ବଡ଼ଦାଣ୍ଡ ଭାରୀ ଭିଡ଼ : ଶ୍ରଦ୍ଧାଳୁ ଅଣନିଶ୍ୱାସୀ, ୧୦ ଅସୁସ୍ଥ
ପୁରୀ: ନୂଆବର୍ଷ ପାଇଁ ଆଉ ମଝିରେ ଗୋଟିଏ ଦିନ । ଏହାରି ପୂର୍ବରୁ ଜଗାଦର୍ଶନ ପାଇଁ ଭିଡ଼ ହେଲାଣି ବଡ଼ଦାଣ୍ଡ । ଦର୍ଶନ ପାଇଁ ପ୍ରସ୍ତୁତ ହୋଇଥିବା ବ୍ୟାରିକେଡ୍ ମଧ୍ୟରେ ପ୍ରବଳ ଜନସମାଗମ ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଫଳରେ ସିଂହଦ୍ୱାର ସମ୍ମୁଖରେ ଅଣନିଶ୍ୱାସୀ ହୋଇ ୧୦ ଜଣ ଟଳି ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ୪ଜଣ ଛାତ୍ରଙ୍କୁ ପୁରୀ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ସୂଚନା ମିଳିଛି । ସାଧାରଣ ଦର୍ଶନ ବ୍ୟବସ୍ଥାରେ ହୋଇଥିବା କଟକଣା ଯୋଗୁ ବହୁ ଶ୍ରଦ୍ଧାଳୁ ଅସନ୍ତୋଷ ପ୍ରକାଶ କରିବା ସହ ବ୍ୟାରିକେଡ୍ ପାଶ୍ୱର୍ରେ ହୋଇଥିବା ଭିଆଇପି ଦର୍ଶନ ବ୍ୟବସ୍ଥାକୁ ନିନ୍ଦା କରାଯାଇଥିଲା । ରାତି ଅଧରୁ ଶ୍ରଦ୍ଧାଳୁମାନେ ଦିଅଁଙ୍କ ଦର୍ଶନ ଲାଗି ଧାଡ଼ି ବାନ୍ଧିଥିବା ବେଳେ ଦର୍ଶନରେ ଅଧିକ ବିଳମ୍ବ ହେଉଥିବାରୁ ଶ୍ରଦ୍ଧାଳୁମାନେ ଘୋର ଅସନ୍ତୋଷବ୍ୟକ୍ତ କରିଥିଲେ । ତେବେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହାକୁ ପରିଚାଳନା କରିବାରେ ସୁରକ୍ଷାକର୍ମୀମାନେ ଅସମର୍ଥ ହୋଇଥିଲେ ।
ଅପରପକ୍ଷେ ଭିଡ଼ ଏପରି ଥିଲା ଯେ, ଧାଡ଼ି ସିଂହଦ୍ୱାର ଠାରୁ ମମରିଚୀକୋଟ ଛକ ପର୍ଯ୍ୟନ୍ତ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା । ବରିଷ୍ଠ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଛି । ସେହିପରି ନବବର୍ଷ ଦିନ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ୬୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସମେତ ୩୫୦ରୁ ଊଦ୍ଧ୍ୱର୍ ପୁଲିସ୍ ଅଧିକାରୀମାନେ ନିୟୋଜିତ ହେବାକୁ ଯୋଜନା କରାଯାଇଛି । ସେହିପରି ସ୍ୱତନ୍ତ୍ର ଭାବେ ସ୍ନାଚିଂ ଟିମ୍ ଗଠନ କରାଯାଇଛି । ଏହାସହ ଆସନ୍ତାକାଲି ଓ ନବବର୍ଷ ଦିନ ଅର୍ଥାତ୍ ୩୧ ଓ ୧ ତାରିଖ ଦିନ କେବଳ ସିଂହଦ୍ୱାର ପଟେ ପ୍ରବେଶ ଓ ଅନ୍ୟ ତିନିଦ୍ୱାର ପଟେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ପୁରୀ ଏସ୍ପି ଭିନୀତ୍ ଅଗ୍ରୱାଲ୍ ସୂଚନା ଦେଇଛନ୍ତି । ସେହିପରି ନବବର୍ଷ ପାଇଁ ଆହୁରି ଅଧିକ ଭିଡ଼କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଟ୍ରାଫିକ୍ କଟକଣା କରାଯାଇଛି । ମାର୍କେଟ୍ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ନୋ ଭେଇକିଲ୍ ଜୋନ୍ କରାଯିବା ସହ ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ପାଶ୍ୱର୍ରୁ ଆସୁଥିବା ଯାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ପଟରୁ ଯେଉଁ ଯାନ ଆସିବ ସେଗୁଡ଼ିକ ହସ୍ପିଟାଲ୍ ଛକ ଦେଇ ଶରଧାବାଲି ପଟକୁ ପାର୍କିଂ କରିବେ । ବ୍ରହ୍ମଗିରି ପଟରୁ ଆସୁଥିବା ଯାନଗୁଡ଼ିକ ଯାତ୍ରିକା ପଟ ଦେଇ ସେଇପାଖରେ ପାର୍କିଂ କରିବେ । ସେହିପରି କୋଣାର୍କରୁ ଆସୁଥିବା ଯାନଗୁଡ଼ିକକୁ ତାଳବଣିଆ ଆଖପାଖରେ ପାର୍କିଂ କରିବାକୁ ନିଦେ୍ର୍ଦଶ ରହିଛି ।