ବୃଦ୍ଧି ପାଉଛି ସଟ୍ଟାଖେଳ, ପ୍ରଶାସନ ନିରବ
ନୂଆପଡା : ଖଡିଆଳ ସହର ସମେତ ଗ୍ରାମାଞ୍ଚଳରେ ସଟ୍ଟାଖେଳ ବୃଦ୍ଧି ପାଇବାରେ ଲାଗିଛି । ଅଞ୍ଚଳରେ ସଟାଖେଳ ଅନେକ ଦିନରୁ ଚାଲୁଥିଲେ ମଧ୍ୟ ପୁଲିସ ପ୍ରଶାସନ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ଫଳରେ ସଟ୍ଟା ଏଜେଣ୍ଟ ଗୁଡ଼ିକ ଅଞ୍ଚଳରେ ପ୍ରଭାବ ବିସ୍ତାର କରିଚାଲିଛନ୍ତି । ଅନେକ ଗରିବ ଖଟିଖିଆ ରୋଜଗାର କରି ଆଣିଥିବା ଦୁଇପଇସାକୁ ସଟ୍ଟା ଖେଳି ସର୍ବସ୍ୱାନ୍ତ ହେଉଛନ୍ତି । ଏଜେଣ୍ଟମାନେ ବିଭିନ୍ନ ପାନ ଦୋକାନ, ଚା’ଦୋକାନ ଗୁଡ଼ିକରେ ଆଡ୍ଡା ଜମାଇ ଏହି ବେଆଇନ ଖେଳ ଚଳାଇଥିବା ଦେଖୁବାକୁ ମିଳୁଛି । ଏନେଇ ପୁଲିସ ପାଖରେ ଖବରଥିଲେ ସୁଦ୍ଧା ଜାଣି ଜାଣି ନଜାଣିଲା ପରି ଅଭିନୟ କରୁଥିବା ସାଧାରଣରେ ଅଭିଯୋଗ ହେଉଛି । ଅନେକ ଚାକିରିଆ, ଛାତ୍ର, ଜନସାଧାରଣ ଅଧିକ ପାଇବା ଆଶାରେ ଏହି ସଟାଖେଳି କାଙ୍ଗାଳ ହେଉଛନ୍ତି । ଫଳରେ ପରିବାର ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି । ପୁଲିସ ଏହି ବେଆଇନ ଖେଳକୁ ବନ୍ଦ କରିବା ବଦଳରେ ସହଯୋଗ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।