ସାର ସମସ୍ୟାର ସମାଧାନ ନେଇ ମୁଖ୍ୟ ସଚିବଙ୍କ ସମୀକ୍ଷା

  ଭୁବନେଶ୍ୱର:  କୃଷକମାନଙ୍କ ପାଖରେ ସେମାନଙ୍କର ଆବଶ୍ୟକତା ଅନୁସାରେ ସାର ଠିକ୍ ଭାବରେ ପହଞ୍ଚୁଛୁକି ନାହିଁ, ସେଥିପାଇଁ କି କି ସମସ୍ୟା ରହୁଛି, ସେ ସଂପର୍କରେ ଆଜି ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ଏକ ବୈଠକରେ ସଦ୍ୟତମ ସ୍ଥିତି ସମୀକ୍ଷା କରିଥିଲେ । ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦାନ କରିଥିଲେ ।  କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, କୃଷି ନିଦେ୍ର୍ଦଶକ ଶୁଭମ୍ ସକ୍ସେନାଙ୍କ ସମେତ  ସମବାୟ ଓ କୃଷି ବିଭାଗର ବରିଷ୍ଠ ପଦାଧିକାରୀ  ଉପସ୍ଥିତ ଥିଲେ । ଏ ସଂପର୍କରେ ଗତ ୧ ତାରିଖରେ ମଧ୍ୟ  ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ । 
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏ ବର୍ଷ ଭଲ ମୌସୁମୀ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଏ ସମୟରେ ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ସାର ଯୋଗାଇଦେବା ରାଜ୍ୟ ସରକାରଙ୍କ ପ୍ରାଥମିତା ରହିଛି  । ସାରର ଉପଲବ୍ଧତା ଅନୁସାରେ ତାହା ଯେପରି ଚାଷୀମାନଙ୍କ ନିକଟରେ ଠିକ୍ ଭାବରେ ପହଞ୍ଚେ, ସେଥିପ୍ରତି ରାଜ୍ୟ ଓ ଜିଲ୍ଲାସ୍ତରରେ ସ୍ତରରେ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି  ।
ଚଳିତ ସେପ୍ଟେମ୍ବର ମାସ ୫ ତାରିଖ ସୁଦ୍ଧା ଓଡ଼ିଶାକୁ   ଖରିଫ ୨୦୨୫ ବର୍ଷ ପାଇଁ ୟୁରିଆ  ସମେତ ୧୦ ଲକ୍ଷ ମେଟ୍ରିକ ଟନ୍ ବିଭିନ୍ନ ପ୍ରକାର ସାର ଉପଲବ୍ଧତା ନେଇ  ଭାରତ ସରକାରଙ୍କୁ ପୂର୍ବରୁ  ପ୍ରସ୍ତାବ ଦିଆଯାଇଥିବା ବେଳେ ଏହି ତାରିଖ ସୁଦ୍ଧା ମୋଟ ୧୧ ଲକ୍ଷ ୩୩ ହଜାର ୭୭୬ ମେଟ୍ରିକ ଟନ ସାର ମିଳିଛି । ଏ ପର୍ଯ୍ୟନ୍ତ ୯.୧୬ ଲକ୍ଷ ମେଟ୍ରିକ ଟନ ସାର ବିକ୍ରୟ ହୋଇସାରିଛି । ଏବେ ସୁଦ୍ଧା ଆହୁରି ୨ ଲକ୍ଷ ୭ ହଜାର ୨୨୦ ମେଟ୍ରିକ ଟନ୍ ସାର ରାଜ୍ୟ ପାଇଁ ଉପଲବ୍ଧ ଅଛି । ଏଣୁ ଗତ ବର୍ଷ ତୁଳନାରେ ଏହା  ପ୍ରାୟ ୨୦ ପ୍ରତିଶତ ଅଧିକ ସାର  ବିକ୍ରୟ ହୋଇଥିବା ବୈଠକରୁ ଜଣାଯାଇଛି  । 
ବିଭିନ୍ନ ଜିଲ୍ଲା ପାଇଁ  ସାର କେତେ ଉପଲବ୍ଧ ଅଛି, କେତେ ପହଞ୍ଚିବାର ଅଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରି ଆବଶ୍ୟକ ନିଦେ୍ର୍ଦଶ ଓ ପରାମର୍ଶ ଦେଇଛନ୍ତି ।  ସାର କମ୍ପାନୀ ଓ ମାର୍କଫେଡ୍ ପାଖରେ  ଯଥେଷ୍ଟ  ସଂଖ୍ୟକ ସାର ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି, ଯଦ୍ୱାରା ଅଗ୍ରାଧିକାର ଭିତ୍ତିରେ ଜରୁରୀ ଆବଶ୍ୟକତା ପୂରଣ କରାଯାଇ ପାରିବ ।  ଅନ୍ୟ ପକ୍ଷରେ  ଆଗାମୀ ଖରିଫ ପାଇଁ ୟୁରିଆ ସାରର  ଆବଶ୍ୟକତା କେତେ ରହିବ, ତାହା ଚାଷଋତୁ ପୂର୍ବରୁ ଆକଳନ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ।