଏବଂ କଟକର ବିଭିିନ୍ନ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇପାରେ । ଶୀତ ଲହରି ମଧ୍ୟରେ ଏହି ଦୁଇ ଦିନରେ କଟକ ଏବଂ ଭୁବନେଶ୍ୱରରେ ପାରଦ ଯଥାକ୍ରମେ ୧୦-୧୧ ଡିଗ୍ରୀ ସେଲସିୟସ୍ ଛୁଇଁପାରେ। ଆଜି ବି ୮ଟି ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି । କୋରାପୁଟ ସେମିଳିଗୁଡା ୪.୬, ଫୁଲବାଣୀ ୭.୨, ଝାରସୁଗୁଡା ୭.୪, ଦାରିଙ୍ଗିବାଡି ୭.୫, ରାଉରକେଲା ୭.୬, ଅନୁଗୁଳ ଓ ଚିପିଲିମା ୮.୮, ଭବାନୀପାଟଣା ୯ ଡିଗ୍ରୀ ଓ ନବରଙ୍ଗପୁର ୧୦ ଡିଗ୍ରୀ ରହିଛି ।
ସବୁଜ ବନାନୀ ଓ ଚତୁଃ ପାର୍ଶ୍ୱ ପାହାଡ଼ରେ ପରିପୂର୍ଣ୍ଣର୍ ଘୁ.ଉଦୟଗିରିର ସୌନ୍ଦର୍ଯ୍ୟ କୌଣସି ପ୍ରକାର ଡାର୍ଜିଲିଂ ସୌନ୍ଦର୍ଯ୍ୟ ଠାରୁ କମ ନୁହେଁ । ଯାହାକି ଘୁ.ଉଦୟଗିରି ପର୍ଯ୍ୟଟକଙ୍କ ମନକୁ କିଣି ନେଇ ଥାଏ । ଯାହାପାଇଁ ପର୍ଯ୍ୟଟକ ଘୁ.ଉଦୟଗିରିକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ତେଣୁ ଘୁ.ଉଦୟଗିରିରେ ଥିବା ପର୍ଯ୍ୟଟନସ୍ଥଳୀର ବିକାଶ ସହ ଚଳିତ ବର୍ଷ ଶୀତ ମହୋତ୍ସବ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା । ଶୀତ ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାକୁ ନେଇ ଏକ ପ୍ରସ୍ତୁତି ବୈଠକ ମଧ୍ୟ ବିଡିଓଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଛି । ଘୁ.ଉଦୟଗିରି ପ୍ରବେଶ ପଥ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ରହିଛି ଅଙ୍କାବଙ୍କା ଦୀର୍ଘତମ କଳିଙ୍ଗା ଘାଟି ଓ ଘାଟି ଉପରେ ରହିଛି ଶିଲଭି କଲଚର ଗାର୍ଡେନ ଯାହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନକୁ ବିମୋହିତ କରିଥାଏ । ଘୁ.ଉଦୟଗିରିର ସହରାଞ୍ଚଳରେ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ଆଜି ୪.୩ ଡିଗ୍ରୀ ରେକର୍ଡ କରାଯାଇ ଥିବା ବେଳେ ଗ୍ରାମାଞ୍ଚଳ ଅର୍ଥାତ ପୁକୁଲିଙ୍ଗିଆ, ସିପାଏଯୁ, ଡଡାପାଡ଼ା, ତୁମୁସିଙ୍ଗିଆ, ଲଏରେଜୁ, ଗଦ୍ରିଙ୍ଗିଆ, ସିରିକି, କୁର୍ମୀଙ୍ଗିଆ, ମୁକୁଲିଙ୍ଗିଆ, ଲିଙ୍ଗାଗଡ, ସହରାଅଞ୍ଚ ଅର୍ଥାର ଗୁଦ୍ରିପୋଡ଼ି ଇତ୍ୟାଦି ଅଂଚଳରେ ପାଖାପାଖି ୨ ଡିଗ୍ରୀ ଥିବା ଅନୁମାନ କରିଛନ୍ତି ପାଣିପାଗ ବିଶଷଜ୍ଞ ।