ଖଡ଼ିଆଳରେ ଟ୍ରାଫିକ ପୋଷ୍ଟ ବାଇପାସ୍ ଦାବି
ନୂଆପଡା : ଖଡ଼ିଆଳ ଏକ ଐତିହାସିକ ସହର । ବର୍ତ୍ତମାନ ଏହା ନୂଆପଡ଼ା ଜିଲ୍ଲାର ପ୍ରାଣକେନ୍ଦ୍ର ଭାବେ ବିବେଚିତ ହେଉଛି । ଏଠାରେ ବିଜ୍ଞପିତ ଅଞ୍ଚଳ ପରିଷଦ ସହ ବ୍ଳକ କାର୍ଯ୍ୟାଳୟ ରହିଛି । ଏହା ବ୍ୟତୀତ ୧୦ରୁ ଊର୍ଦ୍ଧ୍ୱ କଲେଜ, ୧୫ରୁ ଉର୍ଦ୍ଧ୍ୱ ସରକାରୀ ବେସରକାରୀ ବିଦ୍ୟାଳୟ, ଉପଖଣ୍ଡସ୍ତରୀୟ ଡାକ୍ତରଖାନା ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ରହିଛି । ଏବେ ଖଡ଼ିଆଳ ସହରର ଜନସଂଖ୍ୟା ପ୍ରାୟ ୨୦ ହଜାରରୁ ଅଧିକ ଥିବାବେଳେ ନୂଆପଡ଼ା ଜିଲ୍ଲା ସମେତ ପଡୋଶୀ ବଲାଙ୍ଗିର ଜିଲ୍ଲା, କଳାହାଣ୍ଡି ଜିଲ୍ଲାର ଅନେକ ଗ୍ରାମବାସୀ, ସୀମାବର୍ତ୍ତି ଛତିଶଗଡ଼ ରାଜ୍ୟର ଲୋକେ ମଧ୍ୟ ସ୍ୱାସ୍ଥ୍ୟ, ଶିକ୍ଷା, ବାଣିଜ୍ୟିକ କାରବାର ଲାଗି ଖଡ଼ିଆଳ ସହର ଉପରେ ନିର୍ଭର କରୁଛନ୍ତି । ଖଡ଼ିଆଳ ଦେଇ ରାଜ୍ୟ ଓ ଜାତୀୟ ରାଜପଥ ଯାଇଛି । ତେଣୁ ପ୍ରତ୍ୟେହ ହଜାର ହଜାର ଲୋକଙ୍କ ସମାଗମ ସହ ଶହଶହ ଯାନବାହନ ଚଳାଚଳ କରୁଛି । କିନ୍ତୁ ଏଠାରେ ଟ୍ରାଫିକ୍ ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଲୋକଙ୍କ ବହୁ ମୂଲ୍ୟ ଧନଜୀବନ ହାନୀ ଘଟୁଛି । ଦୀର୍ଘଦିନ ହେଲା ସହରରେ ଟ୍ରାଫିକ ବ୍ୟବସ୍ଥା ପାଇଁ ଦାବି ହୋଇ ଆସୁଥିଲେ ସୁଦ୍ଧା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉନାହିଁ । ଏନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ସମୟରେ ଦୁର୍ଘଟଣା ହେଲେ ରାସ୍ତା ଅବରୋଧ, ଆନେ୍ଦାଳନ ହେଉଛି । ସେ ସମୟରେ ଲୋକେ ଟ୍ରାଫିକ ବ୍ୟବସ୍ଥା ପାଇଁ ଦାବି କରୁଛନ୍ତି । ପ୍ରଶାସନ ମଧ୍ୟ ଆନେ୍ଦାଳନକୁ ପ୍ରଶମିତ କରିବା ପାଇଁ ପ୍ରତିଶ୍ରୁତି ଦେଇ ଖସିଯାଉଛି । ଯଦିଓ ଖଡ଼ିଆଳ ଥାନାର କେତେକ ହୋମଗାର୍ଡ କାଁ ଭାଁ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି, କିନ୍ତୁ ସେମାନେ ତାଲିମ ପ୍ରାପ୍ତ ନୁହଁନ୍ତି । ଖଡ଼ିଆଳ କଲେଜ୍ ଛକରେ ମଧ୍ୟ ସବୁବେଳେ ଭିଡ଼ ରହୁଥ?ିବାରୁ ଛାତ୍ରଛାତ୍ରୀ ରାସ୍ତା ଅତିକ୍ରମ କଲାବେଳେ ଦୁର୍ଘଟଣାର ଭୟ ରହୁଛି । ସେଭଳି ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏକ ବାଇପାସ ଗୋଡ଼ ପାଇଁ ମଧ୍ୟ ଅଞ୍ଚଳବାସୀଙ୍କ ଦୀର୍ଘଦିନ ହେଲା ଦାବି କରିଆସୁଛନ୍ତି । ଏନେଇ ନୂଆପଡ଼ା ଏସପିଙ୍କୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ତାରପରୁ ପଚାରିଲେ ଖଡ଼ିଆଳ ସହରରେ ସିସି କ୍ୟାମେରା ସବୁ ଲାଗିଛି । ଆଗକୁ ଟ୍ରାଫିକ ପୋଷ୍ଟ ସହ ଟ୍ରାଫିକ ପୁଲିସ ବ୍ୟବସ୍ଥା କରାଯିବ ବୋଲି ପ୍ରତିସୃତି ଦେଇଛନ୍ତି ।