ଭୋଟ ଦେବାକୁ ଯୁବ ଭୋଟର ଅନାଗ୍ରହୀ

ଭୋଟ ଦେବାକୁ ଯୁବ ଭୋଟର ଅନାଗ୍ରହୀ


 ନୂଆଦିଲ୍ଲୀ : ଭାରତୀୟ ଗଣତନ୍ତ୍ରର ମହାକୁମ୍ଭ ସାଧାରଣ ନିର୍ବାଚନ ପାଇଁ ସାରା ଦେଶର ମାହୋଲ ସରଗରମ ହୋଇଯାଇଛି  । ଯୁବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବହୁ ଯୋଜନା ବି କରୁଛନ୍ତି  ।  କିନ୍ତୁ ୧୮ରୁ ୧୯ ବର୍ଷର ପ୍ରଥମ ଥର ଭୋଟରମାନେ ଭୋଟଦାନ ପ୍ରତି ଅନାଗ୍ରହ ପ୍ରକାଶ କରୁଛନ୍ତି  । ଦେଶର ୧୮ରୁ ୧୯ ବର୍ଷ ବୟସର ୬୨% ପିଲାମାନେ ଭୋଟର ତାଲିକାରେ ନାଁ ବି ଉଠାଇନାହାନ୍ତି  । ଯାହାକି ଏବେ ବୁଦ୍ଧିଜୀବୀମାନଙ୍କୁ ଚକିତ କରିଦେଇଛି  ।
ଏକ ଆକଳନ ଅନୁଯାୟୀ, ଦେଶରେ ୧୮ରୁ ୧୯ ବର୍ଷ ବୟସର ପ୍ରାୟ ୪.୯ କୋଟି ପିଲା ଅଛନ୍ତି  । କିନ୍ତୁ ଭୋଟର ତାଲିକାରେ ୧.୮ କୋଟି ଯୁବ ଭୋଟର ସାମିଲ ହୋଇଛନ୍ତି  । ଯେଉଁମାନେ କି ପ୍ରଥମ ଥର ପାଇଁ ଭୋଟ ଦେବେ  । ତେବେ ୧୮ରୁ ୧୯ ବର୍ଷର ପିଲାଙ୍କ ମଧ୍ୟରୁ ବିହାରର ୧୭%, ଦିଲ୍ଲୀର ୨୦%, ଉତରପ୍ରଦେଶର ୨୩% ଓ ମହାରାଷ୍ଟ୍ରର ୨୭%ଙ୍କ ନାମ ଭୋଟର ତାଲିକାରେ ରହିଛି  । ତେଲେଙ୍ଗାନା ଓ ଜାମ୍ମୁକାଶ୍ମୀରରେ ଏହି ହାର ୬୦% ଥିବାବେଳେ ପଶ୍ଚିମବଙ୍ଗରେ ଏହି ହାର ୫୦%ରୁ କମ ରହିଛି  । ଓଡ଼ିଶାରେ ବି ଅନୁରୂପ ସ୍ଥିତି ସୃଷ୍ଟିହୋଇଛି  । ଅପରପକ୍ଷରେ ୩୦ କୋଟି ଭୋଟର ଗତ ନିର୍ବାଚନରେ ଭୋଟ ଦେଇନଥିଲେ  । ବିଶ୍ୱର ଅନେକ ପ୍ରମୁଖ ରାଷ୍ଟ୍ର ତୁଳନାରେ ଭାରତର ଭୋଟ ହାର ମଧ୍ୟ କମ୍ ରହିଛି  । ତେବେ ଭୋଟ ଦେଇ ସରକାର ବାଛିବା ଆମର ଅଧିକାର ବୋଲି ପିଲାମାନେ ସ୍କୁଲ କଲେଜରେ ପଢ଼ୁଥିବାବେଳେ ସାମ୍ପ୍ରତିକ ରାଜନୀତିକ ଦୃଶ୍ୟପଟ୍ଟ ପାଇଁ ସେମାନେ ଭୋଟ ଦେବାକୁ ଚାହୁଁନଥିବା ଅନେକ ମତ ପ୍ରକାଶ କରୁଛନ୍ତି  ।  ସେହିପରି ରାଜନୈତିକ ଦଳଗୁଡ଼ିକ ମାଗଣା ଯୋଜନା କରୁଥିଲେବି ଯୁବ ପୀଢ଼ିଙ୍କ ରୋଜଗାର ଓ ନିଯୁକ୍ତି ଦିଗରେ ସେଭଳି ପଦକ୍ଷେପ ନେଉନଥିବାରୁ ମତଦାନ ପ୍ରତି ସେମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି  ।